ଜୟପୁରରେ ଯାତ୍ରୀବାହୀ ବସ – ଟ୍ରକ ମୁହାଁମୁହିଁ ଧକ୍କା, ୭ ଯାତ୍ରୀ ଆହତ, ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କଲେ ସ୍ଥାନୀୟ ଲୋକ

43

କନକ ବ୍ୟୁରୋ : ଜୟପୁରରୁ ନବରଙ୍ଗପୁର ଯାଉଥିବା ଏକ ଯାତ୍ରୀବାହୀ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି । ବସଟି ଜୟପୁରରୁ ନବରଙ୍ଗପୁର ଯାଉଥିବା ସମୟରେ ଏକ ଟ୍ରକସହ ମୁହାଁମୁହିଁ ଧକ୍କା ହୋଇଛି । ବସରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୭ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସମସ୍ତ ଆହତଙ୍କୁ ସୁନାବେଡା ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ସକାଳୁ ସରକାରୀ ବସଟି ଯାତ୍ରୀମାନଙ୍କୁ ନେଇ ନିଜ ଗନ୍ତବ୍ୟସ୍ଥଳ ଅଭିମୁଖେ ଯାତ୍ରା କରିଥିଲା । ତେବେ କୈାଣସି କାରଣରୁ ବସଟି ସାମନା ପାଶ୍ୱର୍ରୁ ଆସୁଥିବା ଟ୍ରକ ସହ ଧକ୍କା ହୋଇଥିଲା । ତେବେ ଦୁର୍ଘଟଣାରେ କୈାଣସି ଯାତ୍ରୀ ମୃତାହତ ହୋଇ ନଥିବା ଜଣାପଡିଛି । ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ପହଞ୍ଚି ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ମେଡିକାଲରେ ଭର୍ତ୍ତି କରିଛନ୍ତି । କେଉଁ କାରଣରୁ ଏପରି ଦୁର୍ଘଟଣା ଘଟିଲା ତାହା ବର୍ତ୍ତମାନ ସମୟରେ ଜଣାପଡିନାହିଁ । ଆଜି ରବିବାର ଥିବାରୁ ଦୁର୍ଘଟଣାସ୍ଥଳରେ ଅନେକ ଲୋକ ରୁଣ୍ଡ ହୋଇଥିଲେ । ତେବେ ସେପରି ବିଶେଷ କ୍ଷତି ଲୋକମାନଙ୍କ ହୋଇନାହିଁ ବୋଲି ସୂଚନା ମିଳିଛି । ପରେ ଖବରପାଇ ସ୍ଥାନୀୟ ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଦୁର୍ଘଟଣା ହୋବାରୁ କିଛି ସମୟ ଲାଗି ସେହି ରାସ୍ତାରେ ଗାଡିମଟର ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ତେବେ ବର୍ତ୍ତମାନ ସମୟରେ ଗାଡି ଚଳାଚଳ ସ୍ୱାଭାବିକ ହେବା ସହ ସମସ୍ତ ଆହତଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି ।