ଅନିର୍ଦ୍ଦିଷ୍ଟ କାଳ ପାଇଁ ପୁରୀକୁ ବସ୍ ଚଳାଚଳ ବନ୍ଦ : ପିପିଲିରେ ୩ଟି ବସ୍ ଜାଳିଦେବା ପ୍ରତିବାଦରେ ଭୁବନେଶ୍ୱର ବସ୍ ମାଲିକ ସଂଘର ବନ୍ଦ ନିଷ୍ପତ୍ତି

26

କନକ ବ୍ୟୁରୋ : ପୁରୀକୁ ଚଳାଚଳ କରୁଥିବା ସମସ୍ତ ବସ୍ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ରହିଛି । ପିପିଲିରେ ଦୁର୍ଘଟଣାକୁ କେନ୍ଦ୍ରକରି ୩ଟି ବସକୁ ପୋଡିଦେବା ଘଟଣାର ପ୍ରତିବାଦରେ ଭୁବନେଶ୍ୱର ବସ୍ ମାଲିକ ସଂଘ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି । ସଂଘର ନିଷ୍ପତ୍ତି ଅନୁଯାୟୀ ସୋମବାର ମଧ୍ୟରାତ୍ରରୁ ପୁରୀକୁ ସମସ୍ତ ବସ୍ ଚଳାଚଳ ବନ୍ଦ ରହିଛି । ୩ଟି ବସକୁ ପୋଡିବା ସହ ୨ଟି ବସରେ ଭଙ୍ଗାରୁଜା ଫଳରେ ପ୍ରାୟ ୫୦ ଲକ୍ଷ ଟଙ୍କା କ୍ଷତି ହୋଇଥିବା ଭୁବନେଶ୍ୱର ବସ୍ ମାଲିକ ସଂଘ ଅଭିଯୋଗ କରିଛି ।

ତୁରନ୍ତ ବସପୋଡିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ବସ୍ ମାଲିକ ସଂଘ ଦାବି କରିଛି । ଏହା ସହ କ୍ଷତିଗ୍ରସ୍ତ ବସ୍ ମାଲିକଙ୍କୁ କ୍ଷତିପୂରଣ ମଧ୍ୟ ଦାବି କରାଯାଇଛି । ସୋମବାର ସକାଳୁ ପିପିଲି ହାଟଛକରେ ଘଟିଥିଲା ଏହି ଦୁର୍ଘଟଣା । ବସ୍ ଦୁର୍ଘଟଣାରେ ଦମ୍ପତିଙ୍କ ମୃତ୍ୟୁ ପରେ ଦୁର୍ଘଟଣା ଘଟାଇଥିବା ବସ୍ ସମେତ ୩ଟି ବସକୁ ପୋଡି ପାଉଁଶ କରିଦେଲେ ଉତ୍ତ୍ୟକ୍ତ ଲୋକ । ହଜାରେରୁ ଅଧିକ ଲୋକଙ୍କ ଆକ୍ରୋଶରେ ଏକପ୍ରକାର ରଣକ୍ଷେତ୍ର ପାଲଟିଲା ପିପିଲି ଜାତୀୟ ରାଜପଥ । ପରିସ୍ଥିତି ଶାନ୍ତ କରିବାକୁ ଆସିଥିବା ପୋଲିସକୁ ବାଡେଇବା ସହ ଟେକା ପଥର ମାଡ କରିଥିଲେ ଉତ୍ତ୍ୟକ୍ତ ଲୋକେ ।