କୋରାପୁଟ କୋଟିଆ ଗାଁକୁ ଗଡ଼ିଲା ବସ । ଓଡ଼ିଶା ଗାଁରେ ପଡ଼ୋଶୀର ଆଖି ପଡ଼ିଲା ପରେ ଭାଙ୍ଗିଲା ସରକାରଙ୍କ ନିଦ

44

କନକ ବ୍ୟୁରୋ : କୋଟିଆକୁ ଗଡିଲା ବସ୍ । ଆନ୍ଧ୍ର ଓଡ଼ିଶା ସୀମାନ୍ତ କୋଟିଆ ଗାଁକୁ ବହୁ ପ୍ରତିକ୍ଷିତ ବସ୍ ସେବା ଆରମ୍ଭ ହୋଇଛି । ଏହି ସରକାରୀ ବସ୍ ପ୍ରତିଦିନ ତଳଗୋଲୁରୁ ରୁ କୋଟିଆ ଓ କୋଟିଆରୁ ତଳଗୋଲୁରୁ ଯାଏଁ ଯାତ୍ରୀଙ୍କୁ ନେଇ ଯିବ । ପଟାଙ୍ଗୀ ବିଧାୟକ ପ୍ରଫୁଲ୍ଲ କୁମାର ପାଙ୍ଗୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି ।

କୋରାପୁଟର ଆଦିବାସୀ ଅଧ୍ୟୁଷିତ କୁଟିଆ ପଂଚାୟତର ୨୧ଟି ଗାଁ ଉପରେ ଏବେ ଆନ୍ଧ୍ର ସରକାରଙ୍କ ନଜର ରହିଛି । ଅନୁନ୍ନତ ଅଂଚଳର ଲୋକଙ୍କୁ ପ୍ରଲୋଭିତ କରିବା ପାଇଁ ଗତ କିଛି ଦିନ ତଳେ ସ୍ଥାନୀୟ ଅଂଚଳରେ ଆନ୍ଧ୍ର ସରକାର, କମ୍ବଳ, ପଲିଥିନ ଓ ଟର୍ଚ୍ଚ ବାଂଟିଥିଲେ । ଏପରିକି ସୀମା ବିବାଦକୁ ନେଇ ୧୯୬୮ରୁ ସୁପ୍ରିମକୋର୍ଟରେ ମାମଲା ବିଚାରାଧୀନ ରହିଛି । ତଥାପି ଆନ୍ଧ୍ର ପ୍ରଶାସନ ଓଡିଶା ମାଟିରେ ଆସି ସରକାରୀ ଯୋଜନା ଚଳାଇବାକୁ ନେଇ ଚର୍ଚ୍ଚାରେ ଅଛି କୋଟିଆ ।

ଆନ୍ଧ୍ର ସୀମାରେ ଥିବା କୋଟିଆ ଗ୍ରାମ ପଞ୍ଚାୟତକୁ ଯାଇ ଆଜି ସ୍ଥିତି ଅନୁଧ୍ୟାନ କରିଥିଲେ ପଟାଙ୍ଗୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଫୁଲ୍ଲ ପାଙ୍ଗୀ। କୋଟିଆ ପଞ୍ଚାୟତର ବିଭିନ୍ନ ଗାଁକୁ ଯାଇ ଲୋକଙ୍କ ସହ ଆଲୋଚନା କରିଥିଲେ । ତାଙ୍କ ସହ ପୂର୍ବତନ ବିଧାୟକ ରଘୁରାମ ପଡାଲ ଓ କିଛି ଅଧିକାରୀ ମଧ୍ୟ ଯାଇଥିଲେ।

ଲୋକଙ୍କ ଅଭାବ, ଅସୁବିଧା ପଚାରି ବୁଝିବା ପରେ ଏହି ଅଂଚଳକୁ ଏକ ବସ ଚଳାଇବାକୁ ବିଧାୟକ ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଏ ଦିଗରେ ପଦକ୍ଷେପ ନିଆଯିବ ବୋଲି ବିଧାୟକ ଲୋକଙ୍କୁ କହିଥିଲେ। ଏହା ସହ ଏହି ଅଂଚଳରେ ଚାଲିଥିବା ବିକାଶମୂଳକ କାମର ଅନୁଧ୍ୟାନ କରିଥିଲେ। ଅପରପକ୍ଷରେ ‘ଆମ କୋଟିଆ’ ସଂଗଠନ ମଧ୍ୟ କୋଟିଆ ଯାଇ ସେଠାରୁ ତଥ୍ୟ ସଂଗ୍ରହ କରିଥିଲେ ।

ପୂର୍ବତନ ଜିଲ୍ଲାପାଳ ଗଦାଧର ପରିଡାଙ୍କ ଅଧ୍ୟକ୍ଷତାରେ ଏହି ଟିମରେ ପୂର୍ବତନ ମନ୍ତ୍ରୀ ଜୟରାମ ପାଙ୍ଗୀ, ପଟାଙ୍ଗୀ ବ୍ଲକ ଅଧ୍ୟକ୍ଷ ଜଗତଜ୍ୟୋତି ପାଙ୍ଗୀ, ଆଇନଜୀବୀ ଗୁପ୍ତେଶ୍ୱର ପାଣିଗ୍ରାହୀ, ଅଜିତ ପାତ୍ର ଓ ସାନ୍ତାକାର ପ୍ରମୁଖ ଯାଇଥିଲେ। ଏହି ଟିମ ଲୋକଙ୍କ ଜୀବନ ଜୀବିକା ପରଖିବା ସହ ସେମାନଙ୍କ ମୌଳିକ ସମସ୍ୟା ସଂପର୍କରେ ତଥ୍ୟ ସଂଗ୍ରହ କରିଥିଲା। ଓଡ଼ିଶାରୁ ଉପଯୁକ୍ତ ସୁବିଧା ସୁଯୋଗ ଓ ସେବା ପାଇଲେ ସେମାନେ ଓଡ଼ିଶାରେ ରହିବାକୁ ପସନ୍ଦ କରିବେ ବୋଲି କହିଥିଲେ।