ମାର୍ଚ୍ଚ ୧୪ରୁ ବସ୍ ଚଳାଚଳ ବନ୍ଦ ! ଘରୋଇ ବସ୍ ମାଲିକ ସଂଘର ଘୋଷଣା

54

କନକ ବ୍ୟୁରୋ: ରାଜ୍ୟ ସରକାର ଘରୋଇ ବସ୍ ମାଲିକ ସଂଘକୁ ଦେଇଥିବା ପ୍ରତିଶ୍ରୁତିକୁ ୩ ମାସ ବିତିଲାଣି । ମାତ୍ର ଦାବି ପୂରଣ ନେଇ କୌଣସି ପଦକ୍ଷେପ ଗ୍ରହଣ କରି ନାହାନ୍ତି ସରକାର । ତେଣୁ ରାଜ୍ୟ ସରକାର ତୁରନ୍ତ ଦାବି ପୂରଣ ନ କରନ୍ତି ତେବେ ଆସନ୍ତା ମାସ ୧୪ତାରିଖରୁ ରାଜ୍ୟରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଚେତାବନୀ ଦେଇଛି ଘରୋଇ ବସ୍ ମାଲିକ ସଂଘ ।

ଗତ ମାସ ୯ତାରିଖରେ ସମ୍ବଲପୁରରେ ସଂଘର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଗତବର୍ଷ ଅକ୍ଟୋବର ୨୭ତାରିଖରେ ରାଜ୍ୟ ସରକାରଙ୍କ ସହିତ ସଂଘର ହୋଇଥିବା ଆଲୋଚନାକୁ ଗୁରୁତ୍ୱ ଦିଆଯାଇଥିଲା । ସଂଘର ସଭାପତି ପ୍ରକାଶ ମିଶ୍ରଙ୍କ ସଭାପତିତ୍ୱରେ ଏହି ବୈଠକ ଅନୁଷ୍ଠିତ ହୋଇଥିଲା । ସଂଘର ଦାବି ମଧ୍ୟରେ ରହିଛି, ସିଟି ବସ୍ ଚଳାଚଳ ନେଇ ସରକାରଙ୍କ ପକ୍ଷରୁ କୌଣସି ସୀମା ନିର୍ଧାରଣ କରାଯାଇ ନ ଥିବାରୁ ଏହାର ପ୍ରଭାବ ଯାତ୍ରୀବାହୀ ବସ୍ ପରିବହନ ଉପରେ ପଡ଼ୁଛି । ଯାହାକି ଘରୋଇ ବସ୍ ମାରଣ ନୀତି ସଦୃଶ ହୋଇଛି । ରାଜ୍ୟର ପ୍ରମୁଖ ରାସ୍ତାଗୁଡ଼ିକରେ ସ୍ଥାପିତ ହୋଇଥିବା ଟୋଲଗେଟଗୁଡ଼ିକରେ ଟୋଲ ଫି’ଆଦାୟକୁ ଘରୋଇ ଯାତ୍ରୀବାହୀ ବସକୁ ଛାଡ଼ କରାଯାଉ । ଯାହାଫଳରେ ସାଧାରଣ ଯାତ୍ରୀଙ୍କ ଉପରୁ ଯାତ୍ରୀ ଭଡ଼ା କମିପାରିବ । ମୋଟର ଯାନ ଟିକସ ବୃଦ୍ଧିକୁ ସନ୍ତୁଳିତ ଭାବେ କମାଇବା ପ୍ରସ୍ତାବ କାର୍ଯ୍ୟକାରୀ ହୋଇପାରି ନ ଥିବାରୁ ବୈଠକରେ କର୍ମକର୍ତା ଅସନ୍ତୋଷ ପ୍ରକାଶ କରିଥିଲେ ।

ସେହିପରି ବସ୍ ଗୁଡ଼ିକ ଉପରେ ବର୍ଦ୍ଧିତ ବୀମା ରାଶି ଉପରେ କେନ୍ଦ୍ର ସରକାରଙ୍କୁ ବୀମା ରାଶି କମାଇବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଅନୁରୋଧ କରିବା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଏହାସହ ବେଆଇନଭାବେ ଚଳାଚଳ କରୁଥିବା ଓ ଯାତ୍ରୀମାନଙ୍କୁ ବେଆଇନଭାବେ ପରିବହନ କରୁଥିବା ଛୋଟ ଗାଡ଼ିକୁ ତୁରନ୍ତ ବନ୍ଦ କରାଯାଉ। ଯାତ୍ରୀବାହୀ ବସ୍ ପରମିଟ୍ ମାଲିକାନା ପରିବର୍ତନ ପ୍ରସ୍ତାବ ଦୀର୍ଘଦିନରୁ ପାରିତ ହେବାକୁ ଥିବା ବେଳେ ବିଭିନ୍ନ ଆଳ ଦେଖାଇ ଏହାକୁ କାର୍ଯ୍ୟକାରୀ କରାଯାଉନାହିଁ । ରାଜ୍ୟର ବିଭିନ୍ନ ମାର୍ଗରେ ନୂତନ ପରମିଟ୍ ପୂର୍ବରୁ ଏହି ମାର୍ଗରେ ସନ୍ତୁଳିତ ସମୟସାରଣୀ ନିର୍ଧାରଣ କରିବା ପରେ ନୂତନ ପରମିଟ୍ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯିବାକୁ ସଂଘ ଦାବି କରିଛି ।