ପୁଣି ଧମକାଇଲେ ବସ୍ ମାଲିକ ! ୧୪ତାରିଖ ସୁଦ୍ଧା ଦାବି ପୂରଣ ନ ହେଲେ ବସ୍ ଚଳାଚଳ ବନ୍ଦ

43

କନକ ବ୍ୟୁରୋ: ରାଜ୍ୟ ବସ ମାଲିକ ସଂଘ ଦାବି ପୂରଣ ନେଇ ସରକାରଙ୍କୁ ପୁଣି ଧମକାଇଛି। ଦାବି ପୂରଣ ନ ହେଲେ ଆସନ୍ତା ୧୪ ତାରିଖରୁ ସମଗ୍ର ରାଜ୍ୟରେ ବସ ଚଳାଚଳ ବନ୍ଦ କରି ଧର୍ମଘଟକୁ ଓହ୍ଲାଇବ । ୨୦୧୮ ଫେବୃୟାରୀ ୧୯ ତାରିଖରେ ୯ ଦଫା ଦାବି ନେଇ ସଂଘ ପକ୍ଷରୁ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ପରିବହନ ସଚିବଙ୍କୁ ସ୍ମାରକପତ୍ର ଦିଆଯାଇଛି । ଏ ପର୍ଯ୍ୟନ୍ତ ଦାବି ପୂରଣ ଦିଗରେ କୌଣସି ପଦକ୍ଷେପ ନିଆଗଲା ନାହିଁ । ଆସନ୍ତା ୯ ତାରିଖରେ ସଂଘର ଜରୁରୀ ବୈଠକ ଡକାଯାଇଛି । ବୈଠକରେ ସରକାରଙ୍କ ଉଦାସୀନତା ଓ ଆଗାମୀ ରଣନୀତି ନେଇ ଆଲୋଚନା ହେବ । ସରକାର ଦାବି ନ ମାନିଲେ ବାଧ୍ୟ ହୋଇ ଧର୍ମଘଟକୁ ଓହ୍ଲାଇବୁ ବୋଲି ସଂଘର ମୁଖପାତ୍ର ଦେବାଶିଷ ନାୟକ କହିଛନ୍ତି ।

ସଂଘର କହିବାନୁଯାୟୀ, ଗତବର୍ଷ ଅକ୍ଟୋବର ମାସରୁ ବିଭିନ୍ନ ସମୟରେ କର୍ତୃପକ୍ଷଙ୍କ ନିକଟରେ ସଂଘ ଆଲୋଚନା କରି ଆସିଛି । ଆଲୋଚନାରେ ପ୍ରତିଶ୍ରୁତି ମିଳିବା ପରିପ୍ରେକ୍ଷୀରେ ଗତମାସ ୯ତାରିଖରେ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ପରବର୍ତୀ ସମୟରେ ସଂଘର କର୍ମକର୍ତାମାନେ ଗତ ମାସ ୧୯ତାରିଖରେ ମୁଖ୍ୟମନ୍ତ୍ରୀ, ପରିବହନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ ଓ ପରିବହନ ଆୟୁକ୍ତଙ୍କୁ ଭେଟି ସଂଘର ଦାବି ପୂରଣ କରିବା ପାଇଁ ଅନୁରୋଧ କରିଥିଲେ । ଯଦି ଆସନ୍ତା ୧୪ତାରିଖ ସୁଦ୍ଧା ରାଜ୍ୟ ସରକାର ସଂଘର ଦାବି ପୂରଣ କରିବା ଦିଗରେ କୌଣସି ପଦକ୍ଷେପ ନ ନିଅନ୍ତି ତେବେ ଅନିର୍ଦ୍ଦିଷ୍ଟ କାଳ ପାଇଁ ରାଜ୍ୟରେ ବସ୍ ଚଳାଚଳ ବନ୍ଦ ରହିବ ବୋଲି ଚେତାବନୀ ଦିଆଯାଇଛି ।