ବସ ଯାତ୍ରୀଙ୍କୁ ମହଙ୍ଗା ମାଡ଼ ! ବଢ଼ିଲା ଘରୋଇ ବସ ଭଡ଼ା, ଜାଣନ୍ତୁ କେଉଁ ବସ ପାଇଁ ବଢ଼ିଲା କେତେ ଭଡ଼ା

38

କନକ ବ୍ୟୁରୋ : ପୁଣି ବଢ଼ିଲା ବସ ଭଡ଼ା । ଅଡ଼ିନାରୀ ଓ ଏକ୍ସପ୍ରେସ ବସ କି.ମି ପ୍ରତି ୨ ପଇସା ବଢ଼ିଥିବା ବେଳେ ଡିଲକ୍ସ ଓ ଏସି ଡିଲକ୍ସ ବସ ଭଡ଼ା କି.ମି ପ୍ରତି ୪ ପଇସା ବଢ଼ିଛି । ଯାହାର ସିଧାସଳଖ ପ୍ରଭାବ ଏବେ ସାଧାରଣ ଯାତ୍ରୀଙ୍କ ଉପରେ ପଡ଼ିବ । ଦିନକୁ ଦିନ ପେଟ୍ରୋଲ ଓ ଡ଼ିଜେଲ ଦର ବଢ଼ୁଥିବାରୁ ବସ ଭଡ଼ାରେ ବୃଦ୍ଧି କରାଯାଇଛି । ଆଉ ଏହି ମହଙ୍ଗା ମାଡ଼ର ସିଧାସଳଖ ପ୍ରଭାବ ବସ ଯାତ୍ରୀଙ୍କ ପକେଟ ଉପରେ ପଡ଼ିଛି ।

ପୂର୍ବରୁ ଏକ୍ସପ୍ରେସ ବସର ଭଡ଼ା ୭୧ ପଇସା ଥିବାବେଳେ ଏବେ ଏହା କି.ମି ପ୍ରତି ୨ ପଇସା ବୃଦ୍ଧି ଘଟି ୭୩ ପଇସାରେ ପହଞ୍ଚିଛି ।ସେହିଭଳି ଅଡ଼ିନାରୀ ବସ ଭଡ଼ା ୬୮ ପଇସାରୁ ୨ ପଇସା ବଢ଼ି ୭୦ ପଇସାରେ ପହଞ୍ଚିଛି । ଅନ୍ୟପଟେ ଏସି ଡ଼ିଲକ୍ସରେ ଯାତ୍ରା କରୁଥିବା ଯାତ୍ରୀ ଏଣିକି କି.ମି ପ୍ରତି ୪ ପଇସା ଅଧିକ ଗଣିବେ । ଏସି ଡିଲକ୍ସର ଭଡ଼ା ୪ ପଇସା ବୃଦ୍ଧି ପାଇ ୧.୨୩ ପଇସାରେ ପହଞ୍ଚିଛି । ସେହିଭଳି ଡିଲକ୍ସ ବସ ଭଡ଼ା ୯୭ ପଇସା ଥିବା ବେଳେ ୪ ପଇସା ବଢ଼ି ୧ ଟଙ୍କା ବ ପଇସାରେ ପହଞ୍ଚିଛି । ଏନେଇ ଘରୋଇ ବସ ମାଲିକ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ ସୂଚନା ଦେଇଛନ୍ତି ।