ପୁଣି ଘାଟିରୁ ଖସିପଡିଲା ଯାତ୍ରୀବାହୀ ବସ: ଜଣେ ମୃତ, ୩୦ ଆହତ

699

କନକ ବ୍ୟୁରୋ: ଘାଟିରୁ ଖସିଲା ଯାତ୍ରୀବାହୀ ବସ । ଦିଗପହଣ୍ଡିର ତପ୍ତପାଣି ଘାଟିରୁ ତଳକୁ ଖସି ପଡିଲା ବସ୍ । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବସରେ ବସଥିବା ପାଖାପାଖି ୩୦ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ତେବେ ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଦିଗପହଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବସଟି ରାୟଗଡାରୁ ବ୍ରହ୍ମପୁର ଆସୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହୋଇଛି ।

ସୂଚନା ଅନୁସାରେ ବସ୍‌ଟି ରାୟଗଡ଼ାରୁ ବ୍ରହ୍ମପୁର ଆସୁଥିଲା। ବସ୍‌ ଚାଳକ ନିୟନ୍ତ୍ରଣ ହରାଇବାରୁ ଏହା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲା। ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଂଚିଛି। ସ୍ଥାନୀୟ ଲୋକଙ୍କର ସହାୟତରେ ସମସ୍ତ ଆହତଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ତେବେ ପୂର୍ବରୁ ମଧ୍ୟ ଏଭଳି ଦୁର୍ଘଟଣା ଘଟିଥିବା ନଜର ରହିଛି। ଘାଟିର ମୁର୍ଗାବିହାର ନିକଟରେ ୨୦୧୮ ଜୁନ ୧୩ରେ ଏକ ଦୁର୍ଘଟଣାରେ ଜଣେ ଲୋକଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣ ଆହତ ହୋଇଥିଲେ। ସେହିଭଳି ୨୦୧୮ ଡିସେମ୍ବର ୩୦ରେ ହୋଇଥିବା ସଡ଼କ ଦୁର୍ଘଟଣାରେ ୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଆହତ ହୋଇଥିଲେ।