ଢେଙ୍କାନାଳ ହିନ୍ଦୋଳ ନିକଟରେ ସଡକ ଦୁର୍ଘଟଣା : ଭାରସାମ୍ୟ ହରାଇ ଧାନ ବିଲ ଭିତରକୁ ଓଲଟିଲା ବସ୍, ୫ ଜଣ ଗୁରୁତର ଓ ୩୦ରୁ ଅଧିକ ଆହତ

332

କନକ ବ୍ୟୁରୋ : ଢେଙ୍କନାଳ ଜିଲ୍ଲାର ହିନ୍ଦୋଳ ଥାନା ପଡ଼ା ଛକରେ ନିକଟରେ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ରାସ୍ତାରୁ ଖସି ଧାନ ବିଲ ଭିତରକୁ ଓଲଟିଲା ଯାତ୍ରୀବାହୀ ବସ୍ । ଏଥିରେ ୩୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ୫ ଜଣକ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତଙ୍କୁ ଉଦ୍ଧାର ପରେ ହିନ୍ଦୋଳ ଓ ଖଜୁରିଆକଟା ଡାକ୍ତରଖାନାରେ ଭର୍ତି କରାଯାଇଛି । ବସଟି ସଂବଲପୁରରୁ ଭୁବନେଶ୍ୱର ଆସୁଥିବା ବେଳେ ହିନ୍ଦୋଳ ପଡା ଛକ ନିକଟରେ ଦୁର୍ଘଟଣାର ଶିକାର ହୋଇଥିଲା । ବସ୍ ରେ ପ୍ରାୟ ୬୦ ଜଣ ଯାତ୍ରୀ ଯାତ୍ରା କରୁଥିବା ଜଣାପଡିଛି ।

ସୂଚନା ଅନୁଯାୟୀ, ଆଜି ସକାଳେ ସମ୍ବଲପୁରରୁ ଭୁବନେଶ୍ବର ଯାଉଥିଲା ମା ପ୍ରମୋଦା ନାମକ ଏକ ଘରୋଇ ବସ୍ ।  ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳର ଥାନା ପଡ଼ାଛକରେ ଘରୋଇ ବସ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଛି । ‘ପ୍ରମୋଦା’ ବସ ଆଜି ଭୋର ସକାଳୁ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଫଳରେ ଏଥିରେ ଥିବା ଯାତ୍ରୀମାନଙ୍କ ମଧ୍ୟରୁ ୩୫ ଜଣ ଆହତ ହୋଇଥିଲେ । ସମସ୍ତ ଯାତ୍ରୀ ବସଟି ଓଲଟି ପଡ଼ିବାରୁ ଗୁରୁବାର ଭୋର ସକାଳୁ ଆହତ ହୋଇଥିବା ସୂଚନା ମିଳିଛି । ଆହତମାନଙ୍କୁ ପ୍ରଥମେ ସ୍ଥାନୀୟ ହିନ୍ଦୋଳ ଓ ଖଜୁରିଆକଟା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରାଯାଇଛି । ଗୁରୁତରମାନଙ୍କୁ କଟକ ବଡ଼ ଡାକ୍ତରଖାନା ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି ।