ଆଠମଲ୍ଲିକରେ ମର୍ମନ୍ତୁଦ ବସ୍ ଦୁର୍ଘଟଣା : ୨୦ ମୃତ, ୩୦ରୁ ଅଧିକ ଆହତ ସୂଚନା

35

ଅନୁଗୁଳ : ଆଠମଲ୍ଲିକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ମାଣତ୍ରୀ ପୋଲରୁ ୫୦ ଫୁଟ ତଳକୁ ଖସିପଡିଲା ବସ । ଦୁର୍ଘଟଣାରେ ୧୫ ଜଣଙ୍କର ମୃତ୍ୟୁ ହୋଇଥିବା ଅନୁଗୁଳ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେପଟେ କଂଟ୍ରୋଲ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ୨୦ ଜଣଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ୧୪ ଓ ମେଡିକାଲରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 

ମୃତକଙ୍କ ମଧ୍ୟରେ ୪ଜଣ ସ୍କୁଲ ଛାତ୍ରଛାତ୍ରୀ ମଧ୍ୟ ଥିବା ସୂଚନା ମିଳିଛି । ଆହତ ୩୦ଜଣଙ୍କୁ ଆମ୍ବୁଲାନ୍ସ ଜରିଆରେ ଆଠମଲ୍ଲିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଛି । ତେବେ ସେମାନଙ୍କ ମଧ୍ୟରୁ ୧୫ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କୁ କଟକ ଓ ଅନୁଗୁଳ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି । ମୃତାହତଙ୍କ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କା କରାଯାଉଛି । 

ମହାରାଜ ନାମକ ଘରୋଇ ବସ୍ ବୌଦ୍ଧରୁ ଆଠମଲ୍ଲିକ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି।  ଆଠମଲ୍ଲିକ ପହଂଚିବାର ମାତ୍ର ୭କିଲୋମିଟର ପୂର୍ବରୁ ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ।

ଦୁର୍ଘଟଣାରେ ଉଦବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ତଦାରଖ ପାଇଁ ଜିଲ୍ଲାପାଳ ଓ ଏସ୍ପିଙ୍କ ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏହାସହ ଆହତଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ପାଇଁ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।