ଦୁର୍ଘଟଣାରେ ବାଇକ୍‌ ଆରୋହୀ ଗୁରୁତର । ଉତ୍ତ୍ୟକ୍ତ ଲୋକେ ଜାଳିଦେଲେ ବସ୍‌, ଚାଳକ ଅଟକ ।

444

କନକ ବ୍ୟୁରୋ : ଦୁର୍ଘଟଣା ଘଟାଇଥିବା ବସ୍‌କୁ ଉତ୍ତେଜିତ ଲୋକେ ଜାଳି ଦେଇଛନ୍ତି । କଟକ ଜିଲ୍ଲାର ନିଶ୍ଚିନ୍ତକୋଇଲି ଥାନା ନିକଟରେ ରବିବାର ସନ୍ଧ୍ୟାରେ ଏହି ଘଟଣା ଘଟିଛି । ସୂଚନା ଅନୁସାରେ କେନ୍ଦ୍ରାପଡ଼ାରୁ କଟକ ଅଭିମୁଖେ ଯାଉଥିବା ବସ୍‌ ‘ପପୁ’ ନିଶ୍ଚିନ୍ତକୋଇଲି ଥାନା ଠାରୁ ମାତ୍ର ଅଧ କିଲୋମିଟର ଦୂରରେ ଜଣେ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ କଟକ ଜିଲ୍ଲାର ମାହାଙ୍ଗା ଅଞ୍ଚଳର ବାଇକ୍‌ ଆରୋହୀ ଗୁରୁତର ହୋଇଥିଲେ । ତାଙ୍କୁ ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ କଟକ ବଡ଼ମେଡିକାଲ ସ୍ଥାନାନ୍ତର କରାଯାଇଛି ।

ସିଣ୍ଡିକେଟ ବ୍ୟାଙ୍କ ନିକଟରେ ଘଟିଥିବା ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ସଡ଼କ ଅବରୋଧ କରି ଉତ୍ତେଜନା ସୃଷ୍ଟି କରିଥିଲେ । ସେମାନେ ବସ୍‌ରେ ନିଆଁ ଲଗାଇଦେଇଥିଲେ । ପୁଲିସ ଉତ୍ତେଜିତ ଲୋକଙ୍କୁ ନିୟନ୍ତ୍ରଣ କରିବାକୁ ଉଦ୍ୟମ କରିଥିଲେ ମଧ୍ୟ ବିଫଳ ହୋଇଛି । ପୁଲିସ ଦୁର୍ଘଟଣା ଘଟାଇଥିବା ଚାଳକକୁ ଅଟକ ରଖି ପଚରାଉଚରା କରୁଛି । ରିପୋର୍ଟ ଲେଖାଯିବା ବେଳକୁ ପରିସ୍ଥିତି ନିୟନ୍ତ୍ରଣରେ ଅଛି ।