ବୋଲ ମାନିଲାନି ବସ ! ପୁରୀରୁ ଭୁବନେଶ୍ୱର ଆସୁଥିବା ଯାତ୍ରୀବାହୀ ବସର ବ୍ରେକ ଫେଲ୍, କଳ୍ପନା ଛକରେ ଗଛରେ ପିଟିହେଲା ବସ ।

68

କନକ ବ୍ୟୁରୋ : ଭୁବନେଶ୍ୱର ଜନଗହଳିପୂର୍ଣ୍ଣ ରାସ୍ତାରେ ବସ୍ ଦୁର୍ଘଟଣା । ପୁରୀରୁ ଭୁବନେଶ୍ୱର ଆସୁଥିବା ଏକ ଘରୋଇ ବସ୍, ଅଚାନକ୍ ବ୍ରେକ୍ ଫେଲ ହୋଇଯିବାରୁ ଦୁର୍ଘଟଣାଗସ୍ତ ହୋଇଛି । ହେଲେ ଡ୍ରାଇଭରଙ୍କର ଉପସ୍ଥିତ ବୁଦ୍ଧି ଯୋଗୁଁ ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ । ହେଲେ ଏହି ଦୁର୍ଘଟଣାରେ ୬ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ରାଜଧାନୀ ରାସ୍ତାରେ ଭାରସାମ୍ୟ ହରାଇଥିଲା ଯାତ୍ରୀବାହୀ ବସ । ତେବେ ଦୁର୍ଘଟଣା ହୋଇଥିଲେ ମଧ୍ୟ ଏକ ବଡ ଧରଣର ବିପଦ ଟଳି ଯାଇଛି । ହୁଏତ କିଛି ବି ଘଟି ଯାଇଥାନ୍ତା । ହେଲେ ଡ୍ରାଇଭର ଉପସ୍ଥିତି ବୁଦ୍ଧି ଯୋଗୁଁ ୫୦ରୁ ଅଧିକ ଯାତ୍ରୀଙ୍କ ଜୀବନ ବଂଚି ଯାଇଛି । ଅଳ୍ପକେ ବର୍ତି ଯାଇଛନ୍ତି ଯାତ୍ରୀ ।

ସ୍ଥାନ : କଳ୍ପନା ଛକ, ଭୁବନେଶ୍ୱର । ସମୟ : ପ୍ରାୟ ଦିନ ସାଢେ ୧୨ ଟା । ପୁରୀରୁ ଭୁବନେଶ୍ୱର ଅଭିମୁଖେ ଆସୁଥିବା ଏହି ଘରୋଇ ବସର ଅଚନାକ୍ ବ୍ରେକ୍ ଫେଲ ହୋଇଯାଇଥିଲା । କଳ୍ପନା ଭଳି ଏକ ଜନଗହଳି ପୂର୍ଣ୍ଣ ସ୍ଥାନରେ ବସ୍ ବ୍ରେକ୍ ଫେଲ ହୋଇଯିବା ପରେ ଯାତ୍ରୀଙ୍କୁ ବଂଚାଇବା ଯେତିକି ବଡ ଚ୍ୟାଲେଂଜ୍ ଥିଲା, ରାସ୍ତା ଉପରେ ଯାଉଥିବା ଲୋକଙ୍କ ଗାଡି ଚଢ଼ିବାର ବି ଆଶଙ୍କା  ସୃଷ୍ଟି ହୋଇଥିଲା । ଆଉ ଏହି ଘଡି ସନ୍ଧି ମୁହୁର୍ତରେ ରାସ୍ତାକଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲା ବସ୍ । ଗଛକୁ ଲାଗି ରହିଥିବା ପିଣ୍ଡି ଏବଂ ଲୁହା ବାଡରେ ବସଟି ଧକ୍କା ହୋଇ ଅଟକି ଯାଇଥିଲା ।

ଧକ୍କା ହେବା ପରେ ଭୟଭୀତ ଥିବା ଯାତ୍ରୀଙ୍କୁ ବସ୍ ଭିତରୁ ବାହାର କରିବା ଏକ ବଡ ଆହ୍ୱାନ ସୃଷ୍ଟି କରିଥିଲା । ଅଗ୍ନିଶମ ବିଭାଗର କର୍ମଚାରୀମାନେ ପହଂଚି ବସ୍ ଭିତରେ ଫଶି ରହିଥିବା ଯାତ୍ରୀଙ୍କୁ କାଚ ଝରକା ଦେଇ ବାହାରକୁ ବାହାର କରିଥିଲେ । ହେଲେ ସେତେବେଳକୁ ୭ ଜଣ ଆହତ ହୋଇସାରିଥିଲେ । ସେମାନଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଥିଲା । ଏବେ ପ୍ରଶ୍ନ ଉଠୁଛି  ଅଚାନକ୍ ବ୍ରେକ୍ ଫେଲ ହୋଇଯାଇଥିବା ଏହି ବସର ଫିଟନେସ୍ ଥିଲା ନା ନାହିଁ ? ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ଯାତ୍ରା କରୁଥିଲେ କି ? ତେବେ ଏସବୁ ଅନେକ ଦୃଷ୍ଟିକୁ ନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।