ଦ୍ରୁତ ଗତି ପାଇଁ ଘଟିଲା ଦୁର୍ଘଟଣା ! ୯୦ରୁ ୧୦୦ କିଲୋମିଟର ବେଗରେ ଯାଉଥିଲା ବସ୍ ।

340

କନକ ବ୍ୟୁରୋ : ଦ୍ରୁତ ଗତି ମହାବିପତି । ଆପଣ ହଜାର ହଜାର ଥର ଏହି ସ୍ଲୋଗାନ ଶୁଣିଛନ୍ତି । ରାସ୍ତାରେ ଗାଡି ଚାଳକଙ୍କ ପାଇଁ ମଧ୍ୟ ପ୍ରତି ସ୍ଥାନରେ ସାଇନବୋର୍ଡ ଲାଗିଛି । ହେଲେ ଶୁଣୁଛି କିଏ । ଗତକାଲି ମହାନଦୀ ବ୍ରିଜ୍ ଉପରେ ଘଟିଥିବା ମର୍ମନ୍ତୁଦ ବସ୍ ଦୁର୍ଘଟଣା ପଛର କାରଣ, ବସର ଦ୍ରୁତ ଗତି ବୋଲି ଜଣାପଡିଛି । ଦୁର୍ଘଟଣା ସମୟରେ ବସରେ ଥିବା ଯାତ୍ରୀ କହିଛନ୍ତି, ୯୦ ରୁ ୧୦୦କିଲୋମିଟର ସ୍ପିଡରେ ଗାଡି ଚଳାଉଥିଲେ ଡ୍ରାଇଭର ।

ମଙ୍ଗଳବାରର କାଳ ସନ୍ଧ୍ୟା । ଜଗତପୁର ପଟୁ ତାଳଚେର ବଲଣ୍ଡାରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ଯାତ୍ରୀବାହୀ ବସ୍ ଜଗନ୍ନାଥ । ଅତି ଦ୍ରୁତ ଗତିରେ ବସ୍ ଚଳାଉଥାନ୍ତି ଡ୍ରାଇଭର । ଆଗରେ ହମ୍ପସ୍ ପଡୁଥିଲେ ବି ବେଗ କମିନଥିଲା । ହମ୍ପସଗୁଡିକୁ ଡେଇଁ ଡେଇଁ ଆଗକୁ ମାଡି ଚାଲୁଥିଲା ବସ୍ । ଯାତ୍ରୀମାନଙ୍କ ମନରେ ଖେଳି ଯାଇଥିଲା ଅଜଣା ଭୟ । ଏପରିକି ସ୍ପିଡ୍ କମ କରିବା ପାଇଁ କିଛି ଯାତ୍ରୀ ଡ୍ରାଇଭରକୁ କହୁଥାନ୍ତି । ମାତ୍ର ଏଥିପ୍ରତି ପରୱା କରିନଥିଲେ ଡ୍ରାଇଭର । ପ୍ରାୟ ୯୦ରୁ ୧୦୦ କିଲୋମିଟର ଛୁଇଁଥିଲା ସ୍ପିଡୋମିଟରର କଂଟା । ଆଉ ଏହା ପରେ ଘଟିଲା ସେହି ଲୋମଟାଙ୍କୁରା ଘଟଣା ।

ସନ୍ଧ୍ୟା ପ୍ରାୟ ୫ଟା ୪୬ । ସ୍ଥାନ – ମହାନଦୀ ବ୍ରିଜ୍ । ହଠାତ୍ ବସ୍ ଆଗରେ ମଇଁଷୀ ଦେଖି ଚମକି ପଡିଥିଲେ ଡ୍ରାଇଭର । ବସ୍ ଏତେ ସ୍ପିଡରେ ଥିଲା ଯେ ନିୟନ୍ତ୍ରଣ କରିବା ପାଇଁ ବାଟ ନଥିଲା । ସବୁକିଛି ଘଟିଥିଲା ଆଖି ପିଛୁଳାକ ସମୟ ଭିତରେ । କେହି କିଛି ବୁଝିବା ପୂର୍ବରୁ ମଇଁଷୀକୁ ଧକ୍କା ଦେଇ ବ୍ରିଜ୍ ବାଡ ଭାଙ୍ଗି ପୋଲ ତଳକୁ ଖସି ପଡ଼ିଥିଲା ବସ୍ । ଆଉ ଘଟିଥିଲା ଅତି ହୃଦୟ ବିଦାରକ ଦୁର୍ଘଟଣା । ମାତ୍ର ୧୦ ମିନିଟରେ କଟକ ପହଁଚିଥାନ୍ତେ ଯାତ୍ରୀ, ହେଲେ ନିମିଷକ ମଧ୍ୟରେ ଚାଲିଗଲା ୧୦ ଜୀବନ । ଦ୍ରୁତଗତିରେ ଗାଡିଚାଳନା ହିଁ ଦୁର୍ଘଟଣାର ମୁଖ୍ୟ କାରଣ ବୋଲି କହିଛନ୍ତି ସେହି କାଳ ମୁହୁର୍ତର ସାକ୍ଷୀ ରହିଥିବା ଯାତ୍ରୀ ।

ଡ୍ରାଇଭର ନାଁରେ ମାମଲା ରୁଜୁ କରି ତନାଘନା ଆରମ୍ଭ କରିଛି ଜଗତପୁର ପୋଲିସ । ଦୁର୍ଘଟଣାରେ ଆହତଙ୍କ ମଧ୍ୟରୁ ଡ୍ରାଇଭର ସମେତ ୭ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି । ସେମାନଙ୍କ ମଧ୍ୟରୁ ୩ଜଣଙ୍କୁ ଟ୍ରୋମା ଆଇସିୟୁ ଓ ୪ଜଣଙ୍କୁ  ସେଂଟ୍ରାଲ ଆଇସିୟୁରେ ଭର୍ତି କରାଯାଇଛି । କଟକ ଡାକ୍ତରଖାନାରେ ୩୫ଜଣ ଚିକିତ୍ସିତ ହେଉଛନ୍ତି । ୮ଜଣ ଆହତଙ୍କୁ ଘରୋଇ ନର୍ସିଂହୋମକୁ ଚିକିତ୍ସା ପାଇଁ ପରିବାର ଲୋକ ନେଇଯାଇଥିବା ସୂଚନା ଦେଇଛନ୍ତି ମେଡିକାଲ କର୍ତୁପକ୍ଷ । 

କଟକ ମେଡିକାଲରେ ଚିକିତ୍ସିତ ଆହତଙ୍କୁ ଭେଟିଛନ୍ତି ରାଜ୍ୟପାଳ ଗଣେଶୀ ଲାଲ ଓ ପରିବହନ ମନ୍ତ୍ରୀ ନୃସିଂହ ସାହୁ । ଆହତଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ସରକାରଙ୍କ ପକ୍ଷରୁ ମାଗଣାରେ ସବୁ ଚିକିତ୍ସା ଯୋଗାଇଦିଆଯାଉଛି । ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି । ଆଗକୁ ଏଭଳି ଦୁର୍ଘଟଣା କିଭଳି ନଘଟେ ସେ ନେଇ ଦୃଢ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ମୃତକଙ୍କ ପୋଷ୍ଟମର୍ଟମ ପରେ ମରଶରୀରଙ୍କୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବା ବ୍ୟବସ୍ଥା କରାଯାଇଛି । ଦୁର୍ଘଟଣା ପରେ ଉଦ୍ଧାରକାର୍ଯ୍ୟରେ ପ୍ରମୁଖ ଭୂମିକା ତୁଲାଇଥିବା ଓଡ୍ରାଫ୍, ଅଗ୍ନଶମ ଟିମ୍ ଓ ସ୍ୱେଚ୍ଛାସେବୀଙ୍କୁ ପ୍ରଶଂସା କରିଛନ୍ତି ପୋଲିସ କମିସନର । ଦ୍ରୁତ ଗତି ଓ ବେପରୁୱା ଗାଡ଼ିଚାଳନା କିପରି ବିପତି ଘଟାଇଥାଏ, ଏହି ଲୋମଟାଙ୍କୁରା ଦୁର୍ଘଟଣା ପୁଣି ଥରେ ଚେତାଇ ଦେଇଛି ।