ଦୁର୍ଘଟଣାରେ ଚାଲିଗଲା ୩୩ ଜଣଙ୍କ ଜୀବନ । ୭୦ ରୁ ଅଧିକ ଆହତ, ମେଡିକାଲରେ ଚିକିତ୍ସା ପାଇଁ ଭର୍ତି

ଦୁର୍ଘଟଣାରେ ଚାଲିଗଲା ୩୩ ଜଣଙ୍କ ଜୀବନ

358

କନକ ବ୍ୟୁରୋ : ନେପାଳରେ ଏକ ସଡ଼କ ଦୁର୍ଘଟଣାରେ ଏକ କଲେଜର ୨ ଜଣ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମେତ ୨୩ ଜଣ ଛାତ୍ରଛାତ୍ରୀ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୧୪ ଜଣ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଡାଙ୍ଗ୍ ଜିଲ୍ଲା ପୁଲିସ ସୂତ୍ରରୁ ଜଣାଯାଇଛି ଯେ ୩୪ ଛାତ୍ରଛାତ୍ରୀ ଏବଂ ୨ ଜଣ ଶିକ୍ଷକ ଗତକାଲି ଏକ ବସ୍ ଯୋଗେ ସଲ୍ୟାନ୍ ଜିଲ୍ଲାର କାପୁରକୋଟକୁ ଏକ ଶିକ୍ଷାଗତ କାର୍ଯ୍ୟକ୍ରମ ପାଇଁ ଯାଇଥିଲେ। ତେବେ ସେଠାରୁ ଫେରିବା ସମୟରେ ବସଟି ରାମ ଗ୍ରାମ ନିକଟସ୍ଥ ୭୦୦ ମିଟର ଏକ ଗଭୀର ଖାତକୁ ଖସି ପଡ଼ିଥିଲା। ଫଳରେ ୨୩ ଜଣ ପ୍ରାଣ ହରାଇଛନ୍ତି। ଦୁର୍ଘଟଣାରେ ୫ ମହିଳାଙ୍କ ସମେତ ୧୪ ଜଣ ଆହତ ହୋଇଛନ୍ତି। ଡ୍ରାଇଭର ଜଣକ ଦ୍ରୁତ ଗତିରେ ଗାଡ଼ି ଚଳାଉଥିବାରୁ ଏଭଳି ଦୁର୍ଘଟଣା ଘଟିଥିବା ଆଶଙ୍କା କରାଯାଉଛି।

 

ସେପଟେ ଗୁଜରାଟର ଦାଙ୍ଗ୍ ଜିଲ୍ଲାରେ ଏକ ବସ୍ ଦୁର୍ଘଟଣାରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ୭୦ ଜଣ ଆହତ ହୋଇଛନ୍ତି। ବସଟି ପାହାଡ଼ିଆ ଅଞ୍ଚଳରେ ନିୟନ୍ତ୍ରଣ ହରାଇ ୨୦୦ ଫୁଟ୍ ତଳକୁ ଖସିପଡ଼ିବାରୁ ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ଘଟିଥିଲା। ଆହତଙ୍କ ମଧ୍ୟରୁ ୨୦ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ଏକ କୋଚିଂ ଇନଷ୍ଟିଚ୍ୟୁଟର ୭୫ ଜଣ ଛାତ୍ରଛାତ୍ରୀ ଏବଂ ୧୦ ଜଣ ଶିକ୍ଷକଙ୍କୁ ନେଇ ବସଟି ଦାଙ୍ଗରୁ ଫେରୁଥିଲା। ଦୁର୍ଘଟଣା ଘଟିବା ପରେ ସ୍ଥାନୀୟ ଲୋକେ ମୃତାହତଙ୍କୁ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ପରେ ପୁଲିସ ଓ ଏନଡିଆରଏଫ ଟିମ୍ ଉଦ୍ଧାରକାର୍ଯ୍ୟ ହାତକୁ ନେଇଥିଲେ।