ଅଜଗର ପାଇଲା ନୂଆ ଜୀବନ ! ୧୦ ମାସର ଚିକିତ୍ସା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେଲା ଏହି ବିରଳ ସାପ

43

କନକ ବ୍ୟୁରୋ : ଖାଦ୍ୟକୁ ଜଗି ବସିଛି ଖାଦକ । ନିଜେ ଶୀକାର କରିପାରୁଛି ନା ନାହିଁ ତାହାକୁ ପରୀକ୍ଷା କରିବା ପାଇଁ ଅଜଗରକୁ ଦିଆଯାଇଛି ଏକ ଠେକୁଆ । ନିମିଷକ ମଧ୍ୟରେ ଭୋକ ମେଂଟାଇବା ପାଇଁ ଅଜଗର କରୁଛି ଆକ୍ରମଣ । କିଛି ସମୟ ମଧ୍ୟରେ ନିଜ ଆହାର ଉପରେ ଅଧିକାର ଜାହିର କରୁଛି ଏହି ବିଶାଳ ସାପ ।

ଦୀର୍ଘ ୧୦ ମାସର ଚିକିତ୍ସା ପରେ ଡାକ୍ତରୀ ଦଳକୁ ମିଳିଛି ସଫଳତା । ଅଜଗର ଦେହରେ ହୋଇଥିବା ୧୧ଇଂଚର କ୍ଷତ ସମ୍ପୂର୍ଣ୍ଣ ଶୁଖିଯାଇଥିବାବେଳେ ସାପଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ । ଓୟୁଏଟିର ଚିକିତ୍ସକଙ୍କ କହିବା ଅନୁସାରେ ଏତେ କମ୍ ଦିନରେ ଅଜଗରର ଏହିଭଳି ଚିକିତ୍ସା ବିଶ୍ୱରେ ସର୍ବପ୍ରଥମ । କାରଣ ବନ୍ୟପ୍ରାଣୀଙ୍କ ଉପରେ ପ୍ରକାଶ ପାଉଥିବା ଜର୍ଣ୍ଣାଲରେ ଏମିତି ବିରଳ ଚିକିତ୍ସାର ଉଲ୍ଲେଖ ନାହିଁ ।

ଗତ ବର୍ଷ ନଭେମ୍ବର ମାସରେ ପୁରୀ ଜିଲ୍ଲା ବୀର ରାମଚନ୍ଦ୍ରପୁରରେ ମାଛ ଧରା ଜାଲରେ ପଡିଥିଲା ୯ଫୁଟର ଏହି ବର୍ମିଜ୍ ପାଇଥନ । ଜାଲରୁ ବାହାରିବାକୁ ଚେଷ୍ଟା କରିବା ବେଳେ ତା ଶରୀରରେ ସୃଷ୍ଟି ହୋଇଥିଲା ବିରାଟ କ୍ଷତ । ପରେ ସ୍ନେକ୍ ହେଲ୍ପ ଲାଇନର ସଦସ୍ୟ ତାକୁ ଚିକିତ୍ସା ପାଇଁ ଓୟୁଏଟିକୁ ଆଣିଥିଲେ । ଡାକ୍ତରୀଦଳ ଓ ସ୍ନେକ୍ ହେଲ୍ପ ଲାଇନର ଅକ୍ଲାନ୍ତ ଉଦ୍ୟମ ଫଳରେ ଏବେ ସାପଟି ସମ୍ପୂର୍ଣ୍ଣ ସୁସ୍ଥ ହୋଇଥିବା ବେଳେ ତାକୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଛଡାଯାଇଛି ।