ବୁୁର୍ଲା ଭିମସାରରେ ନିର୍ଦ୍ଦେଶକ ଓ ଜୁନିୟର ଡାକ୍ତର ସଂଘ ମୁହାଁମୁହିଁ : ନିର୍ଦ୍ଦେଶକଙ୍କୁ ହଟାଇବା ଦାବିରେ ଆଜି ଆନ୍ଦୋଳନକୁ ଓହ୍ଲାଇଲେ କନିଷ୍ଠ ଡାକ୍ତର

ଓପିଡି, ଆଇପିଡି ସେବା ବନ୍ଦ୍, ଜାରି ରହିବ ଜରୁରୀକାଳୀନ ସେବା 

84

କନକ ବ୍ୟୁରୋ : ପୁଣି ବୁର୍ଲା ମେଡିକାଲରେ ଜୁନିୟର ଡାକ୍ତର ସଂଘ ଆନ୍ଦୋଳନ ମୁହାଁ  । ନିର୍ଦ୍ଦେଶକଙ୍କୁ ହଟାଇବା ଦାବିରେ ଭିମସାର କନିଷ୍ଠ ଡାକ୍ତର ସଂଘ ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦେଇଥିବା ୪୮ ଘଂଟାର କଂଟ ଆଜି ସକାଳେ ଶେଷ ହୋଇଛି । ଅନ୍ୟପଟେ ତାଙ୍କୁ କେହି ଯୋଗାଯୋଗ କରିନଥିବାରୁ ଆଜି ଓପିଡି ଓ ଆଇପିଡି ସେବା ବନ୍ଦ କରିଥିବା ସୂଚନା ମିଳିଛି । ତେବେ ପରବର୍ତି ୪୮ଘଂଟା ଯାଏଁ ଜରୁରୀକାଳିନୀ ସେବା ଜାରି ରହିବ । ସେହି ସମୟ ଭିତରେ କୌଣସି କାର୍ଯ୍ୟାନୁଷ୍ଠାନ ନନିଆଗଲେ ସୋମବାର ଠାରୁ ପୂର୍ଣ୍ଣ କାର୍ଯ୍ୟବନ୍ଦ ଆନ୍ଦୋଳନ ବୋଲି  କନିଷ୍ଠ ଡାକ୍ତର ସଂଘ ପକ୍ଷରୁ କୁହାଯାଇଛି । ପୂର୍ବରୁ ୧୦ଦଫା ଦାବି ସମ୍ବଳିତ ଏକ ଦାବୀପତ୍ର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କୁ ଦେଇ ନିର୍ଦ୍ଦେଶକଙ୍କୁ ହଟାଇବା ଦାବି କରିଥିଲା ସଂଘ ।

ସେପଟେ ନିର୍ଦ୍ଦେଶକ ଘଟଣାକୁ ଅସ୍ୱୀକାର କରିବା ସହିତ ସମସ୍ତ ପ୍ରକାର ତଦନ୍ତକୁ ସାମ୍ନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି । ଆଗରୁ ମଧ୍ୟ ପଦରୁ ହଟାଇବା ପାଇଁ ଚକ୍ରାନ୍ତ କରିଥିବା ବେଳେ ସେହି ଗୋଷ୍ଠୀ ପୁଣି ଚକ୍ରାନ୍ତ କରୁଥିବାର ସେ ଅଭିଯୋଗ କରିଛନ୍ତି । ପୁଣିଥରେ ରାଜ୍ୟ ସରକାର ହସ୍ତକ୍ଷେପ ନକଲେ ସାଧାରଣ ଜନତା ଅସୁବିଧାର ସମ୍ମୁଖୀନ ହେବାର ଦେଖାଯାଇଛି ।  ଚଳିତବର୍ଷ ବୁର୍ଲା ମେଡିକାଲ କଲେଜ ୟୁନିଭରସିଟି ହୋଇ ସାରିଥିବା ବେଳେ ନିଜେ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଛି  । ଏଭଳି ସ୍ଥିତିରେ କିଛି ଗୋଷ୍ଠୀ ଭୟଭୀତ ହୋଇ ଏଭଳି ଆନ୍ଦୋଳନ ପାଇଁ ବାହାରିଥିବା କୁହାଯାଉଛି  ।