ନିଲମ୍ବିତ ହେଲେ ଷ୍ଟିଙ୍ଗ୍ ଅପରେସନରେ ଧରା ପଡିଥିବା ଡାକ୍ତର !

26

କନକ ବ୍ୟୁରୋ : ଭିମସାର ନିର୍ଦ୍ଦେଶକଙ୍କ ଷ୍ଟିଙ୍ଗ୍ ଅପରେସନରେ ଧରାପଡିଥିବା ଡାକ୍ତର କାର୍ଯ୍ୟରୁ ନିଲମ୍ବିତ । ଡ୍ୟୁଟି ସମୟରେ ଘରେ ରୋଗୀ ଦେଖୁଥିବା ଡାକ୍ତର ଗୌତମ ଶତପଥୀଙ୍କୁ ସସପେଣ୍ଡ କରାଯାଇଛି । ଗତ ଶନିବାର ଦିନ ବୁର୍ଲା ମେଡିକାଲ କଲେଜରେ ଡ୍ୟୁଟି ଛାଡି ଅସ୍ଥିଶଲ୍ୟ ବିଭାଗର ଏହି ଆସିଷ୍ଟାଂଟ ପ୍ରଫେସର ନିଜ ଘରେ ରୋଗୀ ଦେଖୁଥିବା ସମୟରେ ହଠାତ ପହଂଚିଯାଇଥିଲେ ଭିମସାର ନିର୍ଦ୍ଦେଶକ । ଆଉ ତାଙ୍କ କାର୍ଯ୍ୟକଳାପକୁ ନିଜ ମୋବାଇଲରେ କଏଦ କରିଥିଲେ ।

ଏହାପରେ ତାଙ୍କୁ କାରଣଦର୍ଶାଅ ନୋଟିସ କରାଯାଇଥିଲା । ତେବେ ନୋଟିସର ସଠିକ ଉତ୍ତର ଦେଇପାରିନଥିବାରୁ ତଦନ୍ତ ହେବା ପର୍ଯ୍ୟନ୍ତ, ତାଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ସେପଟେ ଭିମସାର ନିର୍ଦ୍ଦେଶକଙ୍କ ବିରୋଧରେ ଆଂଚଳିକବାଦର ଅଭିଯୋଗ ଆଣିଛନ୍ତି ଅଭିଯୁକ୍ତ ଡାକ୍ତର । କହିଛନ୍ତି ଷ୍ଟିଙ୍ଗ୍ କରିବା ସମୟରେ ସେ କେଉଁ ଅଂଚଳର ବୋଲି ନିର୍ଦ୍ଦେଶକ ତାଙ୍କୁ ପ୍ରଶ୍ନ କରିଥିଲେ । ଆଉ ସେ କଟକ ଅଂଚଳର ହୋଇଥିବାରୁ ତାଙ୍କ ବିରୋଧରେ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି ।