ବୁର୍ଲା ଜୁନିୟର ଡାକ୍ତର ଆନ୍ଦୋଳନ ପ୍ରସଙ୍ଗ : ଆଗୁଆ ସମସ୍ତ ପ୍ରଫେସରଙ୍କ ଛୁଟି ବାତିଲ କଲେ ମେଡିକାଲ କର୍ତୃପକ୍ଷ, ବଦଳିଲେ ଅଧୀକ୍ଷକ

25

ସମ୍ବଲପୁର ବ୍ୟୁରୋ, କନକ ନ୍ୟୁଜ୍ : ବୁର୍ଲା ଜୁନିୟର ଡାକ୍ତର ଆନ୍ଦାଳନ ପ୍ରସଙ୍ଗ । ଛୁଟିରେ ଥିବା ସମସ୍ତ ପ୍ରଫେସରଙ୍କ ଛୁଟି ବାତିଲ କରାଯାଇଛି । ତୁରନ୍ତ ତାଙ୍କୁ କାମରେ ଯୋଗଦେବାକୁ ନିର୍ଦେଶ ଦିଆଯାଇଛି । ବୁର୍ଲା ମେଡିକାଲ ନିର୍ଦେଶକଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀକାଳୀନ ବୈଠକ ପରେ ଏହି ସୂଚନା ଦିଆଯାଇଛି ।  ବୁର୍ଲା ବଡ ମେଡିକାଲର ବିଭିନ୍ନ ସମସ୍ୟାର ସମାଧାନ ନେଇ ଜୁନିୟର ଡାକ୍ତର ସଂଘକୁ ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣର ସମୟ ସୀମା ଆଜି ଶେଷ ହୋଇଛି । ଅବସ୍ଥା ଏମିତି ହୋଇଛି ହସ୍ପିଟାଲରେ ହାତ ଧୋଇବା ପାଇଁ ପାଣି ନାହିଁ । ଡାକ୍ତରମାନେ ସାଲାଇନରେ ହାତ ଧୋଉଥିବା ଅଭିଯୋଗ କରିଛନ୍ତି ବୁର୍ଲା ଜୁନିୟର ଡାକ୍ତରସଂଘର ସଭାପତି ଶଙ୍କର ରାମଚନ୍ଦ୍ରନ । ଏନେଇ ସେ କନକ ନ୍ୟୁଜକୁ ଫୋନଯୋଗେ ସୂଚନା ଦେଇଛନ୍ତି । ଏମଆରଆଇ ମେସିନ ଖରାପ । କାମ କରୁନି ଏଳ୍ସରେ ମେସିନ । ହସ୍ପିଟାଲରେ ବି ନାହିଁ ସିଟି ସ୍କାନ ମେସିନ । ଏହିଭଳି ଅନେକ ମୌଳିକ ସମସ୍ୟାକୁ ନେଇ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ହେଉଛନ୍ତି ଜୁନିଅର ଡାକ୍ତର । ଆସନ୍ତାକାଲିଠାରୁ ପୁଣିଥରେ ଆନ୍ଦୋଳନକୁ ଓହ୍ଲାଇବେ ଡାକ୍ତର । ଡାକ୍ତରଙ୍କ ମୋଟ ୯ ଦଫା ଦାବି ମଧ୍ୟରୁ ପୂରଣ ହୋଇଛି ମାତ୍ର ୨ଟି ଦାବି । ରୋଗୀ ସେବାରେ ଉନ୍ନତି ଓ ପାଠପଢ଼ାରେ ସହାୟକ ଆଦି ୯ ଦଫା ଦାବି ନେଇ ୪ ମାସ ତଳେ ଦୀର୍ଘ ୧୨ ଦିନ ଧରି ଆନ୍ଦୋଳନକୁ ଓହ୍ଲାଇଥିଲା ଡାକ୍ତର ସଂଘ । ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ପ୍ରତିଶୃତି ଅନୁସାରେ ଦାବି ପୁରଣ ନହେବରୁ ଫେବୃୟାରୀରେ ପୁଣି ଆନ୍ଦୋଳନ କରିଥିଲେ ଡାକ୍ତର । ପରେ ବୁର୍ଲା ଯାଇ ସ୍ଥିତି ଅନୁଧ୍ୟାନ କରି ଏପ୍ରିଲ ୩୦ ଯାଏଁ ଦାବି ପୂରଣ ନେଇ କଥା ଦେଇଥିଲେ ସ୍ୱାସ୍ଥ୍ୟମନ୍ତ୍ରୀ ।  ସେପଟେ ଭିମସାର ଅଧୀକ୍ଷକଙ୍କ ବଦଳି କରାଯାଇଛି । ଡାକ୍ତର ଲକ୍ଷ୍ମୀକାନ୍ତ ଦାସଙ୍କ ସ୍ଥାନରେ ପ୍ରଫେସର ବ୍ରଜମୋହମ ମିଶ୍ରଙ୍କୁ ଅଧୀକ୍ଷକ ଦାୟିତ୍ୱ ଦିଆଯାଇଛି । ସେ ସୋମବାର ଠାରୁ ବିଧିବଧ ଭାବେ ଅଧୀକ୍ଷକ ଦାୟିତ୍ୱ ତୁଲାଇବେ ।