ବୁର୍ଲା ବିବାଦ ଭିତରେ ପ୍ରକାଶ ପାଇଲା ସରକାରୀ ବିଜ୍ଞପ୍ତି : ୧୧୬ ଡାକ୍ତରଙ୍କୁ ପଠାଗଲା ବୁର୍ଲା

53

କନକ ବ୍ୟୁରୋ : ବୁର୍ଲା ପାଇଁ ନୂଆ ଡାକ୍ତର । ଭିମସାରରେ ଡାକ୍ତର ଓ ଡାଇରେକ୍ଟର ବିବାଦ ଭିତରେ ପ୍ରକାଶ ପାଇଛି ସରକାରୀ ବିଜ୍ଞପ୍ତି । ୧୧୬ଜଣ ନୂଆ ଡାକ୍ତରଙ୍କୁ ନିଯୁକ୍ତି ଦେଇଛନ୍ତି ସରକାର । ଆସନ୍ତାକାଲି ସକାଳ ସୁଦ୍ଧା କାର୍ଯ୍ୟରେ ଯୋଗ ଦେବାକୁ ବିଜ୍ଞପ୍ତିରେ ନିର୍ଦ୍ଦେଶ ଦିଆଯାଇଛି । ପିଜି ଶେଷ କରି ସରକାରଙ୍କ ଅଧିନରେ ଥିବା ଏହି ଡାକ୍ତରମାନଙ୍କୁ ଅସ୍ଥାୟୀ ଭାବେ ବୁର୍ଲା ପଠାଇଛନ୍ତି ସରକାର ।

ଅନ୍ୟପଟେ ଏବେ ବି ଆନ୍ଦୋଳନରତ ଅଛନ୍ତି ବୁର୍ଲା ମେଡିକାଲ କଲେଜର ପିଜି ଛାତ୍ରଛାତ୍ରୀ । ଏକାଧିକ ଥର ବୈଠକ ପରେ ମଧ୍ୟ ସମାଧାନର ବାଟ ଫିଟି ନାହିଁ । ଏପଟେ ସ୍ୱାସ୍ଥ୍ୟ ସେବାରେ ସେପରି ସମସ୍ୟା ଆସିନ ଥିବା କର୍ତୃପକ୍ଷ କହିଛନ୍ତି । କିନ୍ତୁ ଚିନ୍ତା ବଢାଇଛନ୍ତି ସିନିଅର ରେସିଡେଂଟ ଡକ୍ଟର । ସେମାନେ ପିଜି ଛାତ୍ରଙ୍କ ଆନ୍ଦୋଳକୁ ସମର୍ଥନ କରିବା ସହ ନିର୍ଦ୍ଦେଶକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଆସନ୍ତା ୨୪ ଘଂଟା ମଧ୍ୟରେ ସମସ୍ୟାର ସମାଧାନ ନହେଲେ ସିନିଅର ରେସିଡେଂଟ ଡକ୍ଟର ମଧ୍ୟ ଆନ୍ଦୋଳନକୁ ଓହ୍ଲାଇବେ । ଏହା ବୁର୍ଲା ମେଡିକାଲର ସ୍ୱାସ୍ଥ୍ୟ ସେବାକୁ ପ୍ରଭାବିତ କରିବ ।

ଏପଟେ ଆନ୍ଦୋଳନରତ ବୁର୍ଲା ମେଡିକାଲ ପିଜି ଡାକ୍ତରୀ ଛାତ୍ରଙ୍କୁ ତାଗିଦ୍ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ତାଗିଦ୍ କରି ଛାତ୍ରମାନଙ୍କୁ କହିଛନ୍ତି ପ୍ରଥମେ ଆନ୍ଦୋଳନ ପ୍ରତ୍ୟାହାର କର ତାପରେ ଆଲୋଚନା ହେବ । କଟକ ବଡ ମେଡିକାଲ କଲେଜର ପିଜି ଛାତ୍ରଛାତ୍ରୀ ମାନେ ମଧ୍ୟ ବ୍ଲାକ୍ ବ୍ୟାଜ୍ ପିନ୍ଧି ବୁର୍ଲା ଛାତ୍ରଙ୍କ ଆନ୍ଦୋଳନକୁ ସମର୍ଥନ ଦେଇଛନ୍ତି ଏବଂ ସମସ୍ୟାର ସମାଧାନ ପାଇଁ ତୁରନ୍ତ ପଦକ୍ଷେପ ପାଇଁ ଦାବି କରିଛନ୍ତି ।