ଆଖି ବୁଜିଲା ବୁରାଡ଼ି ମୃତ୍ୟର ଏକମାତ୍ର ସାକ୍ଷୀ : ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ପରେ ଖାଇବା ପିଇବା ଛାଡ଼ିଦେଇଥିଲା ଟମି

66

କନକ ବ୍ୟୁରୋ : ଦିଲ୍ଲୀ ବୁରାଡ଼ିରେ ଭାଟିଆ ପରିବାରର ୧୧ ଜଣ ସଦସ୍ୟଙ୍କ ମୃତ୍ୟୁକୁ ନେଇ ବେଶ୍ କିଛି ଦିନ ଚର୍ଚ୍ଚା ହୋଇଥିଲା । କେତେବେଳେ ଶୁଣିବା ପାଇଁ ମିଳିଲା ପୁରା ପରିବାର ଧାର୍ମିକ ତଥା ଅଲୌକିକ କାର୍ଯ୍ୟରେ ଲିପ୍ତ ଥିଲା, ଆଉ କିଏ କହିଲା ମୋକ୍ଷ ପ୍ରାପ୍ତି ପାଇଁ ପୁରା ପରିବାର ଏପରି ଚରମ ନିଷ୍ପତ୍ତି ନେଇଥିଲେ । ତେବେ ଗଣମାଧ୍ୟମରେ ବେଶ କିଛି ଦିନ ଏହି ଘଟଣା ଚର୍ଚ୍ଚା ହେବାପରେ ଖବର ଥଣ୍ଡା ପଡ଼ିଯାଇଥିଲା । ଏବେ ପୁଣି ଥରେ ଚର୍ଚ୍ଚାର ପରିଧିକୁ ଆସିଛି ଉକ୍ତ ଘଟଣା । ୧୧ ଜଣ ପରିବାର ସଦସ୍ୟଙ୍କ ମୃତ୍ୟୁର ଏକମାତ୍ର ସାକ୍ଷୀ କୁହାଯାଉଥିବା ପାଳିତ କୁକୁର ଟମିର ମଧ୍ୟ ମୃତ୍ୟୁ ହୋଇଛି । ରବିବାର ନୋଏଡ଼ା ସ୍ଥିତ ଏକ ମେଡ଼ିକାଲରେ ଆଖି ବୁଜିଲା ଟମି ।

ପୋଲିସ ସୂତ୍ର ଅନୁସାରେ ଭାଟିଆ ପରିବାରର ସମସ୍ତ ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ପରେ ଏକ ଏନଜିଓକୁ ଦିଆଯାଇଥିଲା ଟମିର ଦାୟିତ୍ୱ । ସୂଚନା ଅନୁସାରେ ୧୧ ଜଣ ସଦସ୍ୟଙ୍କ ମୃତ୍ୟୁ ପରେ ଟମି ଖାଇବା ପିଇବା ଛାଡ଼ିଦେଇଥିଲା । ମାନସିକ ସ୍ତରରେ ଟମି ଭାଙ୍ଗିପଡ଼ିଥିବା ପରି ଲାଗୁଥିଲା । ଟମିର ସ୍ୱାସ୍ଥ୍ୟବସ୍ଥା ମଧ୍ୟ ସ୍ଥିର ନଥିଲା । ଟମି ନୋଏଡ଼ା ସ୍ଥିତ ଏକ ପଶୁ ଚିକିତ୍ସାଳୟରେ ଚିକିତ୍ସିତ ହେଉଥିଲା । ତେବେ ଅନେକ ଚେଷ୍ଟା ସତ୍ୱେ ଟମିର ସ୍ୱାସ୍ଥ୍ୟବସ୍ଥା କୌଣସି ସୁଧାର ଆସୁନଥିଲା । ଗତକାଲି ସନ୍ଧ୍ୟା ୭ରେ ଚିକିତ୍ସାଧୀନ ଅବସ୍ଥାରେ ଟମିର ମୃତ୍ୟ ହୋଇଯାଇଛି । ମୃତ୍ୟୁର କାରଣ ହୃଦଘାତ ବୋଲି କୁହାଯାଉଛି ।

ସୂଚନାଯୋଗ୍ୟ ଗତ ମାସ ୩୦ ଜୁନରେ ଭାଟିଆ ପରିବାରର ୧୧ ଜଣ ସଦସ୍ୟଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଆଉ ସେହି ସମୟରେ ଟମି ଛାତରେ ବନ୍ଧା ହୋଇଥିଲ । ତାକୁ ଉକ୍ତ ମୃତ୍ୟୁର ଏକମାତ୍ର ସାକ୍ଷୀ କୁହାଯାଉଥିଲା । ସାମୂହିକ ମୃତ୍ୟୁର ଖବର ବେଶ୍ କିଛି ଦେଶରେ ହଇଚଇ ସୃଷ୍ଟି କରିଥିଲା ।