ପାଇଖାନା ଟାଙ୍କିରୁ ବାହାରିଲା ବ୍ରିଟିଶ ଅମଳର ଗୁଳି ! ଜୟପୁର ସହରରେ ତନାଘନା

45

କନକ ବ୍ୟୁରୋ : ଜୟପୁର ଏକ ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି ୭ଶହରୁ ଅଧିକ ରାଉଣ୍ଡର ଗୁଳି । ତାହା ପୁଣି ବ୍ରିଟିଶ ଅମଳର । ଘଟଣା ସଂପର୍କରେ ସୂଚନା ପାଇଁ ପୁଲିସ, ଅଗ୍ନିଶମ ବିଭାଗର ସହାୟତାରେ ଏହି ସବୁ ଗୁଳିକୁ ଉଦ୍ଧାର କରିଛି । ଘଟଣାସ୍ଥଳରେ ବମ୍ ସ୍କ୍ୱାର୍ଡ ପହଂଚି ତଦନ୍ତ ମଧ୍ୟ ଆରମ୍ଭ କରିଛି । ତେବେ ଗୋଟିଏ ସ୍ଥାନରେ ଏତେ ପରିମାଣର ଗୁଳିଜବତ ଉଦ୍ଧାର ହେବା ଘଟଣା, ଏବେ ଅନେକ ରହସ୍ୟ ସୃଷ୍ଟି କରିଛି ।

ଜୟପୁର ସହରରୁ ଉଦ୍ଧାର ହୋଇଥିବା ବ୍ରିଟିଶ୍ ଅମଳର ଏହି ସବୁ ଗୁଳିକୁ ନେଇ ଏବେ ଏମିତି କିଛି ପ୍ରଶ୍ନ ସାମ୍ନାକୁ ଆସୁଛି । ଜିଲ୍ଲା ଶିଳ୍ପ କେନ୍ଦ୍ର ପଛପଟେ ଥିବା ପାଇଖାନା ଟାଙ୍କିରୁ ଉଦ୍ଧାର ହୋଇଛି ୭ଶହରୁ ଅଧିକ ରାଉଣ୍ଡର ଏହି ପୁରୁଣା କାଳିଆ ଗୁଳି । ଯେଉଁଥିରେ ସ୍ପଷ୍ଟ ଲେଖା ହୋଇଛି ଏହି ସବୁ ଗୁଳି ଲଣ୍ଡନରେ ତିଆରି ହୋଇଛି । ଅଗ୍ନିଶମ ବିଭାଗର ସହାୟତାରେ ଏହାକୁ ଉଦ୍ଧାର କରିଛି ପୁଲିସ । ସଂଯୋଗର ବିଷୟ ହେଉଛି-ଜୟପୁର ରାଜ ପ୍ରସାଦରେ ବ୍ୟବହାର ହେଉଥିବା ଗୁଳିଗୁଳା ଠିକ୍ ଏହିଭଳି ଧରଣର । ଆଉ ୧୯୬୨ ମସିହାରେ ରାଜା ବିକ୍ରମଦେବଙ୍କ ପ୍ୟାଲେସରୁ ବହୁ ଗୁରୁତ୍ୱପୂର୍ଣ୍ଣ ବି ଚୋରି ହୋଇଥିଲା । ଯେଉଁଥିରେ ସୁନା ଅଳଙ୍କାର ସମେତ ବନ୍ଧୁକ ଏବଂ ଗୁଳିଗୁଳା ବି ସାମିଲଥିଲା ।

ତେବେ ମିଳିଥିବା ଏହି ଗୁଳି ସହ ରାଜ ପ୍ରସାଦ ସହ କୌଣସି ସଂପର୍କ ଅଛି ନା’ ନାହିଁ ସେନେଇ ତଦନ୍ତ ଚାଲିଛି । ବର୍ତମାନ ସମୟରେ ଏହି ଗୁଳି ବ୍ୟବହାର ଉପଯୋଗୀ ହୋଇନଥିଲେ ମଧ୍ୟ ଏତେ ପରିମାଣର ଗୁଳି ଏହି ପାଇଖାନା ଟାଙ୍କିକୁ ଆସିଲା କେମିତି ଏବଂ ଆଣିଥିଲା କିଏ, ତାକୁ ନେଇ ରହସ୍ୟ ବଢ଼ିବାରେ ଲାଗିଛି ।