ବୁଲେଟ୍ ଟ୍ରେନକୁ ନେଇ ବିଜେପି ଉପରେ ବର୍ଷିଲେ ରାହୁଲ ! କହିଲେ କଂଗ୍ରେସ ଶାସନ କାଳରେ ହିଁ ବୁଲେଟ ଟ୍ରେନ୍ ଚଳାଚଳ ହେବ ସମ୍ଭବ ।

59

କେବଳ କଂଗ୍ରେସ ଶାସନ କାଳରେ ହିଁ ଦେଶରେ ବୁଲେଟ୍ ଟ୍ରେନ ଚଳାଚଳ କରିବା ସମ୍ଭବ ହୋଇପାରିବ । ନିଜ ଲୋକସଭା ନିର୍ବାଚନ ମଣ୍ଡଳୀ ଆମେଠି ଗସ୍ତରେ ଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ବୁଧବାର ଏଭଳି ମନ୍ତବ୍ୟ ଦେଇଛନ୍ତି । ଯାହାକୁ ନେଇ ଜୋର ଧରିଛି ରାଜନୀତି । ରାହୁଲ କହିଛନ୍ତି, ଗୁଜୁରାଟର ଅହମ୍ମଦାବାଦରୁ ମୁମ୍ବାଇ ମଧ୍ୟରେ ଚଳାଚଳ ହେବାକୁ ଥିବା ପ୍ରସ୍ତାବିତ ବୁଲେଟ୍ ଟ୍ରେନ୍ ଭାରତୀୟ ଜନତା ପାର୍ଟି ଶାସନ କାଳରେ କେବେ ହେଲେ ସମ୍ଭବ ହୋଇପାରିବ ନାହିଁ । ଏହି ଟ୍ରେନ୍ କେବଳ କଂଗ୍ରେସ ଶାସନ କାଳରେ ହିଁ ଚାଲିବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ତାଙ୍କର ଜାପାନ ସମକକ୍ଷ ସିଞ୍ଜୋ ଆବେ ଗତ ବର୍ଷ ବୁଲେଟ ଟ୍ରେନ ପ୍ରକଳ୍ପ ଶୁଭାରମ୍ଭ କରିବାକୁ ଘୋଷଣା କରିଥିଲେ । କିଛି ଦିନ ତଳେ ଜଣେ ଅଧିକାରୀ କହିଥିଲେ ବୁଲେଟ ଟ୍ରେନ ପ୍ରକଳ୍ପର ନିର୍ମାଣ କାମ ଚାଲିଛି । ଜମି ଅଧିଗ୍ରହଣ ପାଇଁ ପୂରା ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି । ସେହିଭଳି ବ୍ରିଜ ଓ ସୁଡଙ୍ଗ ପାଇଁ ଡିଜାଇନ୍ ଚାଲିଛି ।

ଅନ୍ୟପକ୍ଷରେ ଗତ ଜୁନ୍ ମାସରେ ଏକ ଖବର ସଂସ୍ଥା କହିଥିଲା, ଆଗାମୀ ଡିସେମ୍ବର ପର୍ୟ୍ୟନ୍ତ ସରକାର ଜମି ଅଧିଗ୍ରହଣ କରିବାରେ ସଫଳ ହୋଇପାରୁ ନାହାନ୍ତି । ଏହାର ମୂଳ କାରଣ ହେଲା ଯେ, ଚାଷୀମାନେ ବିରୋଧ କରୁଛନ୍ତି । ଅନ୍ୟପକ୍ଷରେ ବୁଲେଟ ଟ୍ରେନ ପ୍ରକଳ୍ପ ପାଇଁ ଜାପାନ ସହାୟତା ଦେବ । ପ୍ରକଳ୍ପ ପାଇଁ ଭାରତୀୟ ରେଳ ଓ ଜାପାନର ଶିଙ୍କାନସେନ ଟେକନୋଲୋଜି ମଧ୍ୟରେ ବୁଝାମଣା ସ୍ୱାକ୍ଷର ହୋଇଛି ।