ଚର୍ଚ୍ଚାରେ ବିଦେଶୀ ଦମ୍ପତିଙ୍କ ଦେଶୀ ବାହାଘର ! ବୁଲଗେରିଆରୁ ଆସି ଭୋଗରାଇରେ ହିନ୍ଦୁରୀତିନୀତିରେ ବାହା ହେଲେ ଖ୍ରୀଷ୍ଟିୟାନ ଯୋଡ଼ି ।

ଓଡିଆ ରୀତିନୀତିରେ ବିବାହ କଲେ ବୁଲଗେରିଆର ପ୍ରେମୀ ଯୁଗଳ । ବର- କନ୍ୟା ବିଦେଶୀ, ହେଲେ ସଂପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ସରିଲା ବାହାଘର ।

376

କନକ ବ୍ୟୁରୋ: ଓଡିଆ ରୀତିନୀତିରେ ବିବାହ କଲେ ବୁଲଗେରିଆର ପ୍ରେମୀ ଯୁଗଳ । ବର- କନ୍ୟା ବିଦେଶୀ, ହେଲେ ସଂପୂର୍ଣ୍ଣ ହିନ୍ଦୁ ରୀତିନୀତିରେ ସରିଲା ବାହାଘର । ଏଭଳି ଦୃଶ୍ୟ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ରସଲପୁର ଗାଁରେ ଦେଖିବାକୁ ମିଳିଛି । ବେଶ୍ ଧୁମଧାମରେ ସମ୍ପର୍ଣ୍ଣ ହୋଇଛି ଏହି ନିଆରା ବିବାହ ।
ବ୍ୟାଣ୍ଡ ବାଜା ବାଜିିଲା, ଓଡିଆ ପରାମ୍ପରା ଅନୁଯାୟୀ ପାଣିଗ୍ରହଣ ହେଲା । ବର କନ୍ୟା ପରସ୍ପରକୁ ବରମାଳା ଦେଇ ଜୀବନ ସାଥୀ କରିଥିଲେ । ହିନ୍ଦୁ ପରମ୍ପରା ଅନୁଯାୟୀ ବିବାହ ବନ୍ଧନରେ ବାନ୍ଧି ହେଲେ ବୁଲଗେରିଆର ଭାସିଲ ହାଡଲିଇଭ୍ ଓ ଇଭାଙ୍କା ।

ସୂଚନା ଅନୁଯାୟୀ, ବୁଲଗେରିଆର ଏକ ମେଡିକାଲ କଲେଜ ଓ ହସ୍ପିଟାଲର ଆସିଷ୍ଟାଂଟ ପ୍ରଫେସର ଭାସିଲ ଏବଂ ସେହି କଲେଜର ଲାଇବ୍ରେରିଆନ ଇଭାଙ୍କା ଦୁହେଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଉଭୟ ପୂର୍ବରୁ କୋର୍ଟ ମ୍ୟାରେଜ କରିଥିଲେ । ହେଲେ ଇଭାଙ୍କାଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିବାକୁ ଚାହିଁଥିଲେ ଭାସିଲ । ଆଉ ସେହି ମେଡିକାଲ କଲେଜରେ ଡାକ୍ତର ଥିବା ରସଲପୁର ଗାଁର ନିହାର କାନ୍ତ ଗିରିଙ୍କ ସହଯୋଗରେ ଭାସିଲ ଓ ଇଭାଙ୍କା ହିନ୍ଦୁ ରୀତିନୀତିରେ ବିବାହ କରିଛନ୍ତି ।