ପାଖଉଛି ‘ବୁଲବୁଲ’: ପାରାଦୀପଠାରୁ ୧୩୦ କିଲୋମିଟର ଦୂରରେ ରହିଛି ବାତ୍ୟା; ଘଂଟାପ୍ରତି ୧୭ କିମି ବେଗରେ କରୁଛି ଗତି

ପଶ୍ଚିମବଙ୍ଗ ଓ ବାଂଲାଦେଶ ମୁହାଁ ଭୀଷଣ ସାମୁଦ୍ରିକ ଝଡ଼ ବୁଲବୁଲ; ଆଜି ମଧ୍ୟରାତ୍ରିରେ ସୁନ୍ଦରବନ ଡେଲଟା ଅଂଚଳରେ ଛୁଇଁବ ସ୍ଥଳଭାଗ

1,369

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଓ ବାଲାଂଦେଶ ମଧ୍ୟଭାଗରେ ସ୍ଥଳଭାଗ ଛୁଇଁବ ଅତି ଭୀଷଣ ସାମୁଦ୍ରିକ ଝଡ ବୁଲ୍ ବୁଲ୍ । ଆଜିି ମଧ୍ୟରାତ୍ରିରେ ପଶ୍ଚିମବଙ୍ଗର ସାଗର ଦ୍ୱୀପ ଓ ବାଂଲାଦେଶର ଖେପୁପରା ମଧ୍ୟଭାଗରେ ଥିବା ସୁନ୍ଦରବନ ତ୍ରିକୋଣ ଭୂମିରେ ସ୍ଥଳଭାଗ ଛୁଇଁବ ବୁଲ୍ ବୁଲ୍ । ବର୍ତ୍ତମାନ ଏହା ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଉତ୍ତର ଦିଗକୁ ଘଂଟାପ୍ରତି ୧୭ କିଲୋମିଟର ବେଗରେ ଗତି କରୁଛି ।

ଏବେ ବାତ୍ୟା ବୁଲ୍ ବୁଲ୍ ପାରାଦୀପ ଠାରୁ ବଙ୍ଗୋପସାଗରର ଦକ୍ଷିଣ ଏବଂ ଦକ୍ଷିଣ ପୂର୍ବକୁ ୧୪୦ କିଲୋମିଟର ଦୂରରେ ରହିଛି । ଏବଂ ପଶ୍ଚିମବଙ୍ଗର ସାଗର ଆଇଲାଣ୍ଡ ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗର ୨୬୦ କିଲୋମିଟର ଦୂରରେ ଥିବା ବେଳେ ବାଙ୍ଗାଲାଦେଶର ଖେପୁପରା ଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗରେ ୪୦୦ କିଲୋମିଟର ଦୂରରେ ରହିଛି । ତେବେ ଓଡିଶା ଉପରୁ ବାତ୍ୟା ବିପଦ ଟଳିଥିଲେ ବି ଏହାର ପ୍ରଭାବରେ ଓଡିଶାରେ ପ୍ରବଳ ବର୍ଷାର ଆଶଙ୍କା ରହିଛି । ତିନି ଦିନ ଯାଏ ଉପକୂଳ ଓ ଉତର ଓଡିଶାରେ ପ୍ରବଳ ବର୍ଷା ହେବ । ତେବେ ଆଜିି ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ପବନର ବେଗ ୧୧୦ରୁ ୧୨୦ କିଲୋମିଟର ରହିବ । ବେଳେବେଳେ ପବନର ବେଗ ଘଂଟାପ୍ରତି ୧୩୫ କିଲୋମିଟର ରହିବା ଅନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଆଜି ଦିନ ତମାମ ବାତ୍ୟାର ପ୍ରକୋପ ଲାଗି ରହିବ । ୬ରୁ ୧୦ଟି ଜିଲ୍ଲା ପ୍ରଭାବିତ ହେବ ।

ଏପଟେ ଓଡିଶା ଉପରେ ନାହିଁ ବାତ୍ୟା ବୁଲବୁଲର ପ୍ରଭାବ । ଭାରତୀୟ ପାଣିପାଗ ବିଭାଗ ଏହା ସ୍ପଷ୍ଟ କରିଛି । ତେବେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଆରମ୍ଭ ହୋଇଯାଇଛି । ପାଗ ମେଘୁଆ ରହିବା ସହିତ ଝିପ ଝିପ ବର୍ଷା ଲାଗି ରହିଛି । କେଉଁଠି ତୁହାକୁ ତୁହା ବର୍ଷା ଲାଗି ରହିଛି , ଆଉ କେଉଁଠି ଝିପି ଝିପି ବର୍ଷା ଲାଗି ରହିଛି । ଉତର ଉପକୂଳ ଓଡିଶା ବିଶେଷ କରି ବାଲେଶ୍ୱର, ଭଦ୍ରକ ସହ କେନ୍ଦ୍ରାପଡା, ଜଗତସିଂହପୁରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ମୟୂରଭଞ୍ଜ, କଟକ ଓ ଯାଜପୁର ଜିଲ୍ଳାରେ ପ୍ରବଳ ବର୍ଷା ହୋଇପାରେ ବୋଲି କହିଛି ପାଣିପାଗ ବିଭାଗ । ଏହି ସମୟରେ ୭୦ରୁ ୮୦ କିଲୋମିଟର ବେଗରେ ପବନ ବି ବୋହିବ ।