ବୁଲନ୍ଦସହର ହିଂସା : ଭାଇରାଲ ହେଲା ବୁଲନ୍ଦସହର ହିଂସାକାଣ୍ଡର ଦୁଇଟି ଭିଡ଼ିଓ । ଗୁଳି ବାଜିବା ଦୃଶ୍ୟ ମଧ୍ୟ ଭିଡିଓରେ ହୋଇଛି କଏଦ

ବୁଲନ୍ଦସହର ହିଂସା

81

ପୁଣି ଭାଇରାଲ ହେଲା ବୁଲନ୍ଦସହର ହିଂସାକାଣ୍ଡର ଦୁଇଟି ଭିଡ଼ିଓ । ଗୋଟିଏ ଭିଡ଼ିଓରେ ପୋଲିସକର୍ମୀ ଓ ଆନ୍ଦୋଳନକାରୀ ଜନତା ମୁହାଁମୁହିଁ ହୋଇଥିବା ବେଳେ ଅନ୍ୟ ଏକ ଭିଡ଼ିଓରେ ଜଣେ ଅଭିଯୁକ୍ତ ସହିଦ ପୋଲିସ ଅଫିସରଙ୍କୁ ଅପଶବ୍ଦ କହୁଥିବା ଶୁଣିବାକୁ ମିଳିଛି । ଏହା ସହ ଜଣେ ଆନ୍ଦୋଳନକାରୀଙ୍କ ଦେହରେ ଗୁଳି ବାଜିବା ଦୃଶ୍ୟ ମଧ୍ୟ ଭିଡିଓରେ ଦେଖିବାକୁ ମିଳିଛି । ହିଂସାକାଣ୍ଡରେ ଆନ୍ଦୋଳନକାରୀ ପୋଲିସ ଉପରକୁ ପଥରମାଡ଼ କରିଥିବା ବେଳେ ହଠାତ ଜଣେ ଆନ୍ଦୋଳନକାରୀ ଛାତିରେ ଗୁଳି ବାଜୁଥିବା ଦେଖିବାକୁ ମିଳିଛି । ଛାତିରେ ଗୁଳି ବାଜିଥିବା ବ୍ୟକ୍ତି ହେଉଛନ୍ତି ସ୍ଥାନୀୟ ବାସିନ୍ଦା ସୁମିତ । ଭିଡ଼ ଠାରୁ କିଛି ଦୂରରେ ସୁମିତଙ୍କ ଛାତିରେ ଗୁଳିବାଜିବା ମାତ୍ରେ ତାଙ୍କୁ ଦୁଇଜଣ ଯୁବକ ଧରି ଆଣୁଥିବା ଦେଖିବାକୁ ମିଳିଛି । ସୁମିତଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଥିଲେ ସୁମିତ । ଅନ୍ୟପଟେ ବୁଲନ୍ଦସହର ହିଂସାକାଣ୍ଡର ସହ ଜଡ଼ିତ ଅନ୍ୟ ଏକ ଭିଡ଼ିଓ ସାମ୍ନାକୁ ଆସିଛି । ଯେଉଁଥିରେ ଶିଖର ଅଗ୍ରୱାଲ ବୋଲି ନିଜକୁ କହୁଥିବା ଜଣେ ବ୍ୟକ୍ତି ସହିଦ ପୋଲିସ ଅଫିସରଙ୍କୁ ଅପଶବ୍ଦ କହୁଛି । । ଏପଟେ ପୋଲିସ ଅଫିସରଙ୍କ ମୃତ୍ୟୁ ପାଇଁ ତଦନ୍ତ ଚାଲିଥିବା ବେଳେ ଏପରି ଭିଡ଼ିଓ ସୋସିଆଲ ମିଡ଼ିଆରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ କଂସେଇଖାନାକୁ ବୁଲନ୍ଦସହରରେ ହିଂସା ପରେ ଯୋଗୀ ସରକାର ଜାରି କରିଛନ୍ତି ନୂଆ ଫରମାନ । ଯଦି କୌଣସି ଜିଲ୍ଲାରେ କଂସେଇଖାନା ଘଟଣା ସାମ୍ନାକୁ ଆସିଲା ତାହେଲେ ଏଥିପାଇଁ ସିଧାସଳଖ ଦାୟୀ ହେବେ ଏସପି ଓ ଡିଏମ । ଏନେଇ ମୁଖ୍ୟ ଶାସନ ସଚିବ ଜିଲ୍ଲାର ସମସ୍ତ ଡିଏମ ଓ ଏସପିଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଜଣାଇଛନ୍ତି । ଏହା ପୂର୍ବରୁ ମଧ୍ୟ ବୁଲନ୍ଦସହର ଘଟଣାକୁ ନେଇ ଯୋଗୀ ଆଦିତ୍ୟନାଥ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ ।