ସେତୁ କମାଇଲା ଦୂରତା । ବିଜୁ ସେତୁ ଯୋଗୁଁ ଉପକୃତ ହେଲେ ହଜାର ହଜାର ଜନତା

ଜଗତସିଂହପୁରରେ ଦେବୀ ଓ ବିଲୁଆଖାଇର ୨ଟି ସ୍ଥାନରେ ସେତୁ

138

କନକ ବ୍ୟୁରୋ: ୨୦ କିଲୋମିଟର ଦୂରତା କମାଇଲା ରାଜ୍ୟ ସରକାରଙ୍କ ବିଜୁ ସେତୁ । ଜଗତସିଂହପୁର ଜିଲ୍ଲାର ୨ଟି ସ୍ଥାନରେ ନିର୍ମାଣ ହୋଇଥିବା ବିଜୁ ସେତୁ ହାଜର ହଜାର ଲୋକ ଦୀର୍ଘ ଦିନର ସମସ୍ୟା ଦୂର କରିପାରିଛି । ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ଦେବୀ ନଦୀ ଓ ତାର ଶାଖା ନଦୀ ବିଲୁଆଖାଇର ୨ଟି ସ୍ଥାନରେ ବିଜୁ ସେତୁ ନିର୍ମାଣ କରାଯାଇଛି । ଫଳରେ ୪୦ ହଜାରରୁ ଅଧିକ ଲୋକ ଉପକୃତ ହେଉଛନ୍ତି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଫଳ ଯୋଜନା ଯୋଗୁଁ ଉପକୃତ ହେଲେ ହଜାର ହଜାର ଜନତା । ଦେବୀ ନଦୀ ଓ ତାର ଶାଖା ନଦୀ ବିଲୁଆଖାଇ ଉପରେ ହୋଇଥିବା ବିଜୁ ସେତୁ ଦ୍ୱାରା କମି ଯାଇଛି ୨୦ କିଲୋମିଟର ରାସ୍ତା । ପ୍ରତିଦିନ ଏହି ସେତୁ ଦେଇ ୧୦ ହଜାରରୁ ଅଧିକ ଲୋକ ଯାତାୟତ କରିଥାନ୍ତି । ଏହି ଦୁଇଟି ସେତୁ ହେବା ଯୋଗୁଁ କଟକ ଓ ଭୁବନେଶ୍ୱରକୁ ଯିବା ଆସିବା ପାଇଁ ପ୍ରାୟ ୨୦ କିଲୋମିଟର ରାସ୍ତା କମି ଯାଉଛି ।

ଏହି ପୋଲ ନଥିବା ବେଳେ ଲୋକ ଯାତାୟତ ପାଇଁ ଡଙ୍ଗା ଉପରେ ନିର୍ଭର କରୁଥିଲେ । ହେଲେ ନାର୍ବାଡ ସହାୟତାରେ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ପୋଲ ନିର୍ମାଣ ହେବା ପରଠାରୁ ଆଉ ଅପେକ୍ଷା କରିବା ପାଇଁ ପଡୁନାହିଁ । ଭୋକାଞ୍ଜି ମୁଣ୍ଡିଲୋ ବିଜୁ ସେତୁର ଲମ୍ବ ୫୫୨ ମିଟର ରହିଛି । ସେହିଭଳି ଗେଲପୁର ୩୦୬ ମିଟର ଲମ୍ବର ବିଜୁ ସେତୁ ନିର୍ମାଣ କରାଯାଇଛି । ମୁଣ୍ଡିଲୋ ସେତୁର ବ୍ୟୟ ଅଟକଳ ୩୩ କୋଟି ରହିଥିବା ବେଳେ ୧୮ କୋଟି ଟଙ୍କା ବ୍ୟୟରେ ଗେଲପୁର ବିଜୁ ସେତୁ ନିର୍ମାଣ କରାଯାଇଛି । ଏହି ପୋଲ ୨ଟି ଯୋଗୁଁ ଜଗତସିଂହପୁର ସମେତ କଟକର ନିଆଳୀ ଓ ଅଡସପୁରର ଛାତ୍ରଛାତ୍ରୀ କଲେଜ ଯାଆସ କରୁଛନ୍ତି । ଆଉ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି ।