ନିଜ ଉପରେ ମରଣାନ୍ତକ ଆକ୍ରମଣର ନାଟକ ରଚିଥିଲେ ବିଲଡର ! ଲୋକ ଲଗାଇ ନିଜ ଉପରେ କରିଥିଲେ ଗୁଳିମାଡ ।

242

କନକ ବ୍ୟୁରୋ : ନିଜ ଉପରେ ମରଣାନ୍ତକ ଆକ୍ରମଣ କରିବା ପାଇଁ ଜଣେ ବ୍ୟକ୍ତି ନିଜେ ଷଡଯନ୍ତ୍ର ରଚିପାରେ । ଆପଣମାନଙ୍କୁ ଏହାଶୁଣି ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ ରାଉରକେଲାର ଜଣେ ବିଲଡର କିଛି ଏଭଳି ଷଡଯନ୍ତ୍ର କରିଛନ୍ତି । ଡିସେମ୍ବର ୧୦ ଓ ୧୧ ତାରିଖ ରାତିରେ ବିଲଡର ଅନମୋଲ ସିଂଙ୍କ ଗାଡି ଉପରକୁ ଅଜଣା ଦୁବୃତ୍ତ ଗୁଳିମାଡ କରିଥିବା ଅଭିଯୋଗ ହୋଇଥିଲା । ଏନେଇ ଅନମୋଲ ସିଂ ଡିସେମ୍ବର ୧୧ ତାରିଖ ଦିନ ଥାନାରେ ମାମଲା ଦାୟର କରିଥିଲେ । ହେଲେ ପୁଲିସ ତଦନ୍ତରୁ ଜଣାପଡିଛି ଯେ, ଅନମୋଲଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀ ହିଁ ଏହି ଆକ୍ରମଣ କରିଥିଲେ ।

ସବୁଠାରୁ ବଡ କଥା ହେଉଛି ଏନେଇ ନିଜେ ଅନମୋଲ ସିଂ ତାଙ୍କ ଉପରେ ଆକ୍ରମଣ କରିବା ପାଇଁ କହିଥିଲେ । ଆଉ ଏହି ଆକ୍ରମଣ ଘଟଣାରେ ନିଜର ପ୍ରତିଦ୍ୱନ୍ଦୀ ଆଉ ଜଣେ ବିଲଡରଙ୍କୁ ଫଶାଇବା ପାଇଁ ଷଡଯନ୍ତ୍ର ବି କରିଥିଲେ । ଅର୍ଥାତ ସିଧା ଭାଷାରେ କହିଲେ ନିଜ ଉପରେ ନିଜେ ଆକ୍ରମଣ କରାଇ ଆଉ ଜଣଙ୍କ ଉପରେ ଦୋଷ ଦେଇ ତାଙ୍କୁ ଫଶାଇବାକୁ ପୁରା ପ୍ଲାନ କରାଯାଇଥିଲା । ତଦନ୍ତ ପରେ ରାଉରକେଲା ପୁଲିସ ପୁରା ଘଟଣାର ପର୍ଦ୍ଦାଫାଶ କରିବା ସହ ମୁଖ୍ୟ ଅଭିଯୁକ୍ତ ଅନମୋଲ ସିଂ ଓ ତାଙ୍କ ଅଙ୍ଗରକ୍ଷୀଙ୍କ ସହ ମୋଟ ପାଂଚ ଜଣଙ୍କୁ ଗିରଫ କରିଛି ।

ବଦଲା ନେବା ପାଇଁ ବିଲଡରଙ୍କ ଷଡଯନ୍ତ୍ରର ଖୁଲାସା କରିଛି ପୁଲିସ । ଗୋଟିଏ ପଟେ ବିଲଡର ଅନମୋଲ ସିଂ । ଅନ୍ୟପଟେ ତାଙ୍କ ଗାଡି ଉପରେ ଗୁଳିମାଡ ହୋଇଥିବାର ଘଟଣା । ଡିସେମ୍ବର ୧୦ ଓ ୧୧ ତାରିଖ ରାତିରେ ବିଲଡର ଅନମୋଲ ସିଂଙ୍କ ଗାଡି ଉପରେ ଗୁଳିମାଡ ହୋଇଥିଲା । ଏକାଧିକ ରାଉଣ୍ଡ ଗୁଳିମାଡରେ ଗାଡି ବି କ୍ଷତିଗ୍ରସ୍ତ ହୋଇଥିଲା । ହେଲେ ନିଜ ଗାଡି ଉପରେ ନିଜେ ଗୁଳିମାଡ କରାଇଥିଲେ ଏହି ବିଲଡର ଜଣକ । ବର୍ତମାନ ଅପରାଧ ଷଡଯନ୍ତ୍ର ଓ ବେଆଇନ ଅସ୍ତ୍ରଶସ୍ତ୍ର ରଖିବା ଅଭିଯୋଗରେ ବିଲଡର ଅନମୋଲ ସିଂଙ୍କୁ ଗିରଫ କରିଛି ପୁଲିସ । ଏହା ସହ ସାମ୍ନାକୁ ଆସିଛି ବିଲଡରଙ୍କ ବଦଲା ଷଡଯନ୍ତ୍ର । କେବଳ ଏତିକି ନୁହେଁ ନିଜ ପ୍ରତିଦ୍ୱନ୍ଦି ବିଲଡରଙ୍କୁ ଆକ୍ରମଣ କରିବାର ଯୋଜନା ବି କରିଥିଲେ ଅନମୋଲ ସିଂ ।

ପୁଲିସର ସୂଚନା ଅନୁସାରେ ଅନମୋଲ ସିଂହ ରିୟଲଷ୍ଟେଟ ବ୍ୟବସାୟ ଚଲାଉଥିଲେ । ଏଥିରେ ବି ଅନେକ ଅନିୟମିତତା ସହ ଲୋକଙ୍କ ଠାରୁ ଟଙ୍କା ନେଇ ଘର ନଦେବା ଭଳି ଅଭିଯୋଗ ତାଙ୍କ ନାଁରେ ରହିଛି । ବ୍ୟବସାୟିକ ଶତ୍ରୁତା କାରଣରୁ ଆଉ ଜଣେ ପ୍ରତିଦ୍ୱନ୍ଦୀ ବ୍ୟବସାୟୀଙ୍କ ଉପରେ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର କରିଥିଲେ ଅନମୋଲ ସିଂ । ଏଥିପାଇଁ ନିଜ ବ୍ୟକ୍ତିଗତ ସୁରକ୍ଷା କର୍ମୀକୁ ୭୦ହଜାର ଟଙ୍କା ଦେଇ ଅପରାଧିଙ୍କ ସହାୟତାରେ ଶତ୍ରୁତା ଥିବା ବିଲଡରଙ୍କୁ ଆକ୍ରମଣ କରିବା ପାଇଁ ଷଡଯନ୍ତ୍ର କରିଥିଲେ ।

ହେଲେ ସୁପାରି ପାଇଥିବା ଅପରାଧିମାନେ ଟାର୍ଗେଟରେ ଥିବା ବିଲଡରଙ୍କୁ ଆକ୍ରମଣ କରିବାରେ ବିଫଳ ହୋଇଥିଲେ । ଏହାପରେ ବିଲଡର ଅନମୋଲ ସିଂ ନିଜ ଗାଡି ଉପରେ ଆକ୍ରମଣ କରାଇ ପ୍ରତିଦ୍ୱନ୍ଦୀ ବିଲଡରଙ୍କ ଉପରେ ଦୋଷ ଦେବାକୁ ଉଦ୍ୟମ ବି କରିଥିଲେ । ଏହି ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ଅନମୋଲ ସିଂ, ସୁରକ୍ଷାକର୍ମୀ ସପନଙ୍କ ସହ ଦିଲୁ, ମୁସ୍ତାକ ଓ ଶିବୁଙ୍କୁ ଗିରଫ କରିଛି । ଅଭିଯୁକ୍ତମାନଙ୍କ ଠାରୁ ଦୁଇଟି ୦୯-ଏମଏମ ପିସ୍ତଲ, ୦୪ ରାଉଣ୍ଡ ଗୁଳି ଓ ୭୦ହଜାର ଟଙ୍କା ଓ କିଛି ଗାଡି ଜବତ କରିଛି । ୨୦୧୩ ମସିହାରେ ବି ଅନମୋଲ ସିଂଙ୍କ ଗାଡି ଉପରେ ଆକ୍ରମଣ ହୋଇଥିଲା ଆଉ ପୁଲିସ ସନ୍ଦେହ କରୁଛି ସେହି ସମୟରେ ବି ଅନମୋଲ ନିଜେ ନିଜ ଉପରେ ଆକ୍ରମଣର ଷଡଯନ୍ତ୍ର ରଚି ଅନ୍ୟକୁ ଫଶାଇବାକୁ ଷଡଯନ୍ତ୍ର କରିଥିଲେ ।