ମଲା ଛୁଆ ପାଇଁ ମଝି ନଇରେ ମଇଁଷି ! ଅସ୍ତରଙ୍ଗ ଦେବୀ ନଦୀର ଅକାତକାତ ପାଣିରେ ଛୁଆକୁ ଉଦ୍ଧାର କରିବା ପାଇଁ ମା’ର ସଂଘର୍ଷ

56

କନକ ବ୍ୟୁରୋ : ମା’ର ପଣତ ପିଲାପାଇଁ ସବୁଠୁ ଅଧିକ ନିର୍ଭୟ ଆଶ୍ରୟସ୍ଥଳ । ତା’ର ପ୍ରତିଟି ଇଚ୍ଛାରେ ଥାଏ ତା’ ସନ୍ତାନ ପ୍ରତି ସ୍ନେହ, ପ୍ରୀତି, ମମତାର ସଞ୍ଜୀବନୀ ମା ଶବ୍ଦର ବିକଳ୍ପ ନାହିଁ । ମା’ର ମମତା ନିକଟରେ ସବୁକିଛି ମୂଲ୍ୟହୀନ ବୋଲି କହିଲେ ଆଦୌ ଭୁଲ ହେବ ନାହିଁ । ମାଆ, ତାର ବିକଳ୍ପ ନାହିଁ । ତା ସ୍ନେହର ତୁଳନା ନାହିଁ । ଦୁନିଆର କୌଣସି ଶକ୍ତି ମାଆ କୋଳରୁ ଛୁଆକୁ ଛଡେଇ ନେବା ସହଜ ତ ନୁହେଁ, ସମ୍ଭବ ବି ନୁହେଁ । କେବଳ ମଣିଷ କାହିଁକି, ପଶୁ ପକ୍ଷୀ ସମସ୍ତେ ନିଜ ବାତ୍ସଲ୍ୟ ସ୍ନେହରେ ବନ୍ଧା । ମୃତ୍ୟୁ ବି ଛୁଆକୁ ମାଆ ପାଖରୁ ଛଡେଇ ନେଇ ପାରେନି । ଏମିତି ଏକ ହୃଦୟ ଥରା ଦୃଶ୍ୟ ଆସିଛି କ୍ୟାମେରା ସାମ୍ନାକୁ । ଅସ୍ତରଂଗ ଦେବୀ ନଦୀର ଅକାତ କାତ ପାଣି ଭିତରେ ଗୋଟିଏ ମଇଁଷି ନିଜ ଛୁଆକୁ ଉଦ୍ଧାର କରିବା ପାଇଁ ଜାରି ରଖିଥିଲା ସଂଘର୍ଷ ।

ବୋଟ୍ ସାହାଯ୍ୟରେ ଦେବୀ ନଦୀ ମୁହାଁଣକୁ ଗଲାବେଳେ ସାମ୍ନାକୁ ଆସିଛି ହୃଦୟ ଥରା ଦୃଶ୍ୟ । ହେନ୍ତାଳ ବଣ ଘେରା ଦେବୀ ନଦୀର ମୁଖ୍ୟ ଗଣ୍ଡ ଭିତରେ ଦେଖିବାକୁ ମିଳିଛି ମାଆ ମଇଁଷିର ଛୁଆ ଉଦ୍ଧାର ଉଦ୍ୟମ । ମୁହଁରେ ଠେଲି ଠେଲି ତାକୁ କୂଳକୁ ଆଣିବାର ପ୍ରୟାସ । ହେଲେ ପ୍ରଖର ସୁଅ ଆଗରେ ହାର ମାନୁଛି ମାଆ ମଇଁଷି । ଛୁଆଟି ମରିସାରିଥିଲେ ବି ମାଆ ମନ ତାର ପ୍ରସ୍ତୁତ ନୁହେଁ ନିୟତିର ଏ ନିଷ୍ଠୁର ସତକୁ ଗ୍ରହଣ କରିବା ପାଇଁ । ପାଖାପାଖି ୧୦୦ ମିଟରରୁ ଅଧିକ ଗଣ୍ଡ ଭିତରେ କୂଳ ଦେଖାଯାଉନଥିବା ବେଳେ ହାଲିଆ ହୋଇପଡିଥିବା ମଇଁଷିର ଆଖି ନାକରେ ପାଣି ପଶିଯାଉଥିଲା । ହେଲେ ମୃତ ଛୁଆକୁ କୂଳକୁ ଆଣିବାର ପ୍ରୟାସରୁ ବିରତ ହେଉନଥିଲା ମା ମଇଁଷି । ଏପରି ହୃଦୟ ବିଦାରକ ଦୃଶ୍ୟକୁ ଦେଖୁଥିବା ବିଚରା ପର୍ଯ୍ୟଟକମାନଙ୍କର ଆଖିକୁ ଲୁହ ଆସିଯାଉଥିଲା ସତ ହେଲେ ସାହାଯ୍ୟ କରିବାର ଯୁ ହିଁ ନଥିଲା । ଅଥଳ ପାଣି ଭିତରେ ଜାରି ରହିଥିଲା ଅସହାୟ ମାଆର ସଂଘର୍ଷ । କିଏ ଜାଣେ ମୃତ ଛୁଆକୁ ଠେଲି ଠେଲି ସେ ନଦୀ ପାର୍ କଲା ନା ମାଆର ପ୍ରେମ ତାକୁ ବି ପାଣି ଭିତରେ ଆର ପାରିକୁ ନେଇଗଲା ।