ସରଗରମ ହେବ ସଂସଦର ବଜେଟ ଅଧିବେସନ ! ଆଜି ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ

41

କନକ ବ୍ୟୁରୋ : ଆଜିଠାରୁ ଆରମ୍ଭ ହେଉଛି ପାର୍ଲାମେଂଟର ବଜେଟ୍ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ସଂସଦର ସେଂଟ୍ରାଲ ହଲରେ ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏହାପରେ ଗୃହରେ ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରିପାରନ୍ତି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଫେବ୍ରୁଆରୀ ୧ରେ ୨୦୧୮ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହେବ । ୨୦୧୯ ନିର୍ବାଚନ ପୂର୍ବରୁ ଏହା ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ ହୋଇଥିବାରୁ ବିଭିନ୍ନ ଲୋକାଭିମୁଖୀ ଯୋଜନା ବାବଦରେ ଅଧିକ ବ୍ୟୟବାରଦ ହୋଇପାରେ । ଆୟକର ଛାଡ ସୀମା ବଢାଇବା ସହ ଭିତ୍ତଭୂମି ବିକାଶ ପାଇଁ ସିଂହଭାଗ ଅର୍ଥ ବରାଦ କରିବେ ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ପ୍ରଥମ ପର୍ଯ୍ୟାୟ ବଜେଟ ଅଧିବେସନ ଆଜିଠାରୁ ଆରମ୍ଭ ହୋଇ ଫେବ୍ରୁଆରୀ ୯ ତାରିଖ ଯାଏଁ ଚାଲିବ । ଆଜି ସଂସଦର ଉଭୟ ଗୃହକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଅଧିବେସନର ଦ୍ୱିତୀୟ ପର୍ଯ୍ୟୟ ମାର୍ଚ୍ଚ ୫ରୁ ଏପ୍ରିଲ ୯ ଯାଏଁ ଚାଲିବ । ବଜେଟ ଅଧିବେସନରେ ତିନି ତଲାକ ବିଲକୁ ରାଜ୍ୟସଭାରେ ପାରିତ କରିବାକୁ ଚେଷ୍ଟା କରିପାରନ୍ତି ମୋଦି ସରକାର । ଏହା ଲୋକସଭାର ଅନୁମୋଦନ ଲାଭ କରିସାରିଛି ।

ଅଧିବେଶନ ପୂର୍ବରୁ ସଂସଦକୁ ସୁରୁଖୁରୁରେ ଚଳାଇବା ପାଇଁ ସର୍ବଦଳୀୟ ବୈଠକ ଡକାଇ ଆଲୋଚନା କରିଛନ୍ତି ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ୍ । ବୈଠକରେ ସବୁଦଳର ପ୍ରତିନିଧି ଉପସ୍ଥିତ ଥିଲେ । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନନ୍ତ କୁମାର କହିଛନ୍ତି , ବିରୋଧୀ ଦଳର ସମସ୍ତ ପ୍ରସଙ୍ଗକୁ ସରକାର ଗୁରୁତ୍ୱର ସହ ନେଇଛନ୍ତି । ସମସ୍ତ ବିଷୟରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବି ସରକାର ସବୁଦଳର ନେତାଙ୍କ ସହ ଆଲୋଚନା କରିଛନ୍ତି ।

ପାର୍ଲାମେଂଟ ଅଧିବେଶନରେ ବିଜେଡି ରାଜ୍ୟ ସମ୍ପର୍କିତ ଏକାଧିକ ପ୍ରସଙ୍ଗ ଉଠାଇପାରିବ । ଗତ ଶୀତକାଳୀନ ଅଧିବେଶନରେ ଦଳ ପୋଲାଭରମ ଓ ମହାନଦୀ ପ୍ରସଙ୍ଗ ଉଠାଇଥିଲା । ଏବେ ପୁଣି ଏହି ପ୍ରସଙ୍ଗ ଉଠାଇପାରେ ବିଜେଡି । ମହାନଦୀ ଜଳ ବିବାଦ ନେଇ ସୁପ୍ରିମକୋର୍ଟର ଟ୍ରିବ୍ୟୁନାଲ ଗଠନ ନିର୍ଦ୍ଦେଶ ପରେ ମଧ୍ୟ ଛତିଶଗଡ ମହାନଦୀ ଉପର ମୁଣ୍ଡରେ ନିର୍ମାଣକାମ ଚାଲିଥିବାରୁ ବିଜେଡି ଏହି ପ୍ରସଙ୍ଗ ଉଠାଇପାରେ । ପୋଲାଭରମ ପାଇଁ ଆନ୍ଧ୍ରକୁ କେନ୍ଦ୍ର ସରକାର ସବୁପ୍ରକାରର ସହେଯାଗ ଦେଉଛନ୍ତି । ଓଡିଶାର ଅଭିଯୋଗକୁ ଶୁଣାଯାଉନାହିଁ । ତେଣୁ ବିଜେଡି ପାର୍ଲାମେଂଟରେ ଏହି ପ୍ରସଙ୍ଗ ଉଠାଇ ଅନ୍ୟ ଦଳର ସହ ଯୋଗ ଲୋଡିପାରେ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପାଇଁ କେନ୍ଦ୍ର ସରକାର ଅଗ୍ରାହ୍ୟ କରିଦେଇଥିବାରୁ ଏ ବାବଦରେ ବିଜେଡି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବ ।