ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ଭଣ୍ଡାର ଖୋଲିଦେଲେ ସରକାର ! ବ୍ୟୟବରାଦର ପୂରା ତାଲିକା ପଢନ୍ତୁ

93

କନକ ବ୍ୟୁରୋ : ୨୦୧୮-୧୯ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି ରାଜ୍ୟ ସରକାର । ଚଳିତ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରାଯାଇଥିବା ବଜେଟରେ ଶିକ୍ଷା ଓ ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଶିକ୍ଷା ଓ ଦକ୍ଷତା ବିକାଶ ପାଇଁ ମୋଟ ୧୯ ହଜାର ୬୭୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ରାଜ୍ୟ ସରକାର ।ଏଥିମଧ୍ୟରୁ ସର୍ବଶିକ୍ଷା ଅଭିଯାନ ପାଇଁ ୧୮୦୦ କୋଟି ଟଙ୍କା ବ୍ୟବବରାଦ କରାଯାଇଛି । ସେହିଭଳି ମଧ୍ୟାହ୍ନ ଭୋଜନ ଯୋଜନା ପାଇଁ ୮୦୮ କୋଟି ଟଙ୍କା ଓ ରାଷ୍ଟ୍ରୀୟ ମାଧ୍ୟମିକ ଶିକ୍ଷା ଅଭିଯାନ ପାଇଁ ୫୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ଗଙ୍ଗାଧର ମେହର ଶିକ୍ଷାମାନକ ବୃଦ୍ଧି ଯୋଜନାରେ ଛାତ୍ରଛାତ୍ରୀଙ୍କୁୁ ମାଗଣା ସ୍କୁଲ ବ୍ୟାଗ, ବହି, ଜୋତା ଓ ମାଗଣା ସାଇକେଲ ପାଇଁ ୩୦୯ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଆଦର୍ଶ ବିଦ୍ୟାଳୟ ପାଇଁ ୨୫୦ କୋଟି ବ୍ୟୟବରାଦ କରାଯାଇଥିବା ବେଳେ ଭୁବନେଶ୍ୱରର ସୈନିକ ସ୍କୁଲ ପାଇଁ ୩ କୋଟି ଟଙ୍କା ଅନୁଦାନ ପ୍ରସ୍ତାବ ରହିଛି । ମେଧାବୀ ଛାତ୍ରଛାତ୍ରୀଙ୍କୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ମେଧା ବୃତ୍ତି ଯୋଜନାରେ ୪୦ ହଜାର ଛାତ୍ରଛାତ୍ରୀଙ୍କୁ ବୃତ୍ତି ପ୍ରଦାନ କରିବାକୁ ପ୍ରସ୍ତାବ ରହିଛି । ଛାତ୍ରଛାତ୍ରୀଙ୍କୁ ଏକକାଳୀନ ୫ ହଜାର ଟଙ୍କା ପ୍ରଦାନ କରିବା ବଜେଟରେ ବ୍ୟୟବରାଦ ହୋଇଛି । ମୋ ସ୍କୁଲ ଅଭିଯାନ ପାଇଁ ୫୦ କୋଟି ଟଙ୍କା ବଜେଟରେ ବ୍ୟୟବରାଦ କରାଯାଇଛି । ପ୍ରି-ମାଟ୍ରିକ ଓ ପୋଷ୍ଟ ମାଟ୍ରିକ ପରେ ଅନୁସୂଚୀତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ୧ ହଜାର ୩୭୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ।

ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକର ଭିତ୍ତିଭୂମି ବିକାଶ ପାଇଁ ୧୮୨ କୋଟି, ବୈଷୟିକ ବିଶ୍ୱ ବିଦ୍ୟାଳୟ ଓ ମହାବିଦ୍ୟାଳୟ ପାଇଁ ୧୨୫ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ସେହିଭଳି ରୁସା ଯୋଜନା ପାଇଁ ୨୦୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।