ଆସନ୍ତାକାଲିର ବଜେଟ୍ ଉପରେ ସମସ୍ତଙ୍କ ନଜର : ସାଧାରଣ ଲୋକଙ୍କ ପାଇଁ ବଜେଟରେ କ’ଣ ଘୋଷଣା କରିବେ ସରକାର?

39

କନକ ବ୍ୟୁରୋ : ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁବାର ଉପସ୍ଥାପନ ହେବାକୁ ଯାଉଛି ମୋଦି ସରକାରଙ୍କ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ତେଣୁ ଲୋକଙ୍କୁ ତୁଷ୍ଟ କରିବା ପାଇଁ ରାଜନୀତି ଓ ଦେଶକୁ ଆଗକୁ ନେବା ପାଇଁ ଆବଶ୍ୟକ ଅର୍ଥନୀତିରେ ସମନ୍ୱୟ ରଖି ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଆଗତ କରିବେ ସାଧାରଣ ବଜେଟ୍ । ବଜେଟ୍ରେ କ’ଣ ଘୋଷଣା କରିବେ ସରକାର? ଏହା ଉପରେ ବଢି ଚାଲିଛି ଉତ୍କଣ୍ଠା । ବିଶେଷ କରି ଆୟକର ସୀମା ୩ ଲକ୍ଷ ଟଙ୍କାକୁ ବୃଦ୍ଧି ନେଇ ଚର୍ଚ୍ଚା ଚାଲିଥିବା ବେଳେ କ’ଣ କରୁଛନ୍ତି ଅର୍ଥମନ୍ତ୍ରୀ ଏହା ଉପରେ ରହିଛି ସମସ୍ତଙ୍କ ନଜର ।

ପେଟ୍ରୋଲ ଦରବୃଦ୍ଧି ଏବେ ଉଭୟ ସରକାର ଓ ଖାଉଟିଙ୍କ ଚିନ୍ତା ବଢାଇଦେଇଛି । ତେଣୁ ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ଅନ୍ତର୍ଭୁକ୍ତ କରିବାକୁ ଦାବି ହେଉଛି । ଆଶା ରହିଛି, ଏ ନେଇ କିଛି ଘୋଷଣା କରିପାରନ୍ତି ସରକାର । ବଜେଟ୍ ୨୦୧୮ରେ ମୋଦିଙ୍କ ମହତ୍ୱାକାଂକ୍ଷୀ ଡିଜିଟାଲ ଇଣ୍ଡିଆ ଯୋଜନା ଫୋକସରେ ରହିବା ସମ୍ଭାବନା ରହିଛି । ସରକାର ପେପର-ଲେସ୍ କାରବାର ଉପରେ ଗୁରୁତ୍ୱ ଦେଉଥିବା ବେଳେ ଡିଜିଟାଲ ଇଣ୍ଡିଆ ପାଇଁ ଥିବା ପ୍ରତିବନ୍ଧକ ଦୂର କରିବା ଦିଗରେ ପଦକ୍ଷେପ ନେଇପାରନ୍ତି ଅର୍ଥମନ୍ତ୍ରୀ ।

ଆର୍ଥିକ ନିଅଂଟକୁ ନିୟନ୍ତ୍ରଣ ଭିତରେ ରଖି ଲୋକଙ୍କ ଆଶା ପୂର୍ଣ୍ଣ କରିବା ହେବ ଜେଟଲୀଙ୍କ ପାଇଁ ବଡ଼ ଆହ୍ୱାନ । ଜିଏସଟି ପରର ପ୍ରଥମ ବଜେଟ୍ ହୋଇଥିବାରୁ ନିଯୁକ୍ତି ବୃଦ୍ଧି ପାଇଁ ସରକାର ନେଇପାରନ୍ତି ପଦକ୍ଷେପ । ତେଣୁ ଭିତ୍ତିଭୂମି ଓ ଗ୍ରାମ୍ୟ ଉନ୍ନୟନ କ୍ଷେତ୍ରରେ ଅଧିକ ନିବେଶ କରିବା ସମ୍ଭାବନା ରହିଛି । ଦର ବୃଦ୍ଧି ରୋକିବା ପାଇଁ ପଦକ୍ଷେପ, କର୍ପୋରେଟ୍ ଟାକ୍ସ ହ୍ରାସ, ବ୍ୟାଙ୍କଗୁଡିକର ଏନପିଏ ସମସ୍ୟା ପାଇଁ ପଦକ୍ଷେପ, ଷ୍ଟକ ବଜାରକୁ ପ୍ରୋତ୍ସାହନ, ସାଇବର ସିକ୍ୟୁରିଟି ଉପରେ ଫୋକସ ରଖିପାରନ୍ତି ସରକାର ।

ସେହିପରି ରେଳ ବଜେଟରେ ଯାତ୍ରୀଙ୍କ ସୁରକ୍ଷା, ଉନ୍ନତମାନର ସେବା, ସୁଲଭ ମୂଲ୍ୟରେ ଯାତ୍ରା ଆଦିକୁ ଆଗ୍ରାଧିକାର ଦିଆଯିବା ସମ୍ଭାବନା ରହିଛି । ସେପଟେ ରେଳବାଇର ବିକାଶ ଲାଗି ଓଡ଼ିଶା ୬୫୦୦ କୋଟି ଦାବି କରିଥିବା ବେଳେ ରେଳମନ୍ତ୍ରୀ କେତେ ଆବଂଟନ କରୁଛନ୍ତି, ତାହା ଉପରେ ରହିଛି ନଜର ।