ଷ୍ଟେଟ ବ୍ୟାଙ୍କ କେନ୍ଦ୍ର ସରକାରଙ୍କୁ ଦେଲା ନୂଆ ପ୍ରସ୍ତାବ ! ବଢିପାରେ ଆୟକର ଛାଡ ସୀମା, ଜୋର ଧରିଲା ଚର୍ଚ୍ଚା

57

କନକ ବ୍ୟୁରୋ : ବଢିପାରେ ଆୟକର ଛାଡ ସୀମା । ଏପରି ସମ୍ଭାବନା ନେଇ ଜତୀୟ ଗଣମାଧ୍ୟମରେ ଚର୍ଚା ଜୋର ଧରିଛି । ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଏହି ଛାଡ ସୀମାକୁ ଅଧିକ ୫୦ ହଜାର ଟଙ୍କା ବୃଦ୍ଧି କରିବା ପାଇଁ ଏସବିଆଇ ପ୍ରସ୍ତାବ ଦେଇଛି । ବର୍ତମାନ ଏହି ଛାଡ ସୀମା ୨ ଲକ୍ଷ ୫୦ ହଜାର ରହିଥିବା ବେଳେ ଏହାକୁ ୩ ଲକ୍ଷ ଟଙ୍କାକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦିଆଯାଇଛି ବୋଲି ସୂଚନା ମିଳିଛି । ଆସନ୍ତା ଫେରୃଆରୀ ୧ ତାରିଖରେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି ବର୍ତମାନ ସରକାରଙ୍କ ଶେଷ ଓ ନିଜର ପଂଚମ ବଜେଟ ଆଗତ କରିବେ ।

SBI-L-PTI-2କେନ୍ଦ୍ର ସରକାର କ୍ରମାଗତ ଭାବେ ଆୟକର ଛାଡ ସୀମା ବଢାଇ ଚାଲିଛନ୍ତି । ୧୯୯୦-୯୧ ଆର୍ଥିକ ବର୍ଷରେ ଏହି ସୀମା ୨୨ ହଜାର ରହିଥିବା ବେଳେ ୨୦୧୪-୧୫ ଆର୍ଥିକ ବର୍ଷରେ ଏହି ଛାଡ ସୀମା ୨ଲକ୍ଷ ୫୦ ହଜାର ହୋଇଛି । ସପ୍ତମ ବେତନ କମିଶନ ଲାଗୁ ହେବା ପରେ ଲୋକଙ୍କ ଆର୍ଥିକ କାରବାର ମଧ୍ୟ ବଢିଛି । ତେଣୁ ଆୟକର ସୀମା ତିନିଲକ୍ଷ କରିବାରେ ଅସୁବିଧା ନାହିଁ ବୋଲି ପ୍ରସ୍ତାବରେ ଉଲ୍ଲେଖ କରାଯାଇଥିବା କୁହାଯାଉଛି । ଏହି ଆୟକର ସୀମା ବଢିଲେ ୭୫ ଲକ୍ଷ କରଦାତା ଲାଭବାନ ହେବେ ବୋଲି ଚର୍ଚ୍ଚା ହେଉଛି ।

ସେହିପରି ଜମା ଅର୍ଥର ସୁଧ ଉପରେ ଲାଗୁ ହେଉଥିବା କର ଛାଡ ସୀମା ମଧ୍ୟ ବୃଦ୍ଧି କରିବାକୁ ପରାମର୍ଶ ଦିଆଯାଇଛି । ଏହା ବର୍ତମାନ ବାର୍ଷିକ ୧୦ ହଜାର ଟଙ୍କା ରହିଛି । ସେହିପରି ଦୀର୍ଘ ମିଆଦି କରମୁକ୍ତ ଜମା ମିଆଦକୁ ୫ ବର୍ଷରୁ ୩ ବର୍ଷକୁ କମାଇବା ନେଇ ମଧ୍ୟ ଚର୍ଚା ହେଉଛି । ଆସନ୍ତା ବଜେଟ ଲୋକଙ୍କୁ ଆକର୍ଷଣ କରିବା ପରି ହେବା ସମ୍ଭାବନା ଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଦେଇଥିବା ଏହି ପ୍ରସ୍ତାବଗୁଡିକ ଗ୍ରହଣୀୟ ସମ୍ଭାବନା ରହିଥିବା କୁହାଯାଉଛି ।