ବାସହୀନଙ୍କୁ ଘର ଏବଂ ଘରକୁ ମିଳିବ ଏଲଇଡି ଲାଇଟ୍ ! ବାଳିକା ଏବଂ ମହିଳାଙ୍କ ସାନିଟାରୀ ନାପକିନ୍ ପାଇଁ ବଜେଟରେ ୫୦କୋଟି

62

କନକ ବ୍ୟୁରୋ : ଚଳିତ ବଜେଟରେ ରାଜ୍ୟ ସରକାର କାର୍ଯ୍ୟକାରୀ କରୁଥିବା ଯୋଜନା ଗୁଡିକୁ ଅଧିକ ଗୁରୁତ୍ୱ ମିଳିଛି । ମହିଳା ଓ ଛାତ୍ରୀମାନଙ୍କୁ ମାଗଣାରେ ସାନିଟାରି ନାପକିନ୍ ଯୋଗାଇବା ପାଇଁ ଖୁସି ଯୋଜନାରେ ୫୦କୋଟି ଟଙ୍କାର ବ୍ୟୟବରାଦ କରିଛନ୍ତି ଅର୍ଥମନ୍ତ୍ରୀ । ଏହା ସହ ନୂଆ କରି ଆରମ୍ଭ କରିଛନ୍ତି ଆମ ଘରେ ଏଲଇଡି ଲାଇଟ ଭଳି ଯୋଜନା । ଏହି ଯୋଜନାରେ ପ୍ରତ୍ୟେକ ଗରିବ ପରିବାରକୁ ମାଗଣାରେ ଯୋଗାଇ ଦିଆଯିବ ୪ଟି ଏଲଇଡି ବଲବ୍ । ସେହିପରି ୨୦୧୮ ସୁଦ୍ଧା ୨୦ଲକ୍ଷ ବାସହୀନଙ୍କୁ ଘର ଯୋଗାଇବା ପାଇଁ ଲକ୍ଷ୍ୟ ରଖିଚନ୍ତି ସରକାର ।

ବାଳିକା ଓ ମହିଳାମାନଙ୍କ ଋତୁସ୍ରାବକାଳୀନ ସ୍ୱାସ୍ଥ୍ୟରକ୍ଷାକୁ ଗୁରୁତ୍ୱ ଦେଇଛନ୍ତି ରାଜ୍ୟ ସରକାର । ଖୁସି ନାମକ ଆରମ୍ଭ ହୋଇଥିବା ଯୋଜନାରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀରେ ଛାତ୍ରୀଙ୍କ ପାଇଁ ମାଗଣାରେ ଯୋଗାଇ ଦିଆଯିବ ସାନିଟାରି ନାପକିନ୍ । ଏହା ସହ ବିଭିନ୍ନ ଗୋଷ୍ଠୀର ମହିଳାଙ୍କ ପାଇଁ ରିହାତି ଦରରେ ଯୋଗାଇ ଦିଆଯିବ ସାନିଟାରି ନାପକିନ୍ । ଏଥିପାଇଁ ବଜେଟରେ ୫୦ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସରକାରଙ୍କ ନୂଆ ଯୋଜନା – “ଆମ ଘରେ ଏଲ.ଇ.ଡି. ଲାଇଟ୍” । ରାଜ୍ୟରେ ବିଦ୍ୟୁତର ସଠିକ୍ ଉପଯୋଗ ପାଇଁ ପ୍ରତି ଗରିବ ପରିବାରକୁ ଯୋଗାଇ ଦିଆଯିବ ୪ଟି ଏଲ.ଇ.ଡି. ବଲ୍ବ । ଏହି ନୂଆ ଯୋଜନା ପାଇଁ ଖର୍ଚ୍ଚ ହେବ ୧୨୫ କୋଟି ଟଙ୍କା ।

ଓଡ଼ିଆ ଭାଷାର ପ୍ରସାର ପ୍ରଚାର ପାଇଁ ପ୍ରତି ୫ ବର୍ଷରେ ଏକ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ ହେବ । ଆସନ୍ତା ବର୍ଷ ପ୍ରଥମ ଥର ହେବାକୁ ଥିବା ସମ୍ମିଳନୀ ପାଇଁ ଖର୍ଚ୍ଚ ହେବ ୧ କୋଟି ଟଙ୍କା । ସେହିପରି ଓଡ଼ିଶା ଭାଷା ପ୍ରତିଷ୍ଠାନ ଗଠନ ପାଇଁ ବଜେଟ୍ରେ ପ୍ରସ୍ତାବ ରହିଛି । ଓଡ଼ିଆ ଭର୍ଚୁଆଲ୍ ଏକାଡେମୀ ଜରିଆରେ ଓଡ଼ିଆ ଭାଷାର ରଚିତ ପୁସ୍ତକର ଡଜିଟାଇଜେସନ୍ କରାଯିବ । ରାଜ୍ୟରେ କ୍ରୀଡ଼ାର ବିକାଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବଜେଟରେ । ବିଶେଷ କରି ଆସନ୍ତା ବର୍ଷ ପୁରୁଷ ହକି ବିଶ୍ୱ କପ୍ ଟୁର୍ନାମେଂଟ୍ ପାଇଁ ୧୨୫ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି ।

ସ୍ମାର୍ଟ ସିଟିରେ ଅନ୍ତର୍ଭୁକ୍ତ ହୋଇଥିବା ଭୁବନେଶ୍ୱର ଓ ରାଉରକେଲା ପାଇଁ ୪୦୦ କୋଟି ଟଙ୍କାର ବ୍ୟୟବରାଦ । ସେହିପରି ଅମୃତ ଯୋଜନାରେ ରାଜ୍ୟର ୯ଟି ସହରର ବିକାଶ ପାଇଁ ୨୫୦ କୋଟି ଟଙ୍କା ଖର୍ଚ୍ଚ କରିବେ ସରକାର । ପାଇକ ବିଦ୍ରୋହର ୨୦୦ ବର୍ଷର ପୂର୍ତ୍ତି ଉପଲକ୍ଷେ ବକ୍ସି ଜଗବନ୍ଧୁ ନିଶ୍ଚିତ ଜଳଯୋଗାଣ ଯୋଜନା ବା ବସୁଧା ପାଇଁ ବ୍ୟୟ ଅଟକଳ ରହିଛି ୧୩୫୦ କୋଟି ଟଙ୍କା । ଏହି ଯୋଜନା ଅଧିନରେ ଗ୍ରାମାଂଚଳ ପାଇଁ ଖର୍ଚ୍ଚ ହେବ ୧୦୦୦ କୋଟି ।

୨୦୧୮ ଡିସେମ୍ବର ସୁଦ୍ଧା ୨୦ ଲକ୍ଷ ବାସହୀନଙ୍କୁ ଘର ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି ସରକାର । ପ୍ରଧାନମନ୍ତ୍ରୀ ଗ୍ରାମୀଣ ଆବାସ ଯୋଜନା ଓ ବିଜୁ ପକ୍କାଘର ଯୋଜନା ଅଧିନରେ ରହିଛି ୩,୫୯୨ କୋଟି ଟଙ୍କାର ବ୍ୟବସ୍ଥା । ମୋଟ ୧ ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କା ଖର୍ଚ୍ଚ ହେବ ୨୦୧୮-୧୯ ଆର୍ଥିକ ବର୍ଷରେ । ସେଥିମଧ୍ୟରୁ କେବଳ ଶିକ୍ଷା ଓ ଦକ୍ଷତା ଉନ୍ନୟନ ପାଇଁ ୧୯ ହଜାର ୬୭୮ କୋଟି ଟଙ୍କା ବ୍ୟୟବରାଦ କରିଛନ୍ତି ସରକାର ।