କ୍ଷତି ସହିଥିଲ ରିହାତି ପାଅ ! ବିମୁଦ୍ରାକରଣରେ କ୍ଷତି ସହିଥିବା ମଧ୍ୟବିତ୍ତଙ୍କୁ ଖୁସ୍ କଲେ ଅର୍ଥମନ୍ତ୍ରୀ

36

କନକ ବ୍ୟୁରୋ : ବିମୁଦ୍ରାକରଣ ପରେ ଆଜି ମୋଦି ସରକାର ପ୍ରଥମ ବଜେଟ୍ ଉପସ୍ଥାପନ କରି ମଧ୍ୟବିତ୍ତଙ୍କୁ ରିହାତି ଦେବାକୁ ଚେଷ୍ଟା କରିଛନ୍ତି । ଏଥିସହ ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କ ଏହି ବଜେଟରେ କୃଷି, କୃଷକ ଓ ଗାଁ ଅଗ୍ରାଧିକାର ପାଇଥିବା ଲକ୍ଷ୍ୟ କରାଯାଇଛି । ଅନେକ ଏଥିପାଇଁ ମୋଦିଙ୍କ ଏହା ଗାନ୍ଧିନୀତି ବୋଲି ମଧ୍ୟ କହିଛନ୍ତି । ଏହାଛଡା ଛୋଟ ଛୋଟ କମ୍ପାନୀଗୁଡିକୁ ଟିକସ ରିହାତି ଦିଆଯାଇଛି ।

ଦଶନ୍ଧି ଦଶନ୍ଧି ଧରି ନିର୍ବାଚନୀ ଚାନ୍ଦାର ଦୁର୍ନୀତି ରୋକିବାକୁ ଏହି ବଜେଟରେ ପ୍ରୟାସ କରିଛନ୍ତି ମୋଦି ସରକାର । ମୋଟାମୋଟି ଭାବେ କହିବାକୁ ଗଲେ ଏହାକୁ ଫିଲ୍ ଗୁଡ୍ ବଜେଟ ବୋଲି କୁହାଯାଉଛି । ତେବେ ପ୍ରଥମେ ନଜର ପକାନ୍ତୁ କିପରି ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପକେଟକୁ ଅଧିକ ଟଙ୍କା ଆସିବାର ବ୍ୟବସ୍ଥା କରାଯାଇଛି ।

ବିମୁଦ୍ରାକରଣରେ ପ୍ରଭାବିତ ମଧ୍ୟବିତଙ୍କୁ ଆୟକରରେ ଟିକିଏ ଆଶ୍ୱସ୍ତି ଦେବାକୁ ଚେଷ୍ଟା କରିଛନ୍ତି ମୋଦି । କାରଣ ଏହି ବର୍ଗ ନୋଟବନ୍ଦୀ ପାଇଁ ମାସ ମାସ ଧରି ହନ୍ତସନ୍ତ ହୋଇଛି ।

୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତଙ୍କ ପାଇଁ ଖୁସି ଖବର । ଏଣିକି ୧୦ ପ୍ରତିଶତ ବଦଳରେ ୫ ପ୍ରତିଶତ ଟିକସ ଦେବାକୁ ପଡିବ । ଅର୍ଥାତ୍ ଅଢେଇ ଲକ୍ଷରୁ ୫ ଲକ୍ଷ ଟଙ୍କା ସ୍ଲାବରେ ଏଣିକି ମାତ୍ର ୫ ପ୍ରତିଶତ ଟିକସ ଦେବାକୁ ପଡିବ । ନୂଆ ନିୟମ ଅନୁସାରେ ସାଢେ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ୫ହଜାର ବଦଳରେ ଅଢେଇ ହଜାର ଟଙ୍କା ଦେବାକୁ ପଡିବ । ସେକ୍ସନ ୮୭ ଏ ର ନୂଆ ନିୟମ ଏବଂ ୫ ପ୍ରତିଶତକୁ ହ୍ରାସ ପାଇଥିବା ସର୍ବନିମ୍ନ ଟ୍ୟାକ୍ସ ସ୍ଲାବ ରେଟ୍ ଅନୁଯାୟୀ ୩ ଲକ୍ଷ ଟଙ୍କା ବାର୍ଷିକ ଆୟ କରୁଥିବା ବ୍ୟକ୍ତିଙ୍କୁ ଆଦୌ ଟିକସ ଦେବାକୁ ପଡିବ ନାହିଁ ।

ସେହିପରି ଯେଉଁମାନେ ବାର୍ଷିକ ୪ ଲକ୍ଷ ୫୦ ହଜାର ପର୍ଯ୍ୟନ୍ତ ରୋଜଗାର କରୁଛନ୍ତି, ସେମାନେ ମଧ୍ୟ ଟିକସ ମୁକ୍ତ ହୋଇପାରନ୍ତି । ସେମାନେ ସେକ୍ସନ ୮୦ ସି ଅନୁଯାୟୀ ସଂଚୟ ଓ ନିବେଶ କରି ଫାଇଦା ପାଇପାରିବେ । ଏପରିକି ୨ ଲକ୍ଷ ୫୦ ହଜାରରୁ ୫ ଲକ୍ଷ ଟଙ୍କା ଯାଏଁ ବାର୍ଷିକ ରୋଜଗାରୀଙ୍କୁ ୫ ପ୍ରତିଶତ ହିସାବରେ ମାତ୍ର ୧୨ ହଜାର ୫୦୦ ଟଙ୍କା ଟିକସ ଦେବାକୁ ପଡିବ । ପୂର୍ବରୁ ଏହା ୨୫ ହଜାର ଟଙ୍କା ଥିଲା ।

ହେଲେ ଅତି ଉଚ୍ଚ ଆୟକାରୀ ବର୍ଗଙ୍କ ଉପରେ ଚଡ଼କ ପଡିଛି । ୫୦ ଲକ୍ଷରୁ ୧ କୋଟି ପର୍ଯ୍ୟନ୍ତ ଆୟକାରୀଙ୍କୁ ଦେବାକୁ ୧୦ ପ୍ରତିଶତ ସରଚାର୍ଜ । ୧ କୋଟିରୁ ବାର୍ଷିକ ଅଧିକ ଆୟକାରୀଙ୍କ ସରଚାର୍ଜ ଅପରିବର୍ତିତ ରହିଛି ।