ସାଧାରଣ ବଜେଟ୍ ୨୦୧୭ ! ସଂସଦରେ ଆଗତ କଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି

26

କନକ ବ୍ୟୁରୋ : ସଂସଦରେ ସାଧାରଣ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି । କଂଗ୍ରେସର ବିରୋଧ ସତ୍ୱେ ବଜେଟ କଲେ ଆଗତ । ଏନେଇ ସମସ୍ତଙ୍କ ସମର୍ଥନ ପାଇଁ ଲୋକଙ୍କୁ ଧନ୍ୟବାଦ ଜଣାଇଲେ ଜେଟଲି । କହିଲେ ଦେଶବାସୀଙ୍କ ଫାଇଦା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିଛି ।୨୦୧୬ରେ ଅର୍ଥନୀତିରେ ଦୁଇଟି ବଡ ନିଷ୍ପତି ନିଆଯାଇଛି । ବିମୁଦ୍ରାକରଣ ଓ ଜିଏସଟି ବିଲ୍ ପାସ୍ କରାଯାଇଛି । ବିମୁଦ୍ରାକରଣ ନିଷ୍ପତି ପରେ ଜିଡିପିରେ ଅଭିବୃଦ୍ଧି ଘଟିଛି, ଆର୍ଥିକ ବ୍ୟବସ୍ଥା ସ୍ୱଚ୍ଛ ହୋଇଛି । ବିମୁଦ୍ରାକରଣ ପରେ ଦେଶ ବୃହତ ପରିବର୍ତନ ଚାହୁଁଛି । ଏବେ ନଜର ପକାନ୍ତୁ କଣ ରହିଛି ସାଧାରଣ ବଜେଟରେ  ।

ଆୟକର ଛାଡ ସୀମାରେ ବଡ ସଂସ୍କାର ହୋଇଛି । ସରକାର ଏଥର ବଜେଟରେ ଆୟକର ଛାଡ ସୀମା ବଢାଇଛନ୍ତି । ଅଢେଇରୁ ୫ଲକ୍ଷ ପର୍ଯ୍ୟନ୍ତ ଆୟ କରୁଥିବା ବ୍ୟକ୍ତିଙ୍କୁ ୫ ପ୍ରତିଶତ ଆୟକର ଦେବାକୁ ପଡିବ । ପୂର୍ବରୁ ୧୦ ପ୍ରତିଶତ ଦେବାକୁ ପଡୁଥିଲା । ପ୍ରତିବର୍ଷ ୩ଲକ୍ଷ ଟଙ୍କା ଆୟ କରୁଥିବା ଲୋକଙ୍କୁ କୌଣସି ଆୟକର ପୈଠ କରିବାକୁ ପଡିବ ନାହିଁ ।

ସେପଟେ ରାଜନୈତିକ ଦଳ ଚାନ୍ଦା ଗ୍ରହଣ ଉପରେ ସାଧାରଣ ବଜେଟରେ କଟକଣା ଲଗାଇଛିନ୍ତି କେନ୍ଦ୍ର ସରକାର । ରାଜନୈତିକ ଦଳ ଜଣେ ବ୍ୟକ୍ତ କିମ୍ବା ଅନୁଷ୍ଠାନ ଠାରୁ ନଗଦ ୨ ହଜାର ଟଙ୍କା ଚାନ୍ଦା ଗ୍ରହଣ କରିପାରିବେ । ୨ ହଜାରରୁ ଅଧିକ ଟଙ୍କା ଚାନ୍ଦା କେବଳ ଡିଜିଟାଲ ଟ୍ରାଂଜାକସନ୍ କିମ୍ବା ଚେକ୍ ମାଧ୍ୟମରେ ଗ୍ରହଣ କରାଯାଇପାରିବ । ଚାନ୍ଦା ଦେଉଥିବା ଲୋକ ବଣ୍ଡ କିଣି ମଧ୍ୟ ରାଜନୈତିକ ଦଳକୁ ଦେଇପାରିବେ । ରାଜନୈତିକ ଦଳଗୁଡିକ ପାଇଁ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବଣ୍ଡ ଜାରି କରିବ । ୨ହଜାରର ଅଧିକ ଚାନ୍ଦା ଗ୍ରହଣ କଲେ ତାର ହିସାବ ଦେବାକୁ ପଡିବ ।

ରେଳ ବଜେଟରେ ଯାତ୍ରୀ ଭଡା ଅପରିବର୍ତିତ ରହିଛି । ରେଲବାଇ ପାଇଁ ୧ଲକ୍ଷ ୩୧ ହଜାର କୋଟି ଟଙ୍କା ଏବଂ ରେଳ ସୁରକ୍ଷା ବାବଦକୁ ୧ଲକ୍ଷ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ଏଥିରେ ଓଡିଶାର ଭାଗ ପଡିଛି ୫ ହଜାର ୧୦୨ । । ୨୦୨୦ ସୁଦ୍ଧା ଦେଶରୁ ମାନବହୀନ ରେଳ ଫାଟକ ସଂପୂର୍ଣ୍ଣ ବନ୍ଦ କରାଯିବ । ୭ହଜାର ରେଳ ଷ୍ଟେସନରେ ସୌର ଲାଇଟ ଜଳିବ ।

ଅତ୍ୟାଧୁନିକ ବ୍ୟବସ୍ଥା ପାଇଁ ୨୫ଟି ରେଳ ଷ୍ଟେସନକୁ ଚୟନ କରାଯାଇଛି । ୫ଶହ କିଲୋମିଟର ନୂଆ ରେଳ ଲାଇନ ଖୋଲାଯିବ । ସେହିପରି ଇ-ଟିକେଟକୁ ସେବାକର ମୁକ୍ତ କରାଯାଇଛି । ୫ଶହ ଷ୍ଟେସନରେ ଦିବ୍ୟାଙ୍ଗଙ୍କ ପାଇଁ ରହିବ ସ୍ୱତନ୍ତ୍ର ବ୍ୟବସ୍ଥା । ୨୦୨୦ ସୁଦ୍ଧା ସମସ୍ତ ଟ୍ରେନରେ ବାୟୋଟଏଲେଟ ଲାଗିବ । ଏସଏମଏସ ମାଧ୍ୟମରେ କ୍ଲିନ୍ ମାଇ କୋଚ୍ କାର୍ଯ୍ୟକ୍ରମ ଜାରି ରହିଛି ।

ସେହିପରି ଚଳିତ ଆର୍ଥିକ ବର୍ଷରେ ଚାଷୀ ଓ ଚାଷ ଉପରେ ଗୁରୁତ୍ୱ ଦେଇଛନ୍ତି କେନ୍ଦ୍ର ସରକାର । କୃଷକଙ୍କ ଆୟ ୫ ବର୍ଷରେ ଦୁଇ ଗୁଣା କରିବା ପାଇଁ ସରକାର ପ୍ରତିବଦ୍ଧ ଥିବା କହିଛନ୍ତି ଅର୍ଥମନ୍ତ୍ରୀ । ୨୦୧୭-୧୮ରେ ଚାଷୀଙ୍କୁ ୧୦ଲକ୍ଷ କୋଟି ଟଙ୍କା କୃଷ ଋଣ ଦିଆଯିବା ନେଇ ଲକ୍ଷ୍ୟ ରଖାଯାଇଛି । କୃଷକଙ୍କୁ ଋଣ ଦେଉଥିବା ସଂସ୍ଥାର କମ୍ପୁଟରୀ କରଣ ହେବ ।

ଫସଲ ବୀମା ପାଇଁ ୯ ହଜାର କୋଟି ଟଙ୍କାର ବ୍ୟବସ୍ଥା ରହିଛି । ୨୦୧୭-୧୮ରେ ଫସଲ ବୀମା ୩୦ ପ୍ରତିଶତ ବଦଳରେ ୪୦ ପ୍ରତିଶତ ହେବ । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ କୃଷି ଯାତ ଦ୍ରବ୍ୟ ଅଧିକ ଉତ୍ପାଦନ ହୋଇଛି । କୃଷି ଅଭିବୃଦ୍ଧି ହାର ୪ ଦଶମିକ ୧ ଆକଳନ କରାଯାଇଛି । ପଶୁପାଳନ ଓ ଡାଏରି ବିକାଶ ପାଇଁ ୮ ହଜାର କୋଟି ଟଙ୍କା ଖର୍ଚ୍ଚ ଆକଳନ କରାଯାଇଛି ।