ପଦାରେ ପଡ଼ିଲା ପାକିସ୍ତାନର ଆଭିମୁଖ୍ୟ । ଇମ୍ରାନ୍ କହିଲେ ଯୁଦ୍ଧର କଥା, ମୋଦି ବଖାଇଲେ ବୁଦ୍ଧବାଣୀ ।

306

କନକ ବ୍ୟୁରୋ : ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ପୁଣି ପାକିସ୍ତାନର ମୁଖା ଖୋଲିଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଶ୍ୱ ଶାନ୍ତିର ବାର୍ତା ଦେଉଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ଖାଲି ଯୁଦ୍ଧର କଥା କହିଛନ୍ତି । ଆଉ ତାଙ୍କୁ କଡା ଜବାବ୍ ଦେଇଛନ୍ତି ଭାରତୀୟ ବିଦେଶ ମନ୍ତ୍ରାଳୟର ସଚିବ ।

ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଭାରତର ଶାନ୍ତି ପ୍ରତି ପ୍ରତିବଦ୍ଧତାକୁ ସାରା ବିଶ୍ୱ ଆଗରେ ଦର୍ଶାଉଥିଲେ । ଏଥିସହ ଜଳବାୟୁ ପରିବର୍ତ୍ତନ, ପରିବେଶକୁ ନେଇ ଭାରତର ଆଭିମୁଖ୍ୟ ସ୍ପଷ୍ଟ କରୁଥିଲେ ମୋଦୀ । କିନ୍ତୁ ସେପଟେ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଥିଲା ଯୁଦ୍ଧ ଓ ଆଶାନ୍ତିର କଥା ।

ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆଭିମୁଖ୍ୟ ଓ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନଙ୍କ ମଧ୍ୟରେ ଏତେ ବଡ଼ ଫରକ ସାରା ବିଶ୍ୱ ଦେଖିଲା । କାଶ୍ମୀର ପ୍ରସଙ୍ଗକୁ ଅନ୍ତର୍ଜାତୀୟ ପ୍ରସଙ୍ଗ କରିବା ପାଇଁ ସତେ ଯେମିତି ଇମ୍ରାନ ଏହି ସୁଯୋଗ ଅପେକ୍ଷାରେ ଥିଲେ । ଆଉ ଏପଟେ ଭାରତୀୟ ପ୍ରତିନିଧି ତଥା ବିଦେଶ ମନ୍ତ୍ରାଳୟର ପ୍ରଥମ ସଚିବ ଇମ୍ରାନଙ୍କୁ କଡ଼ା ଜବାବ ଦେଇଥିଲେ ।

ବିଶ୍ୱକୁ ଭାରତ ଯୁଦ୍ଧ ଦେଇନି, ବୁଦ୍ଧ ଦେଇଛି ଏବଂ ସବକା ସାଥ୍ ସବକା ବିକାଶର ପ୍ରସଙ୍ଗ ଉଠାଇ ମୋଦୀ କାଶ୍ମୀର ସମସ୍ୟାର ଏକ ବଡ଼ ସମାଧାନ ଆଡକୁ ଇସାରା ଦେଉଥିବା ବେଳେ ପାକ୍ ପ୍ରଧାନମନ୍ତ୍ରୀଙ୍କ ମୁହଁରେ ଥିଲା ଖାଲି ଯୁଦ୍ଧର କଥା । ଆଉ ଦୁଇ ପ୍ରଧାନମନ୍ତ୍ରୀଙ୍କ ଆଭିମୁଖ୍ୟରୁ ସାରା ବିଶ୍ୱ ସ୍ପଷ୍ଟ ବାରି ହେଉଥିବ, ଏଇ ଦୁଇ ଦେଶ ଭିତରେ କେତେ ପାର୍ଥକ୍ୟ ।