ହାତରେ ବନ୍ଧୁକ ପେଟରେ ଭୋକ ! ପାଣିଆ ଡାଲି, ପୋଡା ରୁଟି ଖାଇ ସୀମାରେ ସୁରକ୍ଷା ଯୋଗାଉଛନ୍ତି ଯବାନ

44

ଜମ୍ମୁ ଓ କଶ୍ମୀର ସୀମାରେ ନିୟୋଜିତ ଯବାନଙ୍କ ଦେଶବାସୀଙ୍କୁ ଅନୁରୋଧ । ଦୀର୍ଘ ଘଂଟା ଧରି କର୍ତବ୍ୟ ପାଳନ କରୁଥିବା ଯବାନଙ୍କୁ ଅତି ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ । ଏପରିକି ସକାଳେ ତାଙ୍କୁ ମାତ୍ର ଗୋଟିଏ ରୁଟି ଓ ଚା ଦିଆଯାଉଥିବା ସେ କହିଛନ୍ତି । ତେବେ ଏଥିପାଇଁ ଯବାନ ଜଣକ ସରକାରଙ୍କ ନୁହେଁ ବରଂ ସେନାର ଉଚ୍ଚ ପଦାଧିକାରୀଙ୍କୁ ଦାୟୀ କରିଛନ୍ତି । ସରକାର ସବୁ ସାମଗ୍ରୀ ଯୋଗାଉଥିଲେ ସୁଦ୍ଧା ପଦାଧିକାରୀ ମାନେ ଏହାକୁ ବିକ୍ରି କରି ଦେଉଥିବା କହିଛନ୍ତି ।

ସେନାରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ ନେଇ ସେ ୩ଟି ଭିଡିଓ ଅପଲୋଡ କରିଛନ୍ତି ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଏହି ଭିଡିଓରେ ସେ ଦେଶବାସୀଙ୍କୁ ଅନୁରୋଧ କରିବାକୁ ଚାହୁଁଛି । ମୁଁ ବିଏସଏଫ ୩୮ବାଟାଲିୟନରେ କାର୍ଯ୍ୟରତ । ଆମେ ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦୀର୍ଘ ୧୧ଘଂଟା ଧରି ଅନବରତ ଭାବେ ବରଫ ଉପରେ ଠିଆ ହୋଇ କର୍ତବ୍ୟ ସମ୍ପନ୍ନ କରୁଛୁ । ବରଫ, ବର୍ଷା ଓ ଝଡତୋଫାନରେ ଆମେ ଡ୍ୟୁଟି କରୁଛୁ । କିନ୍ତୁ ଆମକୁ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ସେ କହିଛନ୍ତି ।

ସେପଟେ ବିଏସଏଫ ଯବାନଙ୍କ ଭାଇରାଲ ଭିଡିଓ ପ୍ରସଙ୍ଗରେ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ଗୃହମନ୍ତ୍ରୀ । ଏହାସହ ଏହି ଘଟଣାକୁ ଗୁରୁତର ସହ ନିଆଯାଇଥିବା ଲେଖି ଟ୍ୱିଟ୍ କରିଛନ୍ତି କେନ୍ଦ୍ର ଗୃହରାଷ୍ଟ୍ର ମନ୍ତ୍ରୀ କିରନ ରିଜିଜୁ । ଏହାସହ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁସାରେ ଯବାନ ଜଣଙ୍କୁ ସୀମାରୁ ହେଡକ୍ୱାର୍ଟକୁ ବଦଳି କରିଦିଆଯାଇଛି ।