ବିଏସଏଫ ଯବାନଙ୍କ ଭାଇରାଲ ଭିଡିଓ ପ୍ରସଙ୍ଗ : ଆଜି ଗୃୃହ ବିଭାଗକୁ ରିପୋର୍ଟ ଦେବ ବିଏସଏଫ

46

କନକ ବ୍ୟୁରୋ : ବିଏସଏଫ ଜବାନଙ୍କ ତେଜ ବାହାଦୁରଙ୍କ ଭାଇରାଲ ଭିଡିଓ ପ୍ରସଙ୍ଗକୁ ନେଇ ଆଜି ଗୃହମନ୍ତ୍ରାଳୟକୁ ରିର୍ପୋଟ ପ୍ରଦାନ କରିବ ବିଏସଏଫ । ଜମ୍ମୁ କଶ୍ମୀରରେ କାର୍ଯ୍ୟରତ ଡିଆଇଜି ସ୍ତରର ଅଧିକାରୀ ଏହି ରିର୍ପୋଟ ପ୍ରସ୍ତୁତ କରୁଛନ୍ତି । ଯବାନଙ୍କୁ ନିମ୍ନମାନର ଖାଦ୍ୟ ପ୍ରଦାନ ଓ ରାସନ୍ ଦୁର୍ନୀତି ନେଇ ସୋସିଆଲ ମିଡିଆରେ ଭିଡିଓ ପୋଷ୍ଟିଂ କରି ଅଭିଯୋଗ କରିଥିଲେ କନେଷ୍ଠବଳ ତେଜ ବାହାଦୁର ଯାଦବ । ଏଥିସହ ବରିଷ୍ଠ ଅଧିକାରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ମଧ୍ୟ ସେ ଆଣିଥିଲେ ।

ଭିଡିଓରେ ତେଜ ବାହାଦୂର, ସୀମା ସୁରକ୍ଷାରେ ଥିବା ଯବାନଙ୍କ ଦୁର୍ଦ୍ଦଶା ବଖାଣିଥିଲେ । ସେ ଅଭିଯୋଗ କରିଥିଲେ, ଆମେ ସକାଳ ୬ଟାରୁ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଦୀର୍ଘ ୧୧ଘଂଟା ଧରି ଅନବରତ ଭାବେ ବରଫ ଉପରେ ଠିଆ ହୋଇ ଆମର କର୍ତବ୍ୟ ସମ୍ପନ୍ନ କରୁଛୁ । ବରଫ, ବର୍ଷା ଓ ଝଡତୋଫାନରେ ଆମେ ଡ୍ୟୁଟି କରୁଛୁ । କିନ୍ତୁ ଆମ ପରିସ୍ଥିତି ସମ୍ପର୍କରେ ନାଁ ମିଡିଆରେ ଦେଖାଯାଉଛି ନାଁ କେଉଁ ମନ୍ତ୍ରୀ ଶୁଣୁଛନ୍ତି । ଆମ କଷ୍ଟକୁ ଦେଶ ବୁଝିବାକୁ ଚେଷ୍ଟା କରୁ ।

ଆମେ ସରକାରଙ୍କ ବିରୋଧରେ ଅଭିଯୋଗ କରୁନାହୁଁ । କାରଣ ସରକାର ସମସ୍ତ ସାମଗ୍ରୀ ଆମ ପାଇଁ ଯୋଗାଇ ଦେଉଛନ୍ତି କିନ୍ତୁ ଉଚ୍ଚ ପଦାଧିକାରୀ ସବୁ ସାମଗ୍ରୀ ବିକ୍ରି କରି ଦେଉଛନ୍ତି । ବେଳେ ବେଳେ ଆମକୁ ଭୋକିଲା ପେଟରେ ଶୋଇବାକୁ ପଡୁଛି । ଏହି ଭିଡିଓ ଭାଇରାଲ ହେବା ସହ ସାରା ଦେଶରେ ଆଲୋଡନ ସୃଷ୍ଟି ହୋଇଛି । ଗୃହମନ୍ତ୍ରୀ ରାଜନାଥ ସିଂ ତୁରନ୍ତ ଏହାର ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ।