୨ ସପ୍ତାହ ପରେ ବାହାରିଥାନ୍ତା ବରଯାତ୍ରୀ, କିନ୍ତୁ ଘରୁ ବାହାରିଲା ଫୁଲ ଏବଂ ତ୍ରିରଙ୍ଗାରେ ସଜା ହୋଇଥିବା କୋକେଇ ।

82

ବୋଧହୁଏ ଆପଣଙ୍କର ମନେଥିବ ଜେ.ପି ଦାତାଙ୍କର ଏକ ବହୁ ଚର୍ଚ୍ଚିତ ଫିଲ୍ମ ବର୍ଡର, ଯାହା ଫିଲ୍ମ ଦୁନିଆରେ ଏକ ଭାବାତ୍ମକ ପରିସ୍ଥିତି ସୃଷ୍ଟି କରିଥିଲା । ସେଥିରେ ଅକ୍ଷୟ ଖାନା ବିଏସଏଫ ଯବାନ ଭୁମିକାରେ ନଜର ଆସିଥିଲେ । ଫିଲ୍ମର ଅକ୍ଷୟଙ୍କ ଚରିତ୍ର ଯେମିତି ଥିଲା ବାସ୍ତବ ଜୀବନରେ ଠିକ୍ ସେହିଭଳି ଘଟଣା ବିଏଏସଏଫ ଯବାନ ବିଜୟ ପାଣ୍ଡେଙ୍କ କ୍ଷେତ୍ରରେ ଦେଖାଦେଇଛି ।

ଆଉ ଦିନ କେଇଟା ପରେ ରଙ୍ଗୀନ ଫୁଲରେ ସଜ୍ଜା ହୋଇଥିବା ପାଲିଙ୍କିରେ ବସି ବର ହୋଇ ଯାଇଥାନ୍ତେ । ବାଜା, ବାଣରେ ପୂରା ଅଞ୍ଚଳ ଫାଟି ପଡ଼ିଥାନ୍ତା । ନାଚ ଓ ଗୀତ ଗାଇ ବେଦମ ହୋଇଯାଇଥାନ୍ତେ ସାଙ୍ଗସାଥୀ । କିନ୍ତୁ ଏସବୁ ଉପରେ ପୂର୍ଣ୍ଣଛେଦ ପକାଇ ଦେଇଛି ବିବେକହୀନ ପାକିସ୍ତାନ ରେଞ୍ଜର୍ସଙ୍କ ବିଶ୍ୱାସଘାତକ ଗୁଳି । ବର୍ଡ଼ର ଫିଲ୍ମ ଭଳି ସବୁକିଛି ସ୍ୱପ୍ନ ଅଟକି ଯାଇଛି ଅଧା ବାଟରେ ।

ଘଟଣା ଅନୁଯାୟୀ, ଜୁନ ୩ ତାରିଖ ୨୦୧୮ରେ କାଶ୍ମୀରର ସୀମା ଆରପଟୁ ଆରମ୍ଭ ହୋଇଥିଲା ଫାଏରିଂ । ଭାରତୀୟ ପୋଷ୍ଟ ଗୁଡ଼ିକ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିଲେ ପାକିସ୍ତାନ ରେଞ୍ଜର୍ସ । ଭାରତୀୟ ଯବାନ କେହି କିଛି ବୁଝିବା ଆଗରୁ ଯେମିତି ସବୁକିଛି ଶେଷ ହୋଇଯାଇଥିଲା । ଆଉ ବିଶ୍ୱାସଘାତକ ପାକିସ୍ତାନୀଙ୍କ ଗୁଳିରେ ସହିଦ ହୋଇଯାଇଥିଲେ ବିଏସଏଫର ଦୁଇ ଯବାନ ସତ୍ୟ ନାରାୟଣ ଯାଦବ ଓ ବିଜୟ କୁମାର ପାଣ୍ଡେ । ଜୁନ୍ ୨୦ ତାରିଖରେ ବିଜୟ ବିବାହ କରିଥାନ୍ତେ । ଏପରିକି ବାହାଘରର କାର୍ଡ଼ ମଧ୍ୟ ଛପା ସରିଥିଲା । ଜୁନ ୫ରେ ବିଜୟ ଛୁଟି ନେଇ ଘରକୁ ଫେରିବ ଏଥିପାଇଁ ଘର ଲୋକ ଅନେଇ ବସିଥିଲେ । କିନ୍ତୁ ଘରକୁ ଫେରିବାର ଦୁଇ ଦିନ ପୂର୍ବରୁ ହିଁ ଦେଶ ପାଇଁ ସହିଦ ହୋଇଗଲେ ବିଜୟ ।

ସୂଚନା ମୁତାବକ, ଉତ୍ତରପ୍ରଦେଶରେ ଫତେହୁ ଜିଲ୍ଲାର ସଠିଗବାଂ ଗାଁରେ ଜନ୍ମଗ୍ରହଣ କରିଥିବା ବିଜୟ ୨୦୧୨ରେ ବିଏସଏଫରେ ସାମିଲ ହୋଇଥିଲେ । ତେବେ ଜାମ୍ମୁ କାଶ୍ମୀରରେ ଗତ ୩ ତାରିଖ ଦିନ ପାକିସ୍ତାନ ପଟୁ ହୋଇଥିବା ଗୁଳି ବିନିମୟରେ ବିଜୟଙ୍କ ଶରୀରରେ ଗୁଳି ବଜିଥିଲା । ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ପଠାଯାଇଥିବା ବେଳେ ରାସ୍ତାରେ ତାଙ୍କର ମୃତ୍ୟୁ ଘଟିଥିଲା । ଯେତେବେଳେ ବିଏସଏଫ ପକ୍ଷରୁ ବିଜୟଙ୍କ ମୃତ୍ୟୁ ଖବର ଦେବାପାଇଁ ତାଙ୍କ ଘରକୁ ଫୋନ କରାଗଲା, ସେତେବେଳେ ବିଜୟଙ୍କ ମା’ ଘର ସଫା କରିବାରେ ଲାଗିଥିଲେ । କିଛି ସମୟ ଫୋନ ବାଜିବା ପରେ ଫୋନ ଉଠାଇଥିଲେ ବିଜୟଙ୍କ ମା’ । ବଡ ଦୁଃଖର ସହ ବିଏସଏଫ ଅଧିକାରୀ ତାଙ୍କୁ ବିଜୟଙ୍କ ବିଷୟରେ ଧିରେ ଧିରେ ବୁଝାଇଥିଲେ । କିନ୍ତୁ ପୁରା କଥା ଶୁଣିବା ପୂର୍ବରୁ ବେହୋସ ହୋଇ ମାଟିରେ ଲୋଟି ପଡିଥିଲେ ବିଜୟଙ୍କ ମା’ । ବାପା ମା’ ସ୍ୱପ୍ନ ଦେଖିଥିଲେ କିଛି ଦିନ ପରେ ଏହି ଘରୁ ପୁଅର ବରଯାତ୍ରୀ ବାହାରିବ । କିନ୍ତୁ ଘରୁ ବାହାରିଲା ଫୁଲରେ ସଜା ହୋଇଥିବା ପୁଅର କୋକେଇ । କେବଳ ବିଜୟଙ୍କ ବାପା ମା’ଙ୍କର ସ୍ୱପ୍ନ ଭାଙ୍ଗିଯାଇନଥିଲା , ଭାଙ୍ଗିଯାଇଥିଲା ସେଇ ଝିଅର ସ୍ୱପ୍ନ ଯିଏ ବିଜୟଙ୍କୁ ବାହା ହେବା ପାଇଁ ହାତରେ ମେହେନ୍ଦି ଏବଂ ପାଦରେ ଅଳତା ଲଗାଇ ବାହାଘର ଦିନକୁ ଚାହିଁ ବସିଥିଲା ।