ଆତଙ୍କବାଦୀଙ୍କ ବର୍ବରକାଣ୍ଡ ! ବିଏସଏଫ୍ ଯବାନଙ୍କୁ ଘରେ ପଶି ହତ୍ୟା କଲେ

1

କନକ ବ୍ୟୁରୋ : ଦେଶରେ ବଢି ଚାଲିଛି ଆତଙ୍କବାଦୀ କାର୍ଯ୍ୟକଳାପ । ଆତଙ୍କବାଦୀ ମାନେ ଖୁଲମଖୁଲା ଆକ୍ରମଣ କରୁଛନ୍ତି ପୋଲିସ ଓ ସେନାବାହିନୀ ଉପରେ । ପୁଣିଥରେ ଆତଙ୍କବାଦୀଙ୍କ ବର୍ବରତା ଦେଖିବାକୁ ମିଳିଛି । ଲେଫ୍ଟନାଣ୍ଟ ଉମର ଫୟାଜଙ୍କୁ ହତ୍ୟା କରିବାର ୩ ମାସ ପରେ ପୁଣି ଥରେ ଆତଙ୍କବାଦୀମାନେ ସେମାନଙ୍କ ଘୃଣ୍ୟ କାର୍ଯ୍ୟ କରିଛନ୍ତି। ୪ ଜଣ ଆତଙ୍କବାଦୀ ଗତ ବୁଧବାର ରାତିରେ ବିଏସଏଫ ଯବାନ ମହମ୍ମଦ ରମଜାନ ପାରେଙ୍କ ବନ୍ଦିପୋରାସ୍ଥିତ ଘର ଭିତରେ ପଶି ତାଙ୍କୁ ଗୁଳିମାରି ହତ୍ୟା କରିଛନ୍ତି। ଆତଙ୍କବାଦୀଙ୍କ ଆକ୍ରମଣରେ ତାଙ୍କ ପରିବାର ଅନ୍ୟ ୪ ସଦସ୍ୟ ମଧ୍ୟ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ ରମଜାନ ଗତ କିଛିବର୍ଷ ତଳେ ବିଏସଫରେ ଯୋଗ ଦେଇ ବିଏସଏଫର ୭୩ ବାଟାଲିୟନରେ ବାରମୁଳାଠାରେ ପୋଷ୍ଟିଂ ପାଇଥିଲେ। ଗତ ୨୦ ଦିନ ହେବ ସେ ଛୁଟିରେ ଘରକୁ ଆସିଥିଲେ । କିନ୍ତୁ ଏହି ଛୁଟି ଯେ ତାଙ୍କ ପାଇଁ ସବୁଦିନ ପାଇଁ ନିଦରେ ଶୁଆଇଦେବ ସେ କଥା କେବେ କଳ୍ପନା କରି ନଥିଲେ । ଗତକାଲି ରାତିରେ ୪ରୁ ଊର୍ଧ୍ୱ ଆତଙ୍କବାଦୀ ରମଜାନଙ୍କ ଘରେ ପଶି ତାଙ୍କୁ ବାହାରକୁ ଟାଣି ନେବାକୁ ଉଦ୍ୟମ କରିଥିଲେ।

ମାତ୍ର ରମଜାନଙ୍କ ଭାଇ ଜାଭିଦ ଓ ସାହିବ, ବାପା ଗୁଲାମ ଓ ଖୁଡ଼ି ହବ୍ଦା ବେଗମ ଏହାକୁ ବିରୋଧ କରିବାରୁ ଆତଙ୍କବାଦୀମାନେ ଅଟୋମେଟିକ ରାଇଫଲରୁ ଆଖିବୁଜା ଗୁଳି ଚଳାଇ ରମଜାନଙ୍କୁ ହତ୍ୟା କରିଥିଲେ। ଅନ୍ୟ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବନ୍ଦିପୋରା ଏସପି ଜୁଲଫିକର ଆଜାଦଙ୍କ ସୂଚନା ଅନୁଯାୟୀ, ଆତଙ୍କବାଦୀମାନେ ରମଜାନଙ୍କୁ ଅପହରଣ କରିବାକୁ ଚାହିଁଥିଲେ। ମାତ୍ର ପରିବାରର ବିରୋଧ ଯୋଗୁଁ ଏହା ସମ୍ଭବ ହୋଇ ନଥିଲା । ଫଳରେ ସେମାନେ ଗୁଳି ମାରି ରମଜାନଙ୍କୁ ହତ୍ୟା କରି ଫେରାର ହୋଇଯାଇଛନ୍ତି ।

Comments are closed.