ଗୁଳିମାଡର କଡା ଜବାବ ଦେଉଛି ଭାରତୀୟ ସେନା : ବିଏସଏଫ କରିଛି ୫ ହଜାର ମୋର୍ଟାର ଓ ୩୫ ହଜାର ଗୁଳିମାଡ

29

କନକ ବ୍ୟୁରୋ : ପାକିସ୍ତାନ ଅସ୍ତ୍ରବିରତି ଉଲ୍ଲଂଘନର କଡା ଜବାବ ଦେଉଛି ଭାରତୀୟ ସେନା । ପିଓକେରେ ଭାରତୀୟ ଯବାନଙ୍କ ସର୍ଜିକାଲ ଷ୍ଟ୍ରାଇକ ପରେ ସୀମା ଆରପଟୁ ବାରମ୍ବାର ଗୁଳି ଓ ମୋର୍ଟାର ମାଡ ହେଉଛି । ବିଶେଷ କରି ସେନା ଶିବିରଗୁଡିକୁ ଟାର୍ଗେଟ କରୁଛି ପାକ୍ ସେନା । ବିଳମ୍ବିତ ରାତିରେ ଆତଙ୍କବାଦୀଙ୍କୁ ଭାରତ ମାଟିରେ ଅନୁପ୍ରବେଶ କରାଇବାକୁ ଏହି ଅସ୍ତ୍ରବିରତି ଉଲ୍ଲଂଘନ କରାଯାଉଛି ।

କିନ୍ତୁ ପାକ୍ ସେନା ଗୁଳିମାଡର କଡା ଜବାବ ଦେଉଛି ଭାରତ । ଏଥିପାଇଁ ସୀମା ସୁରକ୍ଷା ବଳ- ବିଏସଏଫକୁ ପୂର୍ଣ୍ଣ କ୍ଷମତା ଦିଆଯାଇଛି । ଗୁଳିର ଜବାବ ଗୁଳି ଓ ମୋର୍ଟାରର ଜବାବ ମୋର୍ଟାରରେ ଦେବାକୁ ନିର୍ଦ୍ଦେଶ ରହିଛି । ସୀମା ଆରପଟୁ ଗୋଟିଏ ଗୁଳି ଆସିଲେ ଜବାବରେ ୫ଟି ଗୁଳି ମାଡ କରିବାକୁ କୁହାଯାଇଛି । ଗତ ୧୧ ଦିନରେ କେତେ ଗୁଳି ଓ ମୋର୍ଟାର ମାଡ କରିଛି ଭାରତୀୟ ସେନା।

୧୧ ଦିନରେ ୫ ହଜାର ମୋର୍ଟାର ଓ ୩୫ ହଜାର ଗୁଳିମାଡ କରାଯାଇଛି । ୩ ହଜାର ଲଙ୍ଗରେଞ୍ଜ ମୋର୍ଟାର ସେଲ ମାଡ ହୋଇଛି । ଲଙ୍ଗରେଞ୍ଜ ମୋର୍ଟାର ୫ରୁ ୬ କିଲୋମିଟର ଯାଏଁ ଟାର୍ଗେଟ କରିପରିବ । ସେହିପରି ୨ ହଜାର ସର୍ଟରେଞ୍ଜ ମୋର୍ଟାର ସେଲ ମାଡ କରାଯାଇଛି ।

ଏହା ୯ଶହ ମିଟର ପର୍ଯ୍ୟନ୍ତ ଟାର୍ଗେଟ କରିବ । ଏଥିସହ ମିଡିଅମ ରେଞ୍ଜ ଗନ୍, ଲଙ୍ଗରେଞ୍ଜ ଗନ୍ ଓ ରାଇଫଲରେ ଗତ ୧୧ ଦାନରେ ପ୍ରାୟ ୩୫ ହଜାର ବୁଲେଟ୍ ମାଡ କରାଯାଇଥିବା ବିଏସଏଫ ସୂତ୍ରରୁ ସୂଚନା ମିଳିଛି ।

ଅକ୍ଟୋବର ୧୯ରୁ ପାକିସ୍ତାନ ପ୍ରାୟ ୬୦ଥର ଅସ୍ତ୍ରବିରତି ଉଲ୍ଲଂଘନ କଲାଣି । ଏଥିରେ ୩ ଭାରତୀୟ ଯବାନଙ୍କ ମୃତ୍ୟୁ ହେବାସହ ସୀମାନ୍ତବର୍ତୀ ଗାଁଲୋକେ ଅତିଷ୍ଠ ହୋଇପଡିଲେଣି । ତେବେ ବିଏସଏଫର ପାଲଟା ଜବାବରେ ୧୫ରୁ ଅଧିକ ପାକିସ୍ତାନ ଯବାନଙ୍କ ମୃତ୍ୟୁ ହୋଇଥିବା ଭାରତୀୟ ସେନା ପକ୍ଷରୁ ଦାବି କରାଯାଉଛି ।