ବମ୍ବେ ଷ୍ଟକ ଏକ୍ସଚେଞ୍ଜରୁ ବିଦା ହେବେ ୨୦୦ କମ୍ପାନି !

36

କନକ ବ୍ୟୁରୋ : ବମ୍ବେ ଷ୍ଟକ ଏକ୍ସଚେଞ୍ଜରୁ ତଡା ଖାଇବେ ୨୦୦ କମ୍ପାନୀ । ଚଳିତ ମାସ ୨୩ ତାରିଖରେ ୨୦୦ଟି କଂପାନିକୁ ବମ୍ବେ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ଡିଲିଷ୍ଟ୍ (ତାଲିକାରୁ ବାଦ ଦେବା) କରାଯିବ। ଏନେଇ ସୋମବାର ଘୋଷଣା କରିଛି ବିଏସଇ । ଯାହାଫଳରେ ଏହିସବୁ କଂପାନିଗୁଡ଼ିକର ସେୟାର କାରବାର ବନ୍ଦ ହୋଇଯିବ । ଏହି କଂପାନିଗୁଡ଼ିକର ସେୟାର କାରବାର ବିଗତ ୧୦ ବର୍ଷ ଧରି ବନ୍ଦ ରହିଥିବାରୁ ବିଏସ୍ଇ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏଭଳି ପଦକ୍ଷେପ ଗ୍ରହଣ କରିବାକୁ ନିଷ୍ପତି ନେଇଛି । ବିଏସଇରୁ ବାଦ ପଡିବାକୁ ଥିବା ଏହି ୨୦୦ କଂପାନିର ପ୍ରମୋଟରମାନଙ୍କ ଉପରେ ୧୦ ବର୍ଷ ବାସନ୍ଦ ଲାଗୁ କରାଯିବ । ଫଳରେ ଏହି ସମୟସୀମା ଭିତରେ ସେମାନେ ଷ୍ଟକ ବଜାରରେ ପ୍ରବେଶ କରିପାରିବେ ନାହିଁ ।

ଡିଲିଷ୍ଟ୍ ହେବାକୁ ଥିବା କଂପାନିଗୁଡ଼ିକ ଭିତରେ ୟୁରୋଫାର୍ମା ଲାବୋରେଟୋରି, ଏଥେନା ଫାଇନାନ୍ସିଆଲ୍ ସର୍ଭିସେସ୍, ମ୍ୟାଗ୍ନସ୍ ରବର୍ ଇଣ୍ଡଷ୍ଟ୍ରିଜ୍ ଏବଂ ଡୁପଣ୍ଟ୍ ସୁଜ୍ ଭଳି କଂପାନିର ନାମ ରହିଛି । ଅଜଣା କଂପାନି ଜରିଆରେ ମନି ଲଣ୍ଡରିଂ କାମ କରାଯାଉଥିବା ଜଣାପଡ଼ିବା ପରେ ସରକାର ଏଭଳି କଂପାନିଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି । ଅଦୃଶ୍ୟ କଂପାନି ବୋଲି ବିଚାର କରାଯାଉଥିବା ୩୩୧ଟି କଂପାନି ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିକଟରେ ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ (ସେବି) ପକ୍ଷରୁ ଦେଶର ଷ୍ଟକ ଏକ୍ସଚେଞ୍ଜଗୁଡ଼ିକୁ ନିର୍ଦ୍ଦେଶ ଦିଆଯାଇଥିଲା । ସେହିପରି କେନ୍ଦ୍ର ସରକାର ୧.୭୫ ଲକ୍ଷ କଂପାନିର ପଞ୍ଜୀକରଣକୁ ରଦ୍ଦ କରିଛନ୍ତି ଯେଉଁମାନେ ଦୀର୍ଘ ଦିନ ଧରି କୌଣସି କାରବାର କରିନାହାନ୍ତି ।