କାହିଁକି କମିଲା ପାସ୍ ହାର ? ଶିକ୍ଷକ ଆନ୍ଦୋଳନର ପଡ଼ିଲା କି ପ୍ରଭାବ ? ତେବେ ପରୀକ୍ଷାର୍ଥୀଙ୍କ ପ୍ରଦର୍ଶନରେ ଅବନ୍ନତି ହେଲା କାହିଁକି

101

କନକ ବ୍ୟୁରୋ: ଅନେକ ବାଧାବିଘ୍ନ ଭିତରେ ଆଜି ପ୍ରକାଶ ପାଇଛି ମାଟ୍ରିକ୍ ଫଳ । ହେଲେ ଗତବର୍ଷ ତୁଳନାରେ ଚଳିତବର୍ଷର ପରୀକ୍ଷା ଫଳ ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଗତବର୍ଷ ଅପେକ୍ଷା ଚଳିତବର୍ଷର ପାସ୍ ହାର କମିଥିବା ବେଳେ ଏ-ୱାନ୍ ଗ୍ରେଡ୍ରେ ଉତିର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ଢ଼େର କମିଛି । ନିର୍ଣ୍ଣାରିତ ସମୟରେ ମାଟ୍ରିକ୍ ରେଜଲ୍ଟ ବାହାରିବା ପରୀକ୍ଷାର୍ଥୀଙ୍କୁ ଯେମିତିକ ଉତ୍ସାହିତ କରିଛି, ପରୀକ୍ଷାର ଫଳ, ସେମିତି ଓଡ଼ିଶାବାସୀଙ୍କୁ ଚିନ୍ତାରେ ପକାଇ ଦେଇଛି । କାରଣ ଗତବର୍ଷ ତୁଳନାରେ ବହୁ ଦିଗରେ ପଛରେ ପଡ଼ିଛି ଚଳିତବର୍ଷର ପରୀକ୍ଷା ଫଳ ।

ଗତବର୍ଷର ମାଟ୍ରିକ୍ ପରୀକ୍ଷା ଫଳ ସହ ଯଦି ଚଳିତବର୍ଷର ରେଜଲ୍ଟକୁ ତୁଳନା କରାଯାଏ, ତେବେ ଅଧିକ ଖୁସି ହେବାର କୌଣସି କାରଣ ନାହିଁ । ବର୍ଷକୁ ବର୍ଷ ପରୀକ୍ଷା ଫଳରେ ସୁଧାର ଆସିବା ବଦଳରେ ଚଳିତବର୍ଷ ଏହାର ବ୍ୟତିକ୍ରମ ଦେଖାଯାଇଛି । କାରଣ ଗତବର୍ଷ ତୁଳନାରେ ଚଳିତବର୍ଷର ରେଜଲ୍ଟ ନୈରାଶ୍ୟଜନକ ରହିଛି । ଗତବର୍ଷ ପାସ୍ ହାର ୮୬.୩୭% ଥିବା ବେଳେ ଚଳିତବର୍ଷ ରହିଛି ୭୬.୨୩% ।

ସେହିପରି ଗତବର୍ଷ ଏ-ୱାନ୍ ଗ୍ରେଡରେ ୨୪୧୭ ଜଣ ପାସ ହୋଇଥିବା ବେଳେ ଚଳିତବର୍ଷ ଏ-ୱାନ ଗ୍ରେଡରେ ପାସ୍ ହୋଇଛନ୍ତି ମାତ୍ର ୧୭୧୫ ଜଣ । ଗତବର୍ଷ ୨୨ଟି ସ୍କୁଲରେ ପରୀକ୍ଷା ଫଳ ଶୂନ ଥିବା ବେଳେ ଚଳିତବର୍ଷ ୩୬ଟି ସ୍କୁଲରେ କେହି ଜଣେ ହେଲେ ପାସ୍ କରିବାରେ ସକ୍ଷମ ହୋଇ ନାହାଁନ୍ତି । ଗତବର୍ଷ କପି କରି ୧୦୭୭ ଜଣ ଧରାପଡ଼ିଥିବା ବେଳେ ଚଳତିବର୍ଷ ୧୩୩୨ ଜଣ ମାଲପ୍ରାକ୍ଟିସ୍ ହୋଇଛନ୍ତି । ଅର୍ଥାତ୍ କପି କରି ପାସ୍ କରିବାକୁ ଉଦ୍ୟମ କରୁଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟା ବି ବଢ଼ିଛି ।

ପରୀକ୍ଷା ଫଳରେ ଏଭଳି ତାରତମ୍ୟ ପାଇଁ ସାଧାରଣତଃ ଦୁଇ-ତିନୋଟି କାରଣକୁ ଦାୟୀ କରାଯାଉଛି । ପ୍ରଥମରେ ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଥିବା ଅଭିଯୋଗ ହେଉଥିବା ବେଳେ ଦ୍ୱିତୀୟରେ ନିଜ ସ୍କୁଲ ବଦଳରେ ଅନ୍ୟ ସ୍କୁଲରେ ପରୀକ୍ଷା ଦେବା ଯୋଗୁଁ ପରୀକ୍ଷାର୍ଥୀ ଚାପରେ ଥିବା କୁହାଯାଉଛି । ତୃତୀୟରେ ପରିଚାଳନାଗତ ତ୍ରୁଟି ବି ଅନ୍ୟ ଏକ ପ୍ରମୁଖ କାରଣ ହୋଇପାରେ । କାରଣ ଯାହା ବି ହେଉ, ପ୍ରକାଶ ପାଇଥିବା ମାଟ୍ରିକ୍ ନିଶ୍ଚିତ ଭାବରେ ପ୍ରସ୍ତୁତି ରହିବାକୁ ଆହ୍ୱାନ ଦେଉଛି ।

ଅନ୍ୟପଟେ, ମାଟ୍ରିକ୍ ପରୀକ୍ଷାରେ ଆଶାନୁରୁପ ଫଳ ନମିଳିବାରୁ ଛାତ୍ରଙ୍କ ଆତ୍ମହତ୍ୟା । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲାରେ । ବରୀ ରତଳାଙ୍ଗ ରତ୍ନେଶ୍ୱର ବିଦ୍ୟାପୀଠର ଛାତ୍ର ପଦ୍ମଲୋଚନ ମଲ୍ଲିକ ଆଜି ଘରେ କୀଟନାଶକ ଔଷଧ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ପଦ୍ମଲୋଚନ ମୋଟ ୨୬୩ ମାର୍କ ରଖିଥିବା ଜଣାପଡିଛି । ମାଟ୍ରିକ ପରିକ୍ଷା ପଂଳ ବାହାରିଥିବା ବେଳେ ଆଶାନୁରୁପ ହୋଇନଥିବାରୁ ମାନସିକ ଭାରସାମ୍ୟ ହରାଇ ଏପରି କରିଥିବା ଜଣାପଡିଛି । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଅଲିପୁର ଡାକ୍ତରଖାନା ଓ ପରେ ଯାଜପୁର ଟାଉନ ସଦର ମହକୁମା ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।