ବିଷକନ୍ୟା ବିକୁଥିଲା ଧଳାଜହର ! ୭ ଲକ୍ଷ ଟଙ୍କାର ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ପଡିଲା ପୋଲିସ ପଞ୍ଝାରେ ।

719

କନକ ବ୍ୟୁରୋ : ସୁନ୍ଦରୀ ବିକୁଛି ଧଳାଜହର । ଏହା ଏଭଳି ଏକ ଖବର ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । କାରଣ ସ୍ମାର୍ଟସିଟିର ଏହି ବ୍ୟୁଟିଙ୍କ କୁଇନଙ୍କ ପଛରେ ଲୁଚି ରହିଛି ବ୍ରାଉନସୁଗାର ଚାଲାଣର କଳାକାହାଣୀ । ଯାହାର ଆଜି ପର୍ଦ୍ଦାଫାଶ କରିଛି କମିଶନରେଟ ପୋଲିସ । ସୁନ୍ଦର ଚେହେରା ପଛରେ ଯେ ଏଭଳି ଏକ କଳଙ୍କିତ କାହାଣୀ ଲୁଚି ରହିଛି ତାହାକୁ କେହି ସହଜରେ ବିଶ୍ୱାସ କରିପାରିବେ ନାହିଁ । ବ୍ରାଉନସୁଗାର କାରବାରର ହବ ପାଲଟିଥିବା ଭୁବନେଶ୍ୱର ହଳଦିପଡିଆରୁ ଏହି ଯୁବତୀଙ୍କୁ ଗିରଫ କରିଛି ଲକ୍ଷ୍ମୀସାଗର ପୋଲିସ । ବ୍ରାଉନସୁଗାର ବିକ୍ରି ପାଇଁ ନେଉଥିବା ବେଳେ ଲକ୍ଷ୍ମୀସାଗର ପୋଲିସ ପଞ୍ଝାରେ ପଡିଛି ଏହି ବିଷକନ୍ୟା ।

ବ୍ରାଉନସୁଗାର କାରବାରରେ ଲିପ୍ତ ଥିବା ଏହି ଯୁବତୀଙ୍କ ଠାରୁ ୪୪ ଗ୍ରାମର ଧଳାଜହର ଜବତ କରିଛି ପୋଲିସ । ପାଖାପାଖି ୭ ଲକ୍ଷ ଟଙ୍କାର ବିଷ ଧରି ବଜାରକୁ ବାହାରିଥିଲେ ଏହି ଯୁବତୀ । ତେବେ ଏହାକୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପୂର୍ବରୁ ପୋଲିସ ଜାଲରେ ପଡିଥିଲେ ବିଷକନ୍ୟା । ପାଖରୁ ନଗଦ ୨୬୦୦ ଟଙ୍କା ସହ ୨ଟି ସ୍କୁଟି, ଗୋଟିଏ ପଲସର ବାଇକ ଓ ୨ଟି ଦାମୀ ମୋବାଇଲ ଫୋନ୍ ଜବତ କରିଛି ପୋଲିସ ।

ତେବେ କେତେଦିନ ଧରି ଯୁବତୀ ଜଣକ ଏହି ବ୍ରାଉନସୁଗାର କାରବାରରେ ଲିପ୍ତ ଥିଲେ ତାହା ଏଯାଏଁ ସ୍ପଷ୍ଟ ହୋଇନାହିଁ । ପୋଲିସ ପକ୍ଷରୁ ଘଟଣାର ଖୋଳତାଡ କରାଯାଉଥିବା ବେଳେ ପ୍ରଥମ ଥର ପାଇଁ ବ୍ରାଉନସୁଗାର କାରବାରରେ ଜଣେ ଯୁବତୀଙ୍କ ସମ୍ପୃକ୍ତି ପୋଲିସ ପାଇଁ ଚିନ୍ତାର କାରଣ ପାଲଟିଛି । କାରଣ ଏହାପୂର୍ବରୁ କେବଳ ଯୁବକ କିମ୍ବା ମହିଳା ମାନଙ୍କୁ ବ୍ରାଉନସୁଗାର କାରବାରରେ ଧରିଛି ପୋଲିସ । କିନ୍ତୁ ଏବେ ବ୍ରାଉନସୁଗାର କାରବାରରେ ଯୁବତୀଙ୍କ ଏଣ୍ଟ୍ରି ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ଯୁବକ ଓ ମହିଳା ମାନଙ୍କ ଉପରେ ପୋଲିସର ସନ୍ଦେହ ରହୁଥିବାରୁ ଏବେ ସୁନ୍ଦରୀ ଯୁବତୀଙ୍କୁ ଏହି କାରବାର ପାଇଁ ମୋହରା ବନାଇଛନ୍ତି ବ୍ରାଉନସୁଗାର ମାଫିଆ ।

ଏହାପୂର୍ବରୁ ଗତ ୪ ଦିନ ତଳେ ଭୁବନେଶ୍ୱରରୁ ୫୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରିବା ସହ ୫ ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ । ଏପରିକି ଏହି କାରବାରର ମାଷ୍ଟରମାଇଣ୍ଡ ସେକ୍ ଫକୀରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଏହି ରାକେଟର ଚେର ବାଂଲାଦେଶରୁ ଭାୟା ବାଲେଶ୍ୱର ଦେଇ ଭୁବନେଶ୍ୱରକୁ ଲମ୍ବିଥିଲା । ବାଲେଶ୍ୱରରୁ ବସି ପୂରା ଉତ୍ତର ଓଡ଼ିଶାରେ ଧଳାଜହର କାରବାରକୁ ଅପରେଟ କରୁଥିଲା ଶେକ୍ ଫକୀର । ଆଉ ଏଥିରେ ତାକୁ ଅନ୍ୟ ୪ ସହଯୋଗୀ ସାହାଯ୍ୟ କରୁଥିଲେ । ରାଜ୍ୟର ବିଭିନ୍ନ ସ୍ଥାନରେ ଏଜେଣ୍ଟଙ୍କ ସହାୟତାରେ ଖୁଲମଖୁଲା ବିକ୍ରି କରୁଥିଲେ ଧଳାଜହର । ତେବେ ପୋଲିସ ପଞ୍ଝାରେ ପଡିବା ପରେ ଏହି ରାକେଟରେ ଆଉ କାହାର ସମ୍ପୃକ୍ତ ଅଛି ସେନେଇ ଖୋଳତାଡ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ ।