ବେଧଡକ ଚାଲିଛି ବ୍ରାଉନସୁଗାର କାରବାର । ଲିଙ୍କରୋଡରୁ ୨ଯୁବକ ଗିରଫ ।୬ ଗ୍ରାମ ବ୍ରାଉନସୁଗାର ଜବତ 

36

କନକ ବ୍ୟୁରୋ : ରାଜ୍ୟରେ ବେଧଡକ ଚାଲିଛି ବ୍ରାଉନସୁଗାର କାରବାର । ଅବକାରୀ ଗୁଇନ୍ଦା ସ୍କାର୍ଡ ହାତରେ ଲାଗିଛି ଏଭଳି ରାକେଟର ସୁରାକ୍ । ରାକେଟ ଚାଲିଛି ବାଲେଶ୍ୱରରୁ ଭୁବନେଶ୍ୱର ବ୍ରାଉନସୁଗାର ଚାଲାଣ ଭାୟା କଟକ ଦେଇ । କଟକ ଲିଙ୍କ୍ ରୋଡ ଅଂଚଳରୁ ଦୁଇ ଯୁବକଙ୍କୁ  ୬ ଗ୍ରାମ ବ୍ରାଉନ ସୁଗାର ସହ ଗିରଫ କରିଛି କଟକ ଅବକାରୀ ଗୁଇନ୍ଦା ସ୍କାର୍ଡ । ପଚରାଉଚରା ସମୟରେ ଜଣାପଡିଛି ଯେ, ବହୁଦିନ ହେବ ଏମାନେ ବାଲେଶ୍ୱରରୁ  ବ୍ରାଉନସୁଗାର ଆଣି ଭୁବନେଶ୍ୱର ଲକ୍ଷୀସାଗରରେ ବିକ୍ରୀ କରୁଥିଲେ  । ଗିରଫ ଦୁଇଜଣ ହେଲେ ଲିଟୁ ବେହେରା ଓ ପ୍ରମୋଦ ମହାନ୍ତି । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୬ ଲକ୍ଷ ଟଙ୍କା ହେବ । ବ୍ୟବହାରକାରୀଙ୍କ ଫୋନକଲରୁ ପୋଲିସ ଯାଂଚ କରି ଅନୁମାନ କରୁଛି ଯେ, ଏହା ପଛରେ କିଛି ବଡ ର୍ୟାକେଟ କାମ କରୁଥାଇପାରେ ।  ଆଗକୁ ଏହି କାରବାର ଉପରେ ସ୍କାର୍ଡ ତୀଷ୍ମ ନଜର ରଖିଛି ।

ଗତ କିଛିଦିନ ତଳେ ବାଇକରେ ବ୍ରାଉନସୁଗାର ଚାଲାଣ ବେଳେ ଧରିଥିଲା କଟକପୋଲିସ । ଫୋନ କଲରେ ହିଁ ଫାଇନାଲ ହେଉଥିଲା ଡିଲ୍ । କିଏ ନେବ କେତେ ଦେବ ଆଉ କେଉଁଠି ଜିନିଷ ଡେଲିଭର ହେବ ସବୁ କିଛି ଫୋନରେ କହି ଦିଆଯାଉଥିଲା । ଏହି ଧନ୍ଦାରେ ମାଲ୍ ଡେଲିଭର ଦେଇଥିବା ଲୋକେ ଗ୍ରାହକ ପାଖକୁ ସିଧା ସଳଖ ନ ଯାଇ ଅନ୍ୟ ଜଣେ ବ୍ୟକ୍ତିକୁ ଦେଉଥିଲେ ସେ କଟକ ସହରର ବିଭିନ୍ନ ପାନ ଦୋକାନ ଓ ବସ୍ତି ଅଂଚଳରେ ଯୋଗାଣ କରୁଥିଲା । ଏବଂ କଲେଜ ପଢୁଆ ଯୁବକଙ୍କୁ ଛୋଟ ଛୋଟ ପୁଡିଆ କରି ବିକ୍ରି କରାଯାଉଥିଲା ।

ବାଲେଶ୍ୱରରୁ କଟକ ବ୍ରାଉନସୁଗାର ଚାଲାଣ ବେଳେ ଅବକାରୀ ବିଭାଗ ହାତରେ ଧରାପଡିଥିଲେ ଦୁଇ ଜଣ । ସେମାନଙ୍କ ଠାରୁ ୨୮୦ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ଦୁଇଟି ବାଇକ ମଧ୍ୟ ଜବତ କରାଯାଇଥିଲା । ଜବତ ବ୍ରାଉନ ସୁଗାରର ଅନୁମାନିକ ମୂଲ୍ୟ ପାଖାପାଖି ୩୦ ଲକ୍ଷ ଟଙ୍କା ହେବ ବୋଲି ଜଣାଡପଡିଥିଲା ।