ଖୋର୍ଦ୍ଧା ଭାଲିଆବାଡି ଓ ମଠସାହିରୁ ୨୯୫ ଗ୍ରାମ ବ୍ରାଉନ ସୁଗାର ଜବତ : ୨ ଅଭିଯୁକ୍ତଙ୍କୁ ଗିରଫ କଲା ଅବକାରୀ ବିଭାଗ

90

କନକ ବ୍ୟୁରୋ : ଖୋର୍ଦ୍ଧାର ଭାଲିଆବାଡ଼ି ଓ ମଠସାହିରୁ ଜବତ ହୋଇଛି ବ୍ରାଉନ୍ ସୁଗାର । ଆଜି ଭୋର ଭୋରରୁ ଅବକାରୀ ବିଭାଗର କଟକରୁ ଆସିଥିବା ଫ୍ଲାଇଂ ସ୍କ୍ଵାଡ୍ ଓ ଖୋର୍ଦ୍ଧା ଅବକାରୀ ବିଭାଗ ମିଳିତ ଭାବେ ଖୋର୍ଦ୍ଧା ଟାଉନ୍ ଥାନା ଅନ୍ତର୍ଗତ ଭାଲିଆବାଡି ଓ ମଠସାହିରେ ଚଢ଼ାଉ କରି ୨୯୫ ଗ୍ରାମ ଓଜନର ବ୍ରାଉନ୍ ସୁଗାର ଜବତ କରିଛନ୍ତି। ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି। ଜବତ ବ୍ରାଉନ୍ ସୁଗାରର ମୂଲ୍ୟ ଆନ୍ତର୍ଜାତିକ ବଜାରରେ ପ୍ରାୟ ୩୦ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଉଛି।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ଖୋର୍ଦ୍ଧା ସହର ଓ ଏହାର ଆଖପାଖ ଅଞ୍ଚଳ ବ୍ରାଉସୁଗାର ବେପାରର ପେଣ୍ଠ ସାଜିଛି । ପଶ୍ଚିମବଙ୍ଗ ସୀମାନ୍ତ ଜଳେଶ୍ୱର ଓ ବାଲେଶ୍ୱରରୁ ବ୍ରାଉନ ସୁଗାର ଖୋର୍ଦ୍ଧାକୁ ଅଣାଯାଉଛି । ସେଠାରୁ ଏହି ବ୍ରାଉନସୁଗାର ଚୋରା ବେପାରୀଙ୍କ ସହାୟତାରେ କଟକ, ପୁରୀ, ଭୁବନେଶ୍ୱରର କେତେକ ଅଞ୍ଚଳକୁ ଯାଉଥିବା ଗତ କିଛି ଦିନ ହେବ ଅବକାରୀ ବିଭାଗର ଅଧିକାରୀମାନେ ସନ୍ଦେହ କରୁଥିଲେ । ଗତ କିଛି ଦିନ ତଳେ ଖୋର୍ଦ୍ଧା ସଦର ଥାନା ନିକଟରୁ ୭୬ ଗ୍ରାମ ବ୍ରାଉନ ସୁଗାର ଜବତ ହେବା ପରେ ଓ ରାଜ୍ୟ ର ବିଭିନ୍ନ ଅଞ୍ଚଳରେ ବ୍ରାଉନ ସୁଗାର ବେପାରୀ ଗିରଫ ସମୟରେ ଖୋର୍ଦ୍ଧା ଅଞ୍ଚଳର କେତେକ ଯୁବକ ଏହିତିରେ ସମ୍ପୃକ୍ତି ଥିବା ଜଣାପଡ଼ିବା ପରେ ଅବକାରୀ ବିଭାଗର ସନ୍ଦେହ ଦୃଢ଼ ହେବା ସହିତ ଅବକାରୀ ବିଭାଗ ଖୋର୍ଦ୍ଧା ଉପରେ ଫୋକସ କରିଥିଲା ।