ସାଲିଆସାହିରୁ ୯ ଲକ୍ଷ ଟଙ୍କାର ଡ୍ରଗସ ଜବତ କଲା ପୋଲିସ ! ବିଟେକ୍ ଛାତ୍ର ମୁଖ୍ୟ ଅଭିଯୁକ୍ତ । 

169

କନକ ବ୍ୟୁରୋ : ରାଜଧାନୀରେ ବିଭିନ୍ନ ଅପରାଧିକ କାର୍ଯ୍ୟକଳାପର ପୂର୍ବରୁ ପର୍ଦ୍ଦାଫାସ କରିଛି କମିସନରେଟ୍ ପୋଲିସ । ତେବେ ପୁଣି ଜଣେ ଡ୍ରଗ କାରବାର କରୁଥିବା ଅଭିଯୁକ୍ତକୁ ଧରିଛି ପୋଲିସ । ସାଲିଆ ସାହି ନିକଟରୁ ଜଣେ ଇଞ୍ଜିନିୟରିଂ ଛାତ୍ର ପାଖରୁ ବୁଧବାର ଅବକାରୀ ବିଭାଗ ୯ ଲକ୍ଷ ଟଙ୍କା ମୂଲ୍ୟର ୮୩ ଗ୍ରାମ୍ ବ୍ରାଉନ୍ ସୁଗାର ଜବତ କରିଛି। ଡ୍ରଗ କାରବାର କରୁଥିବା ଅଭିଯୁକ୍ତ ଜଣକ ପ୍ରୀତିଶ ପଟ୍ଟନାୟକ ବୋଲି ଜଣାପଡ଼ିଛି । ପ୍ରୀତିଶଙ୍କ ନିକଟରୁ ବ୍ରାଉନ୍ ସୁଗାର ସହ ଏକ ବାଇକ୍ ବି ଜବତ କରାଯାଇଛି।

ଉଲ୍ଳେଖଯୋଗ୍ୟ, ଜାନୁଆରି ମାସ ଶେଷ ସପ୍ତାହରେ ଭୁବନେଶ୍ୱରର ପଟିଆରେ ଥିବା ବିଗ୍ ବଜାର ନିକଟସ୍ଥ ଅଞ୍ଚଳରୁ ଜଣେ ୩୦ ବର୍ଷିଅ ଡ୍ରଗ କାରବାର କରୁଥିବା ଯୁବକକୁ ଗିରଫ କରାଯାଇଥିଲା। ରାଜଧାନୀର ବିଭିନ୍ନ କଲେଜ ନିକଟରେ ଡ୍ରଗ କାରବାରକାରୀମାନେ ସକ୍ରିୟ ହୋଇ ଉଠିଥିବା କହିଛି ପୁଲିସ୍। ତେବେ ଅଭିଯୁକ୍ତ ଧରାପଡିବା ପରେ ଏଭଳି ଡ୍ରଗ କାରବାରର ଚେର କେତେ ଦୂର ଲମ୍ବିଛି ସେନେଇ ପ୍ରଶ୍ନ ଉଠୁଛି । ତେବେ ଏଦିଗରେ ଅଧିକ ଛାନଭିନ କରାଯିବ ବୋଲି କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।