ପ୍ରେମ ବୁଝେନା କିଏ କାହାର ! ସାନଭାଇର ସ୍ତ୍ରୀକୁ ଛୁରୀ ମାରିଲା ବଡଭାଇ . .କହିଲା, ମୋର ନୁହେଁ ତ କାହାର ନୁହେଁ

67

କନକ ବ୍ୟୁରୋ : କଟକର ଏକ ଲଜରେ ଆଜି ଘଟିଛି ଏକ ଜଘନ୍ୟକାଣ୍ଡ । ଜଣେ ମହିଳାଙ୍କୁ ଅତି ନୃସଂଶ ଭାବେ ଛୁରାମାଡ଼ କରାଯାଇଛି । ଆଉ ବୁଝୁ ବୁଝୁ ଜଣାପଡ଼ିଲା, ଏହି ଘଟଣା ପଛରେ ରହିଛି ଏକ ତ୍ରିକୋଣୀୟ ପ୍ରେମକାହାଣୀ । ଏକ୍ ଫୁଲ ଦୋ’ ମାଳି, ଠିକ୍ ହିନ୍ଦୀ ଚଳଚ୍ଚିତ୍ରର ଡାଇଲଗ୍ ଭଳି । ଅର୍ଥାତ୍ ଗୋଟିଏ ପ୍ରେମିକା ଦୁଇଟି ଭାଇ । ସାନ ଭାଇକୁ ବିବାହ କରିଥିବା ମହିଳା, ବିବାହ ପୂର୍ବରୁ ଭଲ ପାଉଥିଲେ ବଡ ଭାଇଙ୍କୁ । ହେଲେ ସାନଭାଇକୁ ଲୁଚିଛପି ବାହା ହେବା ପରେ ହିଂସ୍ର ହୋଇପଡ଼ିଥିଲେ ବଡ଼ ଭାଇ । ଯାହା ଏବେ ନେଇଛି ଏକ କରୁଣ ପରିଣତି ।

ସୂଚନା ଅନୁସାରେ, ଜଗତସିଂପୁର ଜିଲ୍ଲା ଏରସମା ଅଂଚଳ ପ୍ରବୀର ବାରିକଙ୍କୁ ବାହା ହୋଇଥିଲେ ମାନସୀ ମୁଦୁଲି । ମାନସୀ କିନ୍ତୁ ବାହାଘର ପୂର୍ବରୁ ଥିଲେ ପ୍ରବୀରଙ୍କ ବଡ଼ ଭାଇ, ବିଶ୍ୱମ୍ଭର ବାରିକଙ୍କ ପ୍ରେମିକା । ହେଲେ ପ୍ରବୀର, ମାନସୀଙ୍କୁ ବାହା ହୋଇ କଟକ ଚାଲିଆସି ଦୀର୍ଘ ୪ମାସ ହେଲା ଏକ ଲଜରେ ରହୁଥିଲେ । ଆଉ ଏହି ଖବର ଯେତେବେଳେ ବଡ ଭାଈ ବିଶ୍ୱମ୍ବର ଜାଣିବାକୁ ପାଇଥିଲେ, ପ୍ରତିହିଂସା ପରାୟଣ ହୋଇ ଉଠିଥିଲେ ।

ତା ପରେ ସିଧା ପହଂଚିଥିଲେ ଲଜରେ । ନିଜ ପ୍ରେମିକାକୁ ସାନଭାଇ ସ୍ତ୍ରୀ ଭାବରେ ଦେଖି, ବଡ ଭାଇ ଭୁଲି ଯାଇଥିଲେ ସଂପର୍କର ସବୁ ବନ୍ଧନ । ମୋର ନୁହେଁ ତ କାହାର ନୁହେଁ କହିବା ସହ ଭାଇବୋହୂଙ୍କୁ ଛୁରାମାଡ଼ କଲେ । ଏବେ ହସ୍ପିଟାଲ ବେଡରେ ଜୀବନ ସହ ସଂଗ୍ରାମ କରୁଛନ୍ତି ମାନସୀ । ଆଉ ଏପଟେ ଛୁରାମାଡ଼ କରିଥିବା ଯୁବକ ବିଶ୍ୱମ୍ଭର ବାରିକକୁ ଗିରଫ କରିଛି ପୁଲିସ ।