ଓଡ଼ିଶା ରାଜନୀତିର ରୋଚକ କଥା । ପଲିଟିକ୍ସରେ ଭାଇଭଉଣୀ । ସାନଭାଇ ମୁଖ୍ୟମନ୍ତ୍ରୀ ଆଉ ବଡ ଭଉଣୀ ବିଧାୟିକା । 

293

କନକ ବ୍ୟୁରୋ : (ସ୍ୱରାଜ ମିଶ୍ର) : ଆଶ୍ଚର୍ଯ୍ୟ ହେଲେ ବି ସତ । ଓଡ଼ିଶା ରାଜନୀତିରେ ଏମିତି ଦୁଇ ଭାଇଭଉଣୀ ଅଛନ୍ତି, ଯେଉଁମାନେ ଏକ ସମୟରେ ଏକାଧିକବାର ବିଧାନସଭାର ସଦସ୍ୟ ରହିଛନ୍ତି । ଥରେ ତ ଏପରି ହୋଇଥିଲା ଯେ ଭାଇ ଥିଲେ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଭଉଣୀ ଥିଲେ ସରକାରୀ ଦଳର ବିଧାୟିକା । ସେମାନେ ଏକା ମା’ ପେଟର ଭାଇଭଉଣୀ । ଜଣେ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହ ଦେଓ ଓ ଅନ୍ୟଜଣେ ଢେଙ୍କାନାଳ ରାଣୀ ରତ୍ନପ୍ରଭା ।

ରାଜେନ୍ଦ୍ର ନାରାୟଣ ଓ ରତ୍ନପ୍ରଭା ଉଭୟେ ଜନ୍ମନେଇଥିଲେ ଷଢ଼େଇକଳା ଗଡ଼ଜାତରେ । ଷଢ଼େଇକଳାର ରାଜା ଆଦିତ୍ୟ ପ୍ରତାପ ସିଂହଦେଓ ଓ ରାଣୀ ପଦ୍ମିନୀ କୁମାରୀ ଦେବୀଙ୍କର ମୋଟ ଛଅ ପୁଅ ଓ ତିନି ଝିଅଙ୍କ ମଧ୍ୟରେ ରତ୍ନପ୍ରଭା ଥିଲେ ବଡ଼ଝିଅ ଏବଂ ରାଜେନ୍ଦ୍ର ନାରାୟଣ ଥିଲେ ଦ୍ଵିତୀୟ ପୁଅ । ରତ୍ନପ୍ରଭାଙ୍କ ଜନ୍ମ ହୋଇଥିଲା ୧୯୦୯ ମସିହାରେ ଏବଂ ତାଙ୍କଠାରୁ ତିନି ବର୍ଷ ସାନ ରାଜେନ୍ଦ୍ର ନାରାୟଣ ଜନ୍ମ ନେଇଥିଲେ ୧୯୧୨ ମସିହାରେ । ରାଜେନ୍ଦ୍ର ପିଲା ଥିଲାବେଳେ ପାଟଣା (ବଲାଙ୍ଗୀର) ରାଜା ପୃଥ୍ଵୀରାଜ ସିଂହଦେଓ ତାଙ୍କୁ ପୋଷ୍ୟପୁତ୍ର କରି ଆଣିଥିଲେ ଏବଂ ୧୯୨୪ରେ ରତ୍ନପ୍ରଭାଙ୍କର ବିବାହ ହୋଇଥିଲା ଢେଙ୍କାନାଳ ରାଜା ଶଙ୍କର ପ୍ରତାପ ସିଂହଦେଓ ମହୀନ୍ଦ୍ର ବାହାଦୂରଙ୍କ ସହିତ । ଠିକ୍ ଏହି ସମୟରେ ପାଟଣା ରାଜା ପୃଥ୍ଵୀରାଜଙ୍କ ମୃତ୍ୟୁ ହେଲା । ସେତେବେଳକୁ ରାଜେନ୍ଦ୍ର ନାବାଳକ ଥିବାରୁ କିଛିବର୍ଷ ତତ୍ତ୍ଵାବଧାୟକଙ୍କ ଅଧୀନରେ ରହିବା ପରେ ୧୯୩୩ରେ ସମ୍ପୂର୍ଣ୍ଣ ରାଜ୍ୟଭାର ସମ୍ଭାଳିଲେ ।

୧୯୪୮ରେ ଓଡ଼ିଶା ପ୍ରଦେଶ ସହ ଗଡ଼ଜାତମାନଙ୍କର ମିଶ୍ରଣ ହେବା ପରେ ଢେଙ୍କାନାଳ, ବଲାଙ୍ଗୀର ସମେତ ସମସ୍ତ ଗଡ଼ଜାତର ନାଗରିକମାନେ ୧୯୫୨ଠାରୁ ଭାରତର ନୂଆ ସମ୍ବିଧାନ ଅନୁସାରେ ନିର୍ବାଚନରେ ଅଂଶଗ୍ରହଣ କଲେ । ସେତେବେଳେ କଂଗ୍ରେସ ହିଁ ଥିଲା ସର୍ବଭାରତୀୟ ସ୍ତରରେ ସବୁଠାରୁ ଶକ୍ତିଶାଳୀ ଦଳ । କିନ୍ତୁ ପାଟଣା ମହାରାଜା ରାଜେନ୍ଦ୍ର ନାରାୟଣ ସିଂହଦେଓ ‘ଗଣତନ୍ତ୍ର ପରିଷଦ’ ନାମରେ ନିଜର ଏକ ଆଞ୍ଚଳିକ ଦଳ ଗଢ଼ି କଂଗ୍ରେସ ଦଳର ମୁଖ୍ୟ ବିରୋଧୀ ରୂପେ ଉଭା ହେଲେ । ଏଥିରେ ତାଙ୍କୁ ପୂର୍ଣ୍ଣ ସହଯୋଗ କରୁଥିଲେ ଭଉଣୀ ରତ୍ନପ୍ରଭା ଓ ଭିଣୋଇ ଶଙ୍କର ପ୍ରତାପ ।

୧୯୫୨ରେ ଗଣତନ୍ତ୍ର ପରିଷଦ ତରଫରୁ କଳାହାଣ୍ଡି-ବଲାଙ୍ଗୀର (ଯୁଗ୍ମ) ଆସନରୁ ନିର୍ବାଚନ ଜିଣି ରାଜେନ୍ଦ୍ର ନାରାୟଣ ଲୋକସଭାକୁ ଯାଇଥିଲେ । ମାତ୍ର ୧୯୫୭ଠାରୁ ସେ ଓଡ଼ିଶା ବିଧାନସଭା ଉପରେ ଅଧିକ ଧ୍ୟାନଦେଲେ । ଏହିବର୍ଷ ସେ ଟିଟିଲାଗଡ଼ (ଯୁଗ୍ମ) ଆସନରୁ ବିଧାନସଭାକୁ ଆସିଥିବାବେଳେ ଭିଣୋଇ ଶଙ୍କର ପ୍ରତାପ ଢେଙ୍କାନାଳ(ଯୁଗ୍ମ) ଆସନରୁ ଜିଣି ବିଧାନସଭାକୁ ଆସିଥିଲେ । ମାତ୍ର ପରବର୍ତ୍ତୀ ଦୁଇଟି ନିର୍ବାଚନରେ ଶଙ୍କର ପ୍ରତାପଙ୍କ ସ୍ଥାନରେ ରାଣୀ ରତ୍ନପ୍ରଭା ଦେବୀ ଢେଙ୍କାନାଳରୁ ଲଢ଼ିଲେ ଏବଂ ଉଭୟ ୧୯୬୧ ଓ ୧୯୬୭ ନିର୍ବାଚନରେ ବିଜୟୀ ହୋଇ ବିଧାନସଭାକୁ ଆସିଲେ । ଠିକ୍ ଏହି ସମୟରେ ରାଜେନ୍ଦ୍ର ନାରାୟଣ ମଧ୍ୟ ବିଧାୟକ ଥିଲେ । ସେ ୧୯୬୧ରେ କଣ୍ଟାବାଞ୍ଝି ଆସନରୁ କଂଗ୍ରେସ ପ୍ରାର୍ଥୀ ଚନ୍ଦ୍ରକୁମାରୀ ଦେବୀଙ୍କୁ ଆଠ ହଜାରରୁ ଅଧିକ ଭୋଟରେ ହରାଇଥିବା ବେଳେ ୧୯୬୭ରେ ବଲାଙ୍ଗୀର ଆସନରୁ କଂଗ୍ରେସ ଦଳର ସତ୍ୟାନନ୍ଦ ମିଶ୍ରଙ୍କୁ ପାଖାପାଖି ୧୬ ହଜାର ଭୋଟ ବ୍ୟବଧାନରେ ପରାସ୍ତ କରି ବିଧାନସଭାକୁ ଆସିଥିଲେ ।

୧୯୬୨ ନିର୍ବାଚନ ପରେ ଗଣତନ୍ତ୍ର ପରିଷଦ ସ୍ୱତନ୍ତ୍ର ପାର୍ଟି ସହ ମିଶିଯାଇଥିଲା । ୧୯୬୭ରେ ଏହି ଦଳ ଜନକଂଗ୍ରେସ ସହ ମିଶି ସରକାର ଗଠନ କରିଥିଲା ଏବଂ ରାଜେନ୍ଦ୍ର ନାରାୟଣ ସିଂହଦେଓ ମୁଖ୍ୟମନ୍ତ୍ରୀ ହୋଇଥିଲେ । ସେତେବେଳେ ଭଉଣୀ ରତ୍ନପ୍ରଭା ଦେବୀ ସ୍ୱତନ୍ତ୍ର ପାର୍ଟି ଟିକେଟରେ ଢେଙ୍କାନାଳ ଆସନରୁ ଜିଣି ବିଧାନସଭାର ସଦସ୍ୟା ଥିଲେ । ସେ ରାଜେନ୍ଦ୍ର ନାରାୟଣଙ୍କ ମନ୍ତ୍ରିମଣ୍ଡଳରେ ମନ୍ତ୍ରୀପଦ ପାଇ ନଥିଲେ ମଧ୍ୟ ସରକାରୀ ଦଳର ଜଣେ ଦକ୍ଷ ବିଧାୟିକା ରୂପେ ଭାଇଙ୍କ ପଛରେ ଛିଡ଼ା ହୋଇଥିଲେ ।

ରତ୍ନପ୍ରଭା ତାଙ୍କ ଆତ୍ମଜୀବନୀ ‘୧୯୦୯ ମସିହାରୁ ଏପର୍ଯ୍ୟନ୍ତ’ ପୁସ୍ତକରେ ଭାଇମାନଙ୍କ ସହ ଷଢ଼େଇକଳାରେ କଟାଇଥିବା ତାଙ୍କ ପିଲାଦିନ କଥା ବିଶଦ ଭାବରେ ବର୍ଣ୍ଣନା କରିଛନ୍ତି । ଓଡ଼ିଶା ସହ ଷଢ଼େଇକଳା ଅଞ୍ଚଳର ଗଭୀର ସାମାଜିକ ଓ ସାଂସ୍କୃତିକ ସଂପର୍କ ରହିଛି । ଯଦିଓ ଏହି ଗଡ଼ଜାତ ଓଡ଼ିଶା ସହ ମିଶିପାରି ନଥିଲା, ଏଠାରେ ଜନ୍ମିତ ଦୁଇ ଭାଇଭଉଣୀ ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନ ସହ ଘନିଷ୍ଠ ଭାବରେ ସାମିଲ ହୋଇ ଓଡ଼ିଶା ପାଇଁ ଷଢ଼େଇକଳାବାସୀଙ୍କ ହୃଦୟରେ ଥିବା ଗଭୀର ଆତ୍ମୀୟତା ଓ ଭଲପାଇବାର ପ୍ରମାଣ ଦେଇଛନ୍ତି ।