ତିନି ବର୍ଷ ଛୁଆର କାନ୍ଦ ଶୁଣିଲାନି ବ୍ରିଟିସ ଏୟାରଲାଇନ୍ସ ! କାନ୍ଦ ବନ୍ଦ ନହେବାରୁ ଭାରତୀୟ ଦମ୍ପତ୍ତିଙ୍କୁ ବିମାନରୁ ଓହ୍ଲାଇଦେଲା ।

41

ତିନି ବର୍ଷର ଛୁଆ କାନ୍ଦିବାରୁ ଏକ ଅଗ୍ରଣୀ ଇଉରୋପୀୟ ଏୟାରଲାଇନ୍ ଗୋଟିଏ ଭାରତୀୟ ପରିବାରକୁ ବିମାନରୁ ଓହ୍ଲାଇ ଦେଇଥିବା ଅଭିଯୋଗ ହୋଇଛି। ମାଆ ଛୁଆଟିକୁ କୋଳରେ ଧରି ତୁନ କରୁଥିବା ବେଳେ ବିମାନଟି ଉଡ଼ାଣ ନିମନ୍ତେ ଗଡ଼ିବା ଆରମ୍ଭ କରିଥିଲା। ସେତିକି ବେଳେ ଜଣେ କ୍ୟାବିନ୍ କ୍ରୁ ଜାଣିଶୁଣି ପିଲାଟିକୁ ଚଢ଼ା ଗଳାରେ କହିଲେ କି ଯାଇ ତୋ ସିଟରେ ବସ୍। କଡ଼ା କଥାରେ ପିଲାଟି ଛାନିଆରେ ରାହାଛାଡ଼ି କାନ୍ଦିଲା।

ଏହା ପରେ ବିମାନଟି ଟର୍ମିନାଲ୍କୁ ଫେରିଗଲା ଓ ସେ ଛୁଆଟିର ପରିବାର ସମେତ ସେମାନଙ୍କ ପଛ ସିଟ୍ରେ ବସି ଥିବା ଅଳ୍ପ କେତେକ ଭାରତୀୟଙ୍କୁ ବିମାନରୁ ଓହ୍ଲାଇ ଦିଆଗଲା। ବର୍ଣ୍ଣବୈଷମ୍ୟ ଆଚରଣ ବୋଲି କୁହାଯାଉଥିବା ଏହି ଘଟଣା ବ୍ରିଟିସ୍ ଏୟାରୱେଜର ଲଣ୍ଡନ୍-ବର୍ଲିନ୍ ବିମାନ (ବିଏ୮୪୯୫)ରେ ଜୁଲାଇ ୨୩ ତାରିଖ ଦିନ ଘଟିଛି। ଇଣ୍ଡିଆନ୍ ଇଞ୍ଜିନିୟରିଙ୍ଗ୍ ସର୍ଭିସରେ ୧୯୮୪ ବ୍ୟାଚ୍ ଅଫିସର୍ ସମ୍ପ୍ରତି ଯିଏ ପରିବହନ ମନ୍ତ୍ରାଳୟରେ ନିଯୁକ୍ତି ପାଇଛନ୍ତି, ତାଙ୍କ ପରିବାର ସହ ଏଭଳି ଆଚରଣ କରାଯାଇଛି।

ଯୁଗ୍ମ-ସଚିବସ୍ତରୀୟ ସେ ଅଧିକାରୀଜଣକ ଏବେ ବିମାନ ପରିବହନ ମନ୍ତ୍ରୀ ସୁରେଶ ପ୍ରଭୁଙ୍କ ଠାରେ ଫେରାଦ ହୋଇଛନ୍ତି। ତାଙ୍କର ଅଭିଯୋଗ ଏୟାରଲାଇନ୍ ତାଙ୍କ ପ୍ରତି ଅପମାନ ଓ ବର୍ଣ୍ଣବୈଷମ୍ୟ ବ୍ୟବହାର କରିଛି। ବ୍ରିଟିସ୍ ଏୟାରୱେଜର ଜଣେ ମୁଖପାତ୍ର କହିଛନ୍ତି: ଆମେ ଏଭଳି ଅଭିଯୋଗକୁ ଗୁରୁତର ସହ ଗ୍ରହଣ କରୁଛୁ। ଆମେ କୌଣସି ପ୍ରକାର ବୈଷମ୍ୟ ସହ୍ୟ କରି ପାରିବୁ ନାହିଁ। ଆମେ ପୂର୍ଣ୍ଣ ତଦନ୍ତ ଆରମ୍ଭ କରିଛୁ ଏବଂ ସେ ଯାତ୍ରୀଙ୍କ ସହ ସିଧାସଳଖ ଯୋଗାଯୋଗ କରୁଛୁ।