ପେଟ୍ରୋଲ ଓ ଡିଜେଲରେ ଲାଗି ପାରିବନି ଜିଏସଟି ! ନୀତି ଆୟୋଗର ନକାରାତ୍ମକ ମତ, ବିପୁଳ ରାଜସ୍ୱ ଆଦାୟ କରୁଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର

20

କନକ ବ୍ୟୁରୋ: ପେଟ୍ରୋଲ ଓ ଡିଜେଲରେ ଲାଗି ପାରିବନି ଜିଏସଟି । ତୈଳଦରକୁ ଜିଏସଟିରେ ସାମିଲ କରିବା ନେଇ ଏମିତି ନକାରାତ୍ମକ ମତ ଦେଇଛି ନୀତି ଆୟୋଗ । ପେଟ୍ରୋଲ ଓ ଡିଜେଲକୁ ଜିଏସଟିରେ ସାମିଲ କରିବା ପାଇଁ କେନ୍ଦ୍ର ସରକାର ଉଦ୍ୟମ ଚଳାଇଥିବା ବେଳେ ନୀତି ଆୟୋଗ କିନ୍ତୁ ଦେଇଛି ଭିନ୍ନ ମତ । ଏପରିକି ତୈଳ ଦର ଉପରେ ଜିଏସଟି ଲଗାଇବା ଏକପ୍ରକାର ଅସମ୍ଭବ ବୋଲି ମଧ୍ୟ କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ ରାଜୀବ କୁମାର ।

ଏହାର କାରଣ ସମ୍ପର୍କରେ ତାଙ୍କ କହିବା କଥା ହେଲା ତେଲରୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିପୁଳ ରାଜସ୍ୱ ଆୟ କରୁଛନ୍ତି । ତେଣୁ ଏବେ ଜିଏସଟିର ସର୍ବୋଚ୍ଚ ହାର ୨୮ ପ୍ରତିଶତ ଥିବା ବେଳେ ତେଲ ଉପରେ ଜିଏସଟି ଲାଗିଲେ କେନ୍ଦ୍ର ଓ ରାଜ୍ୟର ବିପୁଳ ରାଜସ୍ୱ ହାନି ହେବ । ପେଟ୍ରୋଲ ଓ ଡିଜେଲରୁ ଆସୁଥିବା ଟିକସ ପରିମାଣ ବଜାୟ ରଖିବାକୁ ହେଲେ ଏକ ନୂଆ ସ୍ଲାବ ସୃଷ୍ଟି କରିବାକୁ ପଡିବ । ଯାହା ଏକ ଜଟିଳ କାମ ବୋଲି କହିଛନ୍ତି ନୀତି ଆୟୋଗ ଉପାଧ୍ୟକ୍ଷ । ଯଦି ଉଭୟ କେନ୍ଦ୍ର ଓ ସବୁ ରାଜ୍ୟ ସରକାର ରାଜି ହୁଅନ୍ତି ତେବେ ପ୍ରଥମେ ପେଟ୍ରୋଲୟମ୍ ସାମଗ୍ରୀ ଉପରୁ ଟିକସ ପରିମାଣ ହ୍ରାସ କରିବାକୁ ପଡିବ ବୋଲି କହିଛନ୍ତି ରାଜୀବ କୁମାର ।

ନୀତି ଆୟୋଗ ଉପାଧ୍ୟକ୍ଷ କହିଛନ୍ତି ଯେ, ତେଲ ଉପରେ ଟିକସ ହେଉଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ପାଇଁ ଦୁଧିଆଳୀ ଗାଈ ସଦୃଶ । ସରକାରଙ୍କ ପରୋକ୍ଷ ଟିକସ ରାଜସ୍ୱର ଏକ ବଡ଼ ଭାଗ ହେଉଛି ପେଟ୍ରୋଲ ଓ ଡିଜେଲ ଟିକସ । ଏଣୁ କୌଣସି ରାଜ୍ୟ ସହଜରେ ଏହାକୁ ଛାଡିବାକୁ ଚାହିଁବ ନାହିଁ । ନୀତିଗତ ଭାବେ ସବୁ ସାମଗ୍ରୀ ଜିଏସଟି ଅଧିନକୁ ଆସିବା ଉଚିତ, କିନ୍ତୁ ବାସ୍ତବରେ ଏହା ଲାଗୁ କରିବାକପ ଆହୁରି ଅନେକ ପ୍ରତିବନ୍ଧକର ସମ୍ମୁଖୀନ ହେବାକୁ ପଡିବ ବୋଲି ସେ କହିଛନ୍ତି । ଏହା କରିବାର ଉପଯୁକ୍ତ ଉପାୟ ହେଲା କେନ୍ଦ୍ର ସରକାର ପ୍ରଥମେ ଧୀରେ ଧୀରେ ତେଲ ଉପରୁ ଟିକସ କମାନ୍ତୁ । ଏପରି ହେଲେ ତେଲ ଦର କମିବ ଓ ରାଜ୍ୟମାନେ ତେଲ ଉପରୁ ଟିକସ କମ ଆଦାୟ କରିବେ । ଏପରି ହେଲେ ସେମାନେ ସ୍ୱତଃ ଜିଏସଟି ପାଇଁ ରାଜି ହେବେ ।